ଭାରତ-ଭୁଟାନ୍ ମଧ୍ୟରେ ଗଡ଼ିବ ରେଳ

ନୂଆଦିଲ୍ଲୀ (ଓଟି): ଭୁଟାନକୁ ଭାରତରୁ ଟ୍ରେନ୍‌ ଯାତ୍ରା ଖୁବ୍‌ଶୀଘ୍ର କରିହେବ। ଏନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି। ପଡ଼ୋଶୀ ରାଷ୍ଟ୍ର ଭୁଟାନକୁ ରେଳ ସଂଯୋଗ କରିବା ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି। ଉଭୟ ରାଷ୍ଟ୍ରର ସୀମାରେ ଥିବା ମୁଜନାଇ-ନୋଏପାଂଲିଙ୍ଗ ଲାଇନ୍‌ରେ ରେଳ ଚଳାଚଳ ପାଇଁ ଉଦ୍ୟମ କରାଯାଉଛି।

ସୂଚନା ଅନୁସାରେ ନିକଟରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଭୁଟାନ-ଭାରତ ଷ୍ଟାର୍ଟଅପ୍ ସମିଟ୍‌ରେ ଯୋଗଦେବା ପାଇଁ ଭୁଟାନ ଯାଇଥିଲେ। ଉକ୍ତ ଗସ୍ତ ଅବସରରେ ଭାରତୀୟ ରେଳବାଇର ଏକ ଟିମ୍ ସେଠାକାର ଖଣି ନିଗମ ସହ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବୁଝାମଣା କରିଥିବା ଜଣାପଡ଼ିଛି। ଭାରତୀୟ ସୀମା ମଧ୍ୟରେ ପାଣ୍ଡୁ, ଯୋଗିହୋପା ଏବଂ ଅଗରତାଲାର କିଛି ସ୍ଥାନରେ ଟ୍ରାଞ୍ଜିଟ୍ କଷ୍ଟମସ୍ ଷ୍ଟେସନ ପ୍ରତିଷ୍ଠା କରିବାକୁ ମଧ୍ୟ ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ହୋଇସାରିଛି। ଭାରତ-ଭୁଟାନ ରେଳ ସଂଯୋଗ ପ୍ରକଳ୍ପ ବ୍ୟତୀତ ଆଗାମୀ ବର୍ଷ ସୁଦ୍ଧା ଭାରତରୁ ବାଲାଂଦେଶକୁ ଆଉ ଏକ ନୂତନ ରେଳପଥ ନିର୍ମାଣ ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଭାରତର ଉତ୍ତର-ପୂର୍ବାଞ୍ଚଳ ସହିତ ବାଲାଂଦେଶକୁ ସଂଯୋଗ କରିବା ନେଇ ୨୦୨୧ ସୁଦ୍ଧା ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିକଟରେ ଘୋଷଣା କରିସାରିଛନ୍ତି।

Leave a Reply

Your email address will not be published. Required fields are marked *