ଆଇଏଫଏଫଆଇ ୨୦୧୯ରେ ୧୩ ଜଣ ତାରକାଙ୍କୁ ଶ୍ରଦ୍ଧାଞ୍ଜଳି

୫୦ ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆର ବର୍ଣ୍ଣାଡ୍ୟ ଉତ୍ସବ ଆସନ୍ତା ୨୦ ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଯାଉଛି । ଏହାର ପୂର୍ବ ପ୍ରସ୍ତୁତି ଖୁବ୍ ଜୋରସୋରରେ ଆଗେଇ ଚାଲିଥିବାବେଳେ ସୋସିଆଲ୍ ମିଡିଆରେ ଏହାର ଅପଡେଟ୍ ଖବର ଆସିବାରେ ଲାଗିଛି । ଏ ସମ୍ପର୍କିତ ଆଉ ଏକ ଅପଡେଟ୍ ଖବର ଅନୁଯାୟୀ ଏଥର ଉତ୍ସବର ଗୋଲଡେନ୍ ଜୁବଲି ପାଳନ କରାଯାଉଥିବାରୁ ବଲିଉଡର ସୁବର୍ଣ୍ଣ ଯୁଗ ବୋଲାଉଥିବା ୭୦ରୁ ୯୦ ଦଶକର ଅନେକ ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯିବ । ଏହା ସହିତ ଅଭିନୟ ଜଗତରୁ ସବୁଦିନ ପାଇଁ ବିଦାୟ ନେଇ ସାରିଥିବା ୧୩ ଜଣ ତାରକାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ସେହି ୧୩ ଜଣ ତାରକା ହେଉଛନ୍ତି ବିଜୁ ଫୁକାନ୍, ମୃଣାଳ ସେନ୍, ବିଜୟା ମୁଲେ, ରୁମା ଗୁହା ଠାକୁରତା, କାଦର ଖାନ୍, ରାଜକୁମାର ବଡ଼ଜାତ୍ୟା, ଗିରୀଶ କନ୍ନାଡ଼, ରାମ ମୋହନ, ଭିରୁ ଦେବଗନ୍, ବିଦ୍ୟା ସିହ୍ନା, ଖୟାମ୍ ଓ ଏମଜେ ରାଧାକ୍ରିଷ୍ଣନ୍ । ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମ ତାଲିକାରେ ରହିଛି – ମୃଣାଳଙ୍କ ‘ଭୁବନ ସୋମ’୍, ଗିରୀଶଙ୍କ କନ୍ନାଡ଼ ଫିଲ୍ମ ‘କନୁରି ହେଗାଦିଥି’ ଜାନୁ ବରୁଆଙ୍କ ଦ୍ୱାର ନିର୍ଦ୍ଦେଶିତ ବିଜୁଙ୍କ ଫିଲ୍ମ ‘ଅପରୁପା’, ଖୟାମଙ୍କ ସଙ୍ଗୀତ ଦ୍ୱାରା ସଜ୍ଜିତ ‘ଉମରାଓ ଜାନ୍’, ଏମଜେ ରାଧାକ୍ରିଷ୍ଣନଙ୍କ ‘ଭୋୟିଲମାରଙ୍ଗଲ୍’ ଏବଂ ବିଜୟା ମୁଲେଙ୍କ ସର୍ଟ ଫିଲ୍ମ ‘ଏକ୍ ଅନେକ’ ଓ ‘ଏକତା’ । ଏହି ଉତ୍ସବରେ ୭୬ଟି ଦେଶର ୨୦୦ରୁ ଅଧିକ ଫିଲ୍ମ ପ୍ରଦର୍ଶିତ କରାଯିବ । ପାନୋରାମା ଶ୍ରେଣୀରେ ଭାରତର ୨୬ଟି ଫିଚର୍ ଫିଲ୍ମ ଓ ୧୫ଟି ନନ୍ ଫିଚର୍ ଫିଲ୍ମ ପ୍ରଦର୍ଶିତ କରାଯିବ ବୋଲି ସୂଚନା ମିଳିଛି । ଏହି ଉତ୍ସବ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *