ଆଇଆଇଏମସିରେ ଜାଲିଆନାୱାଲାବାଗ ସଂପର୍କିତ ମନୋଗ୍ରାଫ ଉନ୍ମୋଚିତ
ଢେଙ୍କାନାଳ: ଜାଲିଆନାୱାଲାବାଗ ଗଣହତ୍ୟା ସଂପର୍କିତ ଏକ ମନୋଗ୍ରାଫ୍ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ପରିସରରେ ଉନ୍ମୋଚିତ ହୋଇଯାଇଛି । ସାରା ଦେଶରେ ଲକଡାଉନ୍ ଚାଲିଥିବା ବେଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହାକୁ ଇ-ଉନ୍ମୋଚିତ କରିଥିଲେ ।
ଉନ୍ମୋଚିତ ମନୋଗ୍ରାଫରେ ଜାଲିଆନାୱାଲାବାଗ ସଂପର୍କିତ ଫିଲ୍ମ, ଡାକ ଟିକଟ, ଖବରକାଗଜ କ୍ଲିପିଂ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ୧୯୧୯ ମସିହା ଅପ୍ରେଲ ୧୩ ତାରିଖରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା । ସେହି ଦିବସକୁ ମନେ ରଖି ଆଇଆଇଏମସି ପକ୍ଷରୁ ମନୋଗ୍ରାଫ୍ ତିଆରି କରିବା ପାଇଁ ଉଦ୍ୟମ ହୋଇଥିଲା ଏବଂ ତାହା ଠିକ ଦିନରେ ସଫଳ ହୋଇଛି ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ କହିଛନ୍ତି ।
ଜାଲିଆନାୱାଲାବାଗ ମନୋଗ୍ରାଫରେ ବିଶିଷ୍ଟ ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କଠାରୁ ଆରମ୍ଭ କରି ରକ୍ଷାନନ୍ଦ ଜଲିଲ, ମହେନ୍ଦ୍ର ବେଦ, ସୋମା ଚାଟାର୍ଜୀ, ସୁବୀର ଘୋଷ, ରଜତ ମିତ୍ର, ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର, ଡ. ମୃଣାଳ ଚାଟାର୍ଜୀ, ପ୍ରଫେସର ସୂର୍ଯ୍ୟ ମିଶ୍ର, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ପ୍ରମୁଖଙ୍କ ଲେଖା ରହିଛି । ଉଭୟ ଇଂରାଜୀ ଓ ଓଡ଼ିଆରେ ନିବନ୍ଧମାନ ଏଥିରେ ସ୍ଥାନ ପାଇଛି । ଓଡ଼ିଆରେ ବ୍ରିଟିଶ ରାଜ ସମୟରେ ଓଡ଼ିଶାରେ ଘଟିଥିବା ବିଭିନ୍ନ ଗୁଳିକାଣ୍ଡ ସଂପର୍କରେ ନିବନ୍ଧ ପ୍ରକାଶିତ ହୋଇଛି । ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ସୁନ୍ଦରଗଡ଼ର ଆମକୋ-ସିମକୋ ଗୁଳିକାଣ୍ଡ ଉପରେ ଲେଖିଥିବା ବେଳେ ଡ. ଜ୍ୟୋତି ପ୍ରକାଶ ମହାପାତ୍ର ନବରଂଗପୁରର ପାପଡ଼ାହାଣ୍ଡି ଗୁଳିକାଣ୍ଡ ଉପରେ ଲେଖିଛନ୍ତି ।
ଦେଶରେ ଲକଡାଉନ ଚାଲିଥିବା ବେଳେ ଏହି ମନୋଗ୍ରାଫ୍ ଉନ୍ମୋଚିତ ହୋଇଛି । ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ତେବେ ଶେଷକୁ ସମସ୍ତ ପରିଶ୍ରମ ସଫଳ ହୋଇଛି । ଏବଂ ଏହି ମନୋଗ୍ରାଫ୍ ଭବିଷ୍ୟତ ପୀଢି ପାଇଁ ଅନେକ ବାଗରେ ସହାୟକ ହେବ ବୋଲି ଡ. ଚାଟାର୍ଜୀ କହିଛନ୍ତି ।
ବିଭିନ୍ନ ବିଷୟ ଉପରେ ଆଇଆଇଏମସି ସମୟାନ୍ତରରେ ମନୋଗ୍ରାଫମାନ ପ୍ରସ୍ତୁତ କରି ଆସୁଛି । କ୍ରୀଡ଼ା ସାମ୍ବାଦିକତାଠାରୁ ଆରମ୍ଭ କରି ଦେଶ ବିଭାଜନ ଉପରେ ହୋଇଥିବା ଭାରତୀୟ ସିନେମା ଆଦି ଅଲଗା ଅଲଗା ବିଷୟ ଉପରେ ଆଇଆଇଏମସି ପୂର୍ବରୁ ୨୧ଟି ମନୋଗ୍ରାଫ୍ ପ୍ରସ୍ତୁତ କରି ସାରିଛି ।