ଦେଶ ହେଲା ତ୍ରିରଙ୍ଗୀ, ଜାଣନ୍ତୁ କୋଉଠି ମିଳିବ ମଦ
ନୂଆଦିଲ୍ଲୀ,ଭୁବନେଶ୍ଵର (ଓଡ଼ିଶା ଟାଇମ୍): ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେଉଁସବୁ ଦୋକାନ ଖୋଲିବ ସେନେଇ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହିକ୍ରମରେ ମଦ ଦୋକାନ ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି। ତେବେ ଏହାରି ମଧ୍ୟରେ ଦେଶ କରୋନା କାରଣରୁ ତ୍ରିରଙ୍ଗୀ ହୋଇଯାଇଛି। ଅର୍ଥାତ୍ ୩ଟି ରଙ୍ଗରେ ବିଭକ୍ତ ହୋଇଛି। ରେଡ୍, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍ ମଧ୍ୟରୁ କେବଳ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଖୋଲିବାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ସରକାର।
ଉଲ୍ଲେଖଯୋଗ୍ୟଯେ ପୂର୍ବରୁ ମଦ ଦୋକାନ ସମେତ ସାଲୋନ୍ ଖୋଲିବା ଉପରେ ଦୃଢ଼ କଟକଣା ଜାରି କରାଯାଇଥିଲ।। କିନ୍ତୁ ସମ୍ପ୍ରତି ପ୍ରତ୍ୟେକ ଜୋନ୍ ପାଇଁ ସ୍ଵତନ୍ତ୍ର ଗାଇଡ୍ ଲାଇନ୍ କରାଯାଇଛି। ଏହି କ୍ରମରେ କେବଳ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଖୋଲିବ। ଏଥିସହ ପାନ ଦୋକାନ ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି। ତେବେ ସବୁ ସର୍ତ୍ତ ଭିତ୍ତିକ ଏବଂ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି। ସେହିପରି ୬ ଫୁଟ୍ ଦୂରତା ବଜାୟ ରଖି ଗ୍ରୀନ୍ ଜୋନ୍ରେ ଥିବା ମଦ ଦୋକାନରୁ ଗ୍ରାହକ କିଣିପାରିବେ। ଖାଲି ସେତିକି ନୁହେଁ ମଦ ଦୋକାନ ବା କାଉଣ୍ଟର୍ରେ ଏକକାଳୀନ ୫ ଜଣରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ ବୋଲି କୁହାଯାଇଛି।
ଓଡ଼ିଶାର କେଉଁଠି ଖୋଲିବ?
- ରାଜ୍ୟର ରେଡ୍ ଜୋନ୍ ଜିଲ୍ଲା: ବାଲେଶ୍ଵର, ଭଦ୍ରକ ଓ ଯାଜପୁର
- ରାଜ୍ୟର ଅରେଞ୍ଜ ଜୋନ୍ ଜିଲ୍ଲା: ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି
- ଉପରୋକ୍ତ ୯ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନ୍ ଅନ୍ତର୍ଭୁକ୍ତ। ଅର୍ଥାତ୍ ସେହି ସବୁ ଜିଲ୍ଲାରେ ମଦ ଓ ପାନ ଦୋକାନ ସର୍ତ୍ତଭିତ୍ତିରେ ଖୋଲିବ।
ଏଠାରେ ପ୍ରକାଶ ଥାଉକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ୧୧୪୭ ଜଣ ପ୍ରାଣ ହରାଇଲେଣି।