ଲକ୍ଷ୍ନୌ ଆଇଆଇଏମରେ ରେକର୍ଡ
ନୂଆଦିଲ୍ଲୀ(ଓଟି): ଭାରତର ବିଭିନ୍ନ ସହରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ବିଦ୍ୟାର୍ଥୀଙ୍କ ନିଯୁକ୍ତି ସର୍ବଦା ରହିଆସିଛି। ତେବେ ଲକ୍ଷ୍ନୌସ୍ଥିତ ଆଇଆଇଏମ୍ ବିଦ୍ୟାର୍ଥୀଙ୍କ ନିଯୁକ୍ତିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏହି ଅନୁଷ୍ଠାନର ୨୦୧୮-୨୦ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ନିଯୁକ୍ତି ମିଳିଥିବାବେଳେ ଆନ୍ତର୍ଜାତୀୟ କମ୍ପାନୀ ତରଫରୁ ଅନେକ ସୁଯୋଗ ମିଳିଛି। ଆମାଜନ୍, ଫ୍ଲିପକାର୍ଟ ଭଳି ଆନ୍ତର୍ଜାତିକସ୍ତରର ଇ-କମର୍ସ କମ୍ପାନୀ ପକ୍ଷରୁ ଏହି ଅନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ସର୍ବାଧିକ ସୁଯୋଗ ମିଳିଥିବା ବେଳେ ବିଦେଶରେ ନିଯୁକ୍ତି ପାଇଁ ସର୍ବାଧିକ ଭାବେ ବାର୍ଷିକ ପ୍ୟାକେଜ୍ ୫୮.୪୭ ଲକ୍ଷ ଅଫର୍ ଦିଆଯାଇଛି। ସେହିପରି ଭାରତରେ ନିଯୁକ୍ତି ପାଇଁ ସର୍ବାଧିକ ୫୪ ଲକ୍ଷ ଟଙ୍କାର ଅଫର୍ ଦିଆଯାଇଛି ବୋଲି ଅନୁଷ୍ଠାନର ବରିଷ୍ଠ ପ୍ରବକ୍ତା ସୂଚନା ଦେଇଛନ୍ତି। ତେବେ ହାରାହାରି ଭାବେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୨୩ରୁ ୨୪.୨୫ ଲକ୍ଷ ଟଙ୍କାର ନିଯୁକ୍ତି ଅଫର୍ ମିଳିଛି ବୋଲି ସେ କହିଛନ୍ତି। ୨୦୧୮-୨୦ ଶିକ୍ଷାବର୍ଷ ଏବଂ ଏହି ଅନୁଷ୍ଠାନର ୩୪ତମ ବ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିବା ୪୪୩ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍ ଦେବାଲକ୍ଷ୍ୟରେ ୧୪୦ରୁ ଅଧିକ ଦେଶୀ ଏବଂ ବିଦେଶୀ କମ୍ପାନୀ ସାକ୍ଷାତକାର ନେଇଥିଲେ। ବହୁ ଛାତ୍ରଛାତ୍ରୀଙ୍କୁ ଆମେରିକା, ଦୁବାଇ, ଆଫି୍ରକା, କ୍ୱାତାର ଭଳି ବିଦେଶୀ ରାଷ୍ଟ୍ର ପାଇଁ ମଧ୍ୟ ନିଯୁକ୍ତି ଅଫର ମିଳିଛି। ଏହାବ୍ୟତୀତ ଚଳିତବର୍ଷ ପ୍ରଥମଥର ପାଇଁ ବୋସ୍, ଫିଟଜି, ଇଣ୍ଡିଗୋ, ଜେସିବି ଇଣ୍ଡିଆ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନଜିସି ଭଳି ଭାରତୀୟ କମ୍ପାନୀମାନଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ନିଆଯାଇ ଉଚ୍ଚ ହାରରେ ପ୍ୟାକେଜ୍ ଅଫର୍ ଦିଆଯାଇଛି। ଚଳିତବର୍ଷର ନିଯୁକ୍ତି ଅଫର୍କୁ ନେଇ ଏହି ଅନୁଷ୍ଠାନର ଭାରତର ଟପ୍ ବିଜନେସ୍ ସ୍କୁଲ ମଧ୍ୟରେ ସ୍ୱତନ୍ତ୍ରତା ଲାଭ କରିଥିବା ବେଳେ ଆଗାମୀ ଦିନରେ ଆହୁରି ଭଲ କରିବ ବୋଲି ଆଇଆଇଏମ୍ ପ୍ଲେସମେଣ୍ଟ ୱିଙ୍ଗ ଅଧ୍ୟକ୍ଷ ରାଜେଶ ଅଇଥାଲ ଆଶାବ୍ୟକ୍ତ କରିଛନ୍ତି।











