‘ରାମାୟଣ’ରେ ହ୍ରିତିକ୍-ଦୀପିକା ଯୋଡ଼ି
ନିତେଶ ତିୱାରୀ ଓ ରବି ଉଦୟାବର୍ଙ୍କ ଯୋଡ଼ି ୩ଡି ଫିଲ୍ମ ‘ରାମାୟଣ’ର ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଅଲ୍ଲୁ ଅରବିନ୍ଦ, ନମିତ୍ ମାଲହୋତ୍ରା ଓ ମଧୁଙ୍କ ପ୍ରଯୋଜିତ ଏହି ଫିଲ୍ମର ମୁଖ୍ୟ ଭୂମିକା ଭଗବାନ ରାମଙ୍କ ଅବତାରରେ ହ୍ରତିକ୍ ରୋସନଙ୍କୁ ସାଇନ୍ କରାଯାଇଛି ବୋଲି ଖବର ମିଳିଥିଲା । ତେବେ ମା’ ସୀତାଙ୍କ ଭୂମିକା ପାଇଁ ଫିଲ୍ମନିର୍ମାତାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଦୀପିକା ପାଦୁକୋନ୍ । ଏ ସମ୍ପର୍କରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ କିମ୍ବା ଦୀପିକାଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଯଦି ଫିଲ୍ମମେକର୍ସଙ୍କ ଚେଷ୍ଟା ସଫଳ ହୁଏ ତେବେ ପ୍ରଥମ ଥର ପାଇଁ ହ୍ରିତିକ୍ ଓ ଦୀପିକାଙ୍କ ଯୋଡ଼ି ପରଦା ଉପରକୁ ଆସିବ ।
‘ସୁପର୍ ୩୦’ର ସଫଳତା ପରେ ଏବେ ହ୍ରିତିକ୍ ଅପକମିଙ୍ଗ୍ ଆକ୍ସନ୍ ମୁଭି ‘ୱାର’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ୍ ଶୀଘ୍ର ହ୍ରିତିକଙ୍କ ହୋମ୍ ପ୍ରଡକସନ୍ ଫିଲ୍ମ ‘କ୍ରୀସ୍-୪’ର ସୁଟିଂ ଆରମ୍ଭ କରାଯିବ ଏବଂ ରୋହିତ ସେଟ୍ଟି ‘ସତେ ପେ ସତା’ର ରିମେକ୍ ପାଇଁ ମଧ୍ୟ ହ୍ରିତିକଙ୍କୁ ଅଫର୍ ଦେଇଛନ୍ତି । ଅନ୍ୟ ପକ୍ଷରେ ଦୀପିକା ଏବେ ଲଣ୍ଡନରେ ‘୮୩’ର ସୁଟିଂରେ ବ୍ୟସ୍ତ ଥିବା ସହ ‘ଛପାକ୍’ର ପୋଷ୍ଟ୍ ରଲିଜ୍ କାମରେ ସମୟ ଦେଉଛନ୍ତି । ତେଣୁ ‘ରାମାୟଣ’ ମାଧ୍ୟମରେ ଏହି ଯୋଡ଼ିକୁ ସିନେପ୍ରେମୀ ପରଦା ଉପରେ ଦେଖିପାରିବେ କି ନାହିଁ, ତାହା କେବଳ ସମୟ ହିଁ କହିବ । ‘ରାମାୟଣ’ ଉଭୟ ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି ।