ପୁଣିଥରେ ଡବଲ୍ ରୋଲରେ ହ୍ରିତିକ୍
ଅନସ୍କ୍ରିନର ଆନନ୍ଦ କୁମାର ଭାବେ ଏକ ନୂଆ ପରିଚୟ ହାସଲ କରିଥିବା ହ୍ୟାଣ୍ଡସମ୍ ହ୍ରିତିକ୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଡବଲ୍ ରୋଲରେ ନଜର ଆସିବେ ବୋଲି ଉଡ଼ା ଖବର ମିଳିଛି । ଫରହାନ୍ ଅଖତର୍ ଓ ରୋହିତ୍ ସେଟ୍ଟି ତାଙ୍କର ଆଗାମୀ ଫିଲ୍ମ ‘ସତେ ପେ ସତା’ର ରିମେକ୍ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି । ଏହାର ଫାଇନାଲ୍ ଷ୍ଟାରକାଷ୍ଟ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ହ୍ରିତିକଙ୍କୁ ଏଥିପାଇଁ ସାଇନ୍ କରାଯାଇଥିବାର ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ ହ୍ରିତିକଙ୍କ ନାୟିକା ସାଜିବେ ବି ଟାଉନର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ । ଏହି ଫିଲ୍ମ ପୂର୍ବରୁ ‘କହୋ ନା ପ୍ୟାର୍ ହେ’ ଓ ‘କ୍ରିସ୍’ରେ ହ୍ରିିତିକଙ୍କୁ ଦ୍ୱୈତ ଭୂମିକାରେ ଦେଖିବାକୁ ମିଳିଥିଲା ।
ଏହା ଏକ ମଲଟିଷ୍ଟାରର୍ ଫିଲ୍ମ ହୋଇଥିବାରୁ ମେକର୍ସ ଷ୍ଟାରକାଷ୍ଟକୁ ନେଇ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି । ହ୍ରିତିକ୍ ଓ କ୍ୟାଟଙ୍କ ପୂର୍ବରୁ ଲିଡଯୋଡ଼ି ପାଇଁ ଶାହରୁଖ ଓ ଦୀପିକାଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ଫିଲ୍ମକୁ ନେଇ କ୍ୟାଟ୍ରିନା ବେଶ୍ ଉତ୍ସାହିତ ଜଣାପଡ଼ୁଛନ୍ତି । ୮୦ ଦଶକର ସୁପରହିଟ୍ ଫିଲ୍ମ ‘ସତେ ପେ ସତା’ରେ ବିଗ୍ ବି ଓ ହେମାମାଳିନୀଙ୍କ ଯୋଡ଼ି ଦର୍ଶକଙ୍କ ମନ କିଣି ନେଇଥିଲା । ତେବେ ବିଗ୍ ବିଙ୍କ ଫିଲ୍ମ କ୍ୟାରିୟରର ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ବୋଲାଉଥିବା ଏହି ଫିଲ୍ମର ରିମେକ୍ ଦର୍ଶକଙ୍କୁ ଆକର୍ଷିତ କରିପାରିବ କି ନାହିଁ, ତାହା କେବଳ ସମୟ ହିଁ କହିବ ।











