କରୋନା: ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ କଲା ଶସ୍ତା ଟେଷ୍ଟ୍ କିଟ୍
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଲାଗି ଚାରିଆଡ଼େ ତ୍ରାହି ତ୍ରାହି ସ୍ଥିତି। ସଂକ୍ରମଣକୁ ରୋକିବା ପାଇଁ ତଥା ସତର୍କ ଦୃଷ୍ଟିରୁ ବିଭିନ୍ନ ଦେଶରେ ବହୁ କଟକଣା କରାଯାଇଛି। ସେହିପରି ଭାରତର ବିଭିନ୍ନ ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ କରୋନା ସଂକ୍ରମଣ ପରୀକ୍ଷୀ ଆଉ ଏଥିରୁ ମୁକୁଳିବା ପାଇଁ ବିଶ୍ଵର ବିଭିନ୍ନ ବିଶେଷଜ୍ଞ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି। ଏହିକ୍ରମରେ ଆଇଆଇଟି ଦିଲ୍ଲୀକୁ ବଡ଼ ସଫଳତା ମିଳିଛି। ନୂଆ ଶସ୍ତା ଟେଷ୍ଟିଂ କିଟ୍ ନିର୍ମାଣ କରିବାରେ ଏହି ସଂସ୍ଥା ସଫଳତା ପାଇଛି।
ସୂଚନା ଅନୁସାରେ ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ କରିଥିବା ଶସ୍ତା କିଟ୍ ଖୁବ୍ଶୀଘ୍ର କ୍ଲିନିକାଲ ପରୀକ୍ଷଣ କରାଯିବ। ଏହି କିଟ୍ ଦ୍ଵାରା କମ୍ ଖର୍ଚ୍ଚରେ କରୋନା ସଂକ୍ରମିତ ହୋଇଛି ନା ନାହିଁ ଜାଣିହେବ। ସମ୍ପ୍ରତି ବେସରକାରୀ ଲ୍ୟାବରେ ଭୂତାଣୁ ପରୀକ୍ଷଣ ପାଇଁ ମୂଲ୍ୟ ୪୫୦୦ ଟଙ୍କା ରଖିବାକୁ ସରକାର ନିର୍ଧାରଣ କରିଥିବାବେଳେ ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ ନୂଆ କିଟ୍ ଏହି ଖର୍ଚ୍ଚକୁ ଖୁବ୍ କମାଇବ। କିଟ୍ ଶସ୍ତାରେ ମିଳିବା ପାଇଁ ଆଇଆଇଟି ପକ୍ଷରୁ ଏଥିରେ ରାଇବୋଜ୍ ନ୍ୟୁକ୍ଲିଡ୍ ଏସିଡ୍ ବ୍ୟବହାର କରାଯାଇଛି। ଏହାର କ୍ଲିନିକାଲି ଟ୍ରାଏଲ୍ ପାଇଁ ପୁନେ ଏନ୍ଆଇବିର ମଞ୍ଜୁରି ବାକି ରହିଛି।