୨୦୩୫ସୁଦ୍ଧା ଦେଶରେ ଯୁବକଙ୍କ ସଂଖ୍ୟା କମିବ-ବୁଢ଼ାଙ୍କ ସଂଖ୍ୟା ବଢ଼ିବ
ଆଉମାତ୍ର ୧୫ ବର୍ଷ ପରେ ଯୁବକଙ୍କ ଦେଶ କୁହାଯାଉଥିବା ଭାରତ ବୟସ୍କଙ୍କ ଦେଶରେ ପରିଣତ ହେବ। ବର୍ତ୍ତମାନ ଦେଶରେ ଥିବା ଲୋକମାନଙ୍କ ମଧ୍ୟରୁ ୬୦ବର୍ଷ ବୟସ୍କଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଅପର ପକ୍ଷରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ୨୦୧୧ ଜନଗଣନା ଜନସଂଖ୍ୟାଠାରୁ ୨୦୩୫ରେ ୨୬ପ୍ରତିଶତ ବୃଦ୍ଧି ପାଇବ।
ସରକାରୀ ପରିସଂଖ୍ୟାନ ଓ ଅନୁମାନ ଅନୁସାରେ ୨୦୧୧ରେ ଦେଶର ଲୋକସଂଖ୍ୟା ୧୨୧କୋଟି ୧୦ଲକ୍ଷ ଥିଲା। ୨୦୩୫ରେ ଏହି ସଂଖ୍ୟା ୧୫୩କୋଟି ୬୦ଲକ୍ଷକୁ ବୃଦ୍ଧି ପାଇବ। ଜନସଂଖ୍ୟାର ଏହି ବୃଦ୍ଧି ପରିମାଣ ୨୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହି ଆକଳନରେ ବୁଢ଼ାଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ। ୬୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ଦେଶର ମୋଟ ଲୋକସଂଖ୍ୟାର ୮.୬ ପ୍ରତିଶତରୁ ୧୫.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏହି ଆକଳନରେ କୁହାଯାଇଛି।
ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୨୫-୨୯ ବର୍ଷ ବୟସ୍କଙ୍କ ସଂଖ୍ୟା ଦେଶର ମୋଟ ଲୋକସଂଖ୍ୟାର ୧୯ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ ପାଇବ। ଜନସଂଖ୍ୟାରେ ସବୁଠାରୁ ଅଧିକ ହ୍ରାସ ୧୫ ବର୍ଷ ବୟସ୍କଙ୍କଠାରେ ଦେଖାଦେବ। ୧୫ ବର୍ଷ ବୟସ୍କ ଜନସଂଖ୍ୟା ଦେଶର ମୋଟ ଲୋକସଂଖ୍ୟାର ୩୦.୯ ପ୍ରତିଶତରୁ ୧୭ ପ୍ରତିଶତକୁ ହ୍ରାସ ପାଇବ।
ଦେଶରେ ଉତ୍ପାଦନ କ୍ଷେତ୍ରର ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରୁଥିବା ୧୫ରୁ ୫୯ ବର୍ଷ ବୟସ୍କ ଲୋକ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହେବ। ଏହି ସଂଖ୍ୟା ୬୦.୫ ପ୍ରତିଶତରୁ ୬୬.୭ ପ୍ରତିଶତରେ ପହଞ୍ଚିବ। ୨୦୧୧-୧୪ ବର୍ଷ ମଧ୍ୟରେ ଥିବା ଦେଶର ପ୍ରଜନନ ଦର ୨.୪ ପ୍ରତିଶତରୁ ୨୦୩୧-୩୫ ବର୍ଷ ମଧ୍ୟରେ ୧.୬୫ ପ୍ରତିଶତକୁ ହ୍ରାସ ପାଇବ। ଏହି ସମୟ ମଧ୍ୟରେ ଶିଶୁ ମୃତ୍ୟୁହାର କମିବାର ଆଶା କରାଯାଉଛି। ୨୦୧୧-୧୫ ମଧ୍ୟରେ ଶିଶୁ ମୃତ୍ୟୁହାର ୪୩ ପ୍ରତିଶତରୁ ୩୦ ପ୍ରତିଶତରେ ରହିବ। ଦେଶରୋ ଜନ୍ମ ହାର ୧୯.୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ ପାଇବ। କିନ୍ତୁ ସହାର ଲୋକଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି।