ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମେସିନ୍ ଗନ୍ ଏବେ ଟାଇଗରଙ୍କ ହାତରେ
ଟାଇଗର ସ୍ରଫ୍ ଓ ହ୍ରିତିକଙ୍କ ଭଳି ଦୁଇଜଣ ଦକ୍ଷ ଅନସ୍କ୍ରୀନ୍ ଯୋଦ୍ଧାଙ୍କୁ ଏକାସାଙ୍ଗରେ ଦେଖିବା ସିନେପ୍ରେମୀଙ୍କ ପାଇଁ ଏକ ସ୍ୱପ୍ନ ଭଳି । କିନ୍ତୁ ଏବେ ସେହି ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି ଏବଂ ଅପକମିଙ୍ଗ୍ ଫିଲ୍ମ ‘ୱାର୍’ ମାଧ୍ୟମରେ ଏହି ଆକ୍ସନ୍ ତାରକା ଦ୍ୱୟ ଏକାଠୀ ସ୍କ୍ରୀନ୍ ସେୟାର୍ କରିବେ । ବଲିଉଡର ଆକ୍ସନ୍ ଫିଲ୍ମ କ୍ଷେତ୍ରରେ ‘ୱାର୍’ ଏକ ମାଇଲଷ୍ଟୋନ୍ ଭାବେ ପ୍ରମାଣିତ ହେବ ବୋଲି ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି । ଆନନ୍ଦଙ୍କ କହିବା ଅନୁଯାୟୀ ଆକ୍ସନ୍ ଫିଲ୍ମକୁ ଅଧିକ ପସନ୍ଦ କରୁଥିବା ସିନେପ୍ରେମୀଙ୍କୁ ଦୃଷ୍ଟିରେ ରଖି ଏହାର କାହାଣୀ ରଚନା ଓ ଆକ୍ସନ ଦୃଶ୍ୟଗୁଡ଼ିକର ପରିକଳ୍ପନା କରାଯାଇଛି ।
ଆକ୍ସନ୍ ଦୃଶ୍ୟଗୁଡ଼ିକୁ ଜୀବନ୍ତ କରିବା ପାଇଁ ୪ ଜଣ ପ୍ରଖ୍ୟାତ ବିଦେଶୀ ଆକ୍ସନ୍ ଡାରେକ୍ଟର୍ ପଲ୍ ଜେନିଙ୍ଗସ୍, ଫ୍ରାନ୍ସ ପିଲହାଉସ୍, ସି ୟାଙ୍ଗ୍ ଓ ପରଭେଜ୍ ଶେଖଙ୍କୁ ସାଇନ୍ କରାଯାଇଛି । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବିଶ୍ୱର ଶକ୍ତିଶାଳୀ ମେସିନ୍ ଗନ୍ ‘ଗେଟଲିଙ୍ଗ୍’ର ଏକ ଝଲକ ଦେଖିବାକୁ ମିଳିବ । ଟାଇଗର୍ ସ୍ରଫ୍ ଏହି ମେସିନ୍ ଗନ୍ ସାହାଯ୍ୟରେ କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ସହରକୁ ଧ୍ୱସଂସ୍ତୁପରେ ପରିଣତ କରିପାରୁଥିବାର ଏକ ଦୃଶ୍ୟ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମର ଔପଚାରିକ ଘୋଷଣା ହେବା ପରଠାରୁ ଏହାର ଆକ୍ସନ୍ ଦୃଶ୍ୟଗୁଡ଼ିକୁ ନେଇ ସିନେ ମହଲରେ ଆଲୋଚନା ସହିତ ସମାଲୋଚନା ଶୁଣିବାକୁ ମିଳୁଛି । ତେବେ ‘ୱାର୍’ର ଆକ୍ସନ୍ ଦୃଶ୍ୟଗୁଡ଼ିକ କେତେଦୂର ଦର୍ଶକଙ୍କୁ ଆକୃଷ୍ଟ କରିବ, ତାହା କେବଳ ସମୟ ହିଁ କହିବ ।