କେମିତି ଜାଣିବେ କରୋନା ହୋଇଛି?

ଭୁବନେଶ୍ଵର, (ଓଟି): ବିଭିନ୍ନ ଗଣମାଧ୍ୟମରେ ଏବେ କୋଭିଡ୍‌-୧୯ କରୋନା ଆତଙ୍କ ଜୋର୍‌ଦାର ଚାଲିଛି।  ଯେଉଁଭଳି ସୂଚନା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରୁ ବିସ୍ତାର କରାଯାଉଛି ସେଥିରେ ସାଧାରଣ ଲୋକଟିଏ ଆତଙ୍କିତ ହେବା ସ୍ଵଭାବିକ। ଯେହେତୁ ଏହାର ଲକ୍ଷଣ ସାଧାରଣ ଥଣ୍ଡାଜ୍ବର ପରି ବୋଲି ପ୍ରଚାର କରାଯାଉଛି, ସେଥିଲାଗି ସାଧାରଣ ଛିଙ୍କ କାଶ ହେଉଥିବା ବ୍ୟକ୍ତିଙ୍କୁ ଲୋକେ କରୋନା ସନ୍ଦିଗ୍ଧ ବୋଳି ବିଚାର କରୁଛନ୍ତି। ଏପରିକି ପୁଲିସକୁ ସୂଚନା ଦେବାକୁ ବି ପଛାଉ ନାହାନ୍ତି।

ଆମ ଦେଶରେ କରୋନା ପରୀକ୍ଷଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇ ନଥିବାରୁ ଲୋକେ ଭୟରେ ନିଜର ଲକ୍ଷଣ ବାହାରେ ପ୍ରକାଶ କରିବାକୁ ବି ଚାହୁଁ ନାହାନ୍ତି। ଏହାଦ୍ଵାରା ଘର ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ରହିଛି। ଅବଶ୍ୟ ଏବେ ଘରେ ବସି କରୋନା ପରୀକ୍ଷଣ ପାଇଁ ବାଟ ଫିଟିଛି କିନ୍ତୁ ଏଥିଲାଗି ପ୍ରଥମେ ଆବଶ୍ୟକ ଜାଣିବା ଯେ ଆପଣଙ୍କୁ ଥଣ୍ଡା କାଶ କେମିତି ହୋଇଛି।

 ଶୁଖିଲା କାଶ ଛିଙ୍କ

ଯଦି ଆପଣଙ୍କ ଶୁଖିଲା କାଶ ଓ ଛିଙ୍କ ହେଉଛି ତେବେ ମନେ ରଖନ୍ତୁ ତାହା ସାଧାରଣ ବା୍ରୁ ପ୍ରଦୂଷଣର ପ୍ରଭାବ। ଆପଣ ଏହାକୁ ଏଲର୍ଜୀ ବୋଲି କହିପାରିବେ।

କଫ କାଶ

ସାଧାରଣ ଥଣ୍ଡା ବା ଋତୁ ପରିବର୍ତ୍ତନ ସମୟରେ ଅନେକ ଲୋକଙ୍କଠାରେ ଏହିପରି ଲକ୍ଷଣ ଦେଖାଯାଏ। ଏହା ବି ସଂକ୍ରମିତ ହୋଇପାରେ। ଏହି ପ୍ରକାର ଲକ୍ଷଣରେ ଆପଣଙ୍କୁ କାଶରେ କଫ ପଡ଼ିବା, ନାକରୁ ସିଙ୍ଘାଣୀ ବୋହିବା ଆଦି ଲକ୍ଷଣ ଦେଖାଯାଏ। ଏଥିରେ ଲୋକଙ୍କୁ ଜ୍ବର କିମ୍ବା ଦେହ ହାତ ଘୋଳା ବିନ୍ଧା ହୁଏ ନାହିଁ।

କଫ କାଶ ସହ ଜ୍ବର

କଫ କାଶ କରୋନାର ଲକ୍ଷଣ ନୁହେଁ।  କଫ କାଶ, ନାକରୁ ସିଙ୍ଘାଣି ବୋହିବା, ଦେହ ହାତ ଘୋଳାବିନ୍ଧା ହେବା, ଦୁର୍ବଳ ଲାଗିବା ଏବଂ ହାଲକା ଜ୍ବର ଯଦି ହେଉଥାଏ ତେବେ ଆତଙ୍କିତ ହୁଅନ୍ତୁ ନାହିଁ। ଏହାକୁ ଡାକ୍ତରୀ ଭାଷାରେ ଫ୍ଲୁ ବୋଲି କହନ୍ତି। ସାଧାରଣ ପାରାସିଟାମୋଲ୍‌ ଏଥିଲାଗି ଖାଇବାକୁ ହୋଇଥାଏ। କିନ୍ତୁ ବିନା ଡାକ୍ତରଙ୍କ ପରାମର୍ଶରେ ଆପଣ କୌଣସି ମେଡିସିନ୍‌ ଦୋକାନରୁ ମମନକୁ ମନ କିଣନ୍ତୁ ନାହିଁ।

ଶୁଖିଲା କାଶ ସାଙ୍ଗକୁ ଜ୍ବର ଓ ଘୋଳାବିନ୍ଧା 

ଯଦି ଆପଣଙ୍କୁ ଜ୍ବର ହେଉଛି, କିନ୍ତୁ କାଶରେ କଫ ପଡ଼ୁ ନାହିଁ। ଦେହ ହାତ ଘୋଳାବିନ୍ଧା ହେଉଛି। ତେବେ ଜାଣି ରଖନ୍ତୁ ଏହା କରୋନା ହୋଇପାରେ। ନିଜକୁ ଦୁର୍ବଳ ଲାଗିବା, ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ କରିବା ଆଦି ସମସ୍ୟା କରୋନା କ୍ଷେତ୍ରରେ ଦେଖାଯାଇଥାଏ। ଏଣୁ ଏମିତି ଲକ୍ଷଣ ହେଲେ ଆପଣଙ୍କ  ଦେହରୁ ଅନ୍ୟକୁୁସଂକ୍ରମଣ ଭୟଙ୍କର ହୋଇଥାଏ। ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

(ଏମ୍ସ, ଦିଲ୍ଲୀଙ୍କ ପାଥୋଲୋଜି ବିଭାଗର ତଥ୍ୟ ଓ କଟକସ୍ଥିତ ଖ୍ରାଏଷ୍ଟ କଲେଜ ଅଧ୍ୟକ୍ଷ ଡ. ସିଦ୍ଧାର୍ଥଙ୍କ ଦ୍ଵାରା ପ୍ରଦତ୍ତ ସୂଚନାକୁ ଆଧାର କରି ଉପରିସ୍ଥ ଆଲେଖ୍ୟ ପ୍ରସ୍ତୁତ । ହେଲେ ଲକ୍ଷଣ ବାବଦରେ ଆବଶ୍ୟକ ନିଦାନ ପାଇଁ ଆପଣ ଅଭିଜ୍ଞ ଓ କ୍ଷମତାପନ୍ନ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ) 

 

 

Leave a Reply

Your email address will not be published.