କେତେ ଆଉ କେମିତି କୋହଳ ହେବ କଟକଣା !

ସରି ଆସୁଛି ଲକ୍ ଡାଉନ୍ 3.0 । ସୋମବାର ଠାରୁ ଲାଗୁ ହେବ ଲକ୍ ଡାଉନ୍ 4.0 । ଯାହା ଲାଗୁଛି, ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ଅନେକ କୋହଳ ହୋଇପାରେ । ମହାମାରୀ ମରିନି, ବରଂ ବଢ଼ି ବଢ଼ି ଚାଲିଛି । କିନ୍ତୁ ଲକ୍ ଡାଉନ୍ କୋହଳ କରିବାକୁ ବାଧ୍ୟ କରୁଛି ପରିସ୍ଥିତି । ଅର୍ଥନୀତିକୁ ଆହୁରି ବିପର୍ଯ୍ୟସ୍ତ ନକରିବା ତଥା ଲୋକଙ୍କ ହାତରେ ଅର୍ଥ ପହଞ୍ଚାଇବା ଲାଗି କଟକଣା କୋହଳ କରିବାକୁ ସରକାର ବାଧ୍ୟ ହେଉଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ପୂର୍ବରୁ ସେମାନେ ମଧ୍ୟ ଲକ୍ ଡାଉନରୁ ମୁକୁଳିବାକୁ ଧୀରେ ଧୀରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ତେବେ କେଉଁ ପର୍ମୁଟେସନ୍ ଏବଂ କମ୍ବିନେସନ୍ ବା ସୂତ୍ରକୁ ଆଧାର କରି ଆମ ଦେଶରେ ଏହା କୋହଳ ହେବ ? ତାହା କେବଳ ସରକାରଙ୍କ ଘୋଷଣା ପରେ ହିଁ ସ୍ପଷ୍ଟ ହୋଇପାରିବ । ଅର୍ଥାତ୍ ୧୨ ତାରିଖ ରାତି ଆଠଟାରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ‘ସସ୍ପେନ୍ସ’ ଆଉ କିଛି ସମୟ ଜାରି ରହିବ ।
ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି, ଲାଗୁଛି, ତାଲା ଖୋଲିଲା ପରେ ପରିସ୍ଥିତି ଅସମ୍ଭାଳ ହୋଇଯିବ । ଅପରପକ୍ଷେ କିଛି ଦିନ ତଳୁ ଦେଶର ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନରେ ବିଭକ୍ତ କରାଯାଇଛି । କିନ୍ତୁ ଗ୍ରୀନ୍ ଜୋନ୍ ସଂଖ୍ୟା କମିଥିବା ବେଳେ ଅରେଞ୍ଜ୍ ଜୋନ୍, ରେଡ୍ ଜୋନ୍ ସଂଖ୍ୟା ବଢ଼ିଛି । ତେଣୁ ଏଭଳି ପରିସ୍ଥିତିରେ ଭାରତର ଲକ୍ ଡାଉନ୍ କୋହଳ ଆଭିମୁଖ୍ୟ କେମିତି ହେବା ଉଚିତ୍ ?
ବର୍ତ୍ତମାନ ସୁଦ୍ଧା ଦେଶର ଅଧିକାଂଶ ଗ୍ରାମାଞ୍ଚଳକୁ କରୋନା ଛୁଇଁ ପାରିନି । ପ୍ରାୟତଃ ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଇ ପୂରା ଜିଲ୍ଲାକୁ ରେଡ୍, ଅରେଞ୍ଜ କିମ୍ବା ଗ୍ରୀନ୍ ଜୋନରେ ବିଭକ୍ତ କରାଯାଇଛି । ତେବେ ଲକ୍ ଡାଉନ୍ 4.0ରେ ଜିଲ୍ଲା, ଭାଗ ଭାଗ ହୋଇଯିବାର ସମ୍ଭାବନା ଅଧିକ । ଜିଲ୍ଲାର ପ୍ରମୁଖ ସହର ମଧ୍ୟ, ଭାଗ ଭାଗ ହୋଇପାରେ, ଯେମିତି ଫ୍ରାନ୍ସରେ ହୋଇଛି । ସେ ଦେଶର ପ୍ୟାରିସ ସହରରେ ଲୋକଙ୍କୁ ସେମାନଙ୍କ ଘରର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଚଳ ପ୍ରଚଳ କରିବାକୁ କୁହାଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ପରସ୍ପର ଘର ଠାରୁ ୨ କିଲୋମିଟର ଦୂରରେ ଥିବା ଲୋକେ, ଗୋଟିଏ ମାର୍କେଟ୍ ଉପରେ ହିଁ ନିର୍ଭର କରୁଛନ୍ତି । ଅର୍ଥାତ୍ ପ୍ୟାରିସ୍ ସହରକୁ କେଇ ଭାଗରେ ବିଭକ୍ତ କରାଯାଇଛି । କରୋନାର ଉତ୍ପତ୍ତିସ୍ଥଳ ଚୀନର ୟୁହାନ୍ ସହରରେ ବି ଏହି ପଦ୍ଧତି ଅନୁସରଣ କରାଯାଇଥିଲା । ଏସବୁ ପରୀକ୍ଷା ନିରୀକ୍ଷା ସ୍ପଷ୍ଟ କରୁଛି ଯେ, ଯେଉଁ ସ୍ଥାନରେ ସଂକ୍ରମଣ ହୋଇଛି ସେଠାରେ ତାକୁ ଆୟତ୍ତ ହିଁ କରିବାକୁ ପଡ଼ିବ । ଏଥିଲାଗି ସଂକ୍ରମଣ ହୋଇ ଥିବା ଜିଲ୍ଲାର ସବୁ ଅଞ୍ଚଳକୁ ଅବରୋଧ କରିବା କିଛି ଆବଶ୍ୟକ ନାହିଁ । କିନ୍ତୁ ଭାରତ ଭଳି ଜନବହୁଳ ଦେଶରେ ଏହା କେତେ ସମ୍ଭବ ହେବ ?
ସ୍ପେନ୍ ଅର୍ଥନୀତିଜ୍ଞ ଜନ୍ ମୋନରସଙ୍କ ମତରେ ପ୍ରଥମେ ଗ୍ରୀନ୍ ଜୋନରେ ଲୋକଙ୍କ କର୍ମସଂସ୍ଥାନକୁ ସୁଯୋଗ ମିଳୁ । ୫ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଲୋକସଂଖ୍ୟା ରହୁଥିବା ଅଞ୍ଚଳର ଲୋକଙ୍କୁ, ସେମାନଙ୍କ ନିକଟସ୍ଥ ଆର୍ଥିକ ସହର ବା ଅଞ୍ଚଳ ସହ ଚଳପ୍ରଚଳର ସୁଯୋଗ ଦିଆଯାଉ । ଦରକାର ପଡ଼ିଲେ, ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ, ସେମାନଙ୍କ ପାଇଁ ସାମୟିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ଗୋଟିଏ ଜିଲ୍ଲାର ଗ୍ରୀନ୍ ଅଞ୍ଚଳକୁ ଲାଗିକରି ଥିବା ଅନ୍ୟ ଜିଲ୍ଲାର ଗ୍ରୀନ୍ ଅଞ୍ଚଳକୁ ସଂଯୋଗ କରାଯାଉ । କିନ୍ତୁ ଗୋଟିଏ ଜିଲ୍ଲା ମଧ୍ୟରେ ଥିବା ଗ୍ରୀନ୍ ଅଞ୍ଚଳର ଲୋକଙ୍କୁ ସେହି ଜିଲ୍ଲାର ରେଡ୍ କିମ୍ବା ଅରେଞ୍ଜ ଅଞ୍ଚଳକୁ ଯିବାକୁ ଅନୁମତି ଦିଆ ନଯାଉ । ଅତି ଦରକାର ପଡ଼ିଲେ, ଏଥିପାଇଁ, ପ୍ରାଶାନିକ ସ୍ତରରେ ଅନୁମତି ଦେବାର ବ୍ୟବସ୍ଥା କରାଯାଉ ।
କିଛି ଦିନର ଅନୁଧ୍ୟାନ ପରେ, ଅର୍ଥାତ୍ ରାଣ୍ଡମ୍ ଟେଷ୍ଟିଂରେ ଯଦି, ସଂକ୍ରମଣ ଫେରି ନଥିବା ଲକ୍ଷ୍ୟ କରାଯାଏ, ତେବେ ଧୀରେ ଧୀରେ ସେହି ଗ୍ରୀନ୍ ଅଞ୍ଚଳରେ ଚଳପ୍ରଚଳକୁ ପୂର୍ବ ଭଳି ସ୍ୱାଭାବିକ କରାଯାଇ ପାରିବ । ଏହି ପଦ୍ଧତି ଦ୍ୱାରା ଧୀରେ ଧୀରେ ଗ୍ରୀନ୍ ଜିଲ୍ଲା ମଧ୍ୟରେ ଭାଗ ଭାଗ କରା ଯାଇଥିବା, ଅଞ୍ଚଳକୁ ମିଶା ଯାଇପାରିବ ଏବଂ ପରିସର ବଢାଯାଇ ପାରିବ ବୋଲି କହିଛନ୍ତି, ନୋବେଲ୍ ପୁରସ୍କାର ପ୍ରାପ୍ତ ଫ୍ରାନ୍ସ ଅର୍ଥନୀତିଜ୍ଞ, ପଲ୍ ରୋମର୍ ।
ଏକ୍ଷେତ୍ରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅର୍ଥନୀତି ବିଶାରଦଙ୍କ ସହ ବିଚାର ବିମର୍ଶ କରି ସରକାର, ନିଷ୍ପତ୍ତି ନେବେ । ତେବେ ପରିସ୍ଥିତି ଆଧାରରେ ଗ୍ରୀନ୍ ଜୋନରେ କିଛି ନିର୍ଦ୍ଦିଷ୍ଟ କଟକଣାକୁ ଆଉ କିଛି ସମୟ ପାଇଁ ବଳବତ୍ତର ରଖିବା ନିଷ୍ପତ୍ତି, ସରକାରଙ୍କ ସମ୍ପୂର୍ଣ୍ଣ ଇଚ୍ଛାଧୀନ ହୋଇପାରେ ।
ଏହି ଆଧାରରେ ଗଲେ ଆଉ ଅରେଞ୍ଜ ଏବଂ ରେଡ୍ ଜୋନ ଚିହ୍ନଟ କରି ରଖିବାର କୌଣସି ଆବଶ୍ୟକତା ନାହିଁ । ଏହି ଦୁଇ ରଙ୍ଗ ଚିହ୍ନିତ ଅଞ୍ଚଳର ସଂକ୍ରମଣ ପ୍ରବଣ ଅଞ୍ଚଳକୁ ସିଧା କଣ୍ଟେନମେଣ୍ଟ ବା ଅବରୋଧ ଅଞ୍ଚଳ ଭାବେ ଘୋଷଣା କରି ଅନ୍ୟ ଅଞ୍ଚଳ ଠାରୁ ସମ୍ପୂର୍ଣ୍ଣ ଅଲଗା ରଖିବାକୁ ପଡ଼ିବ । ବେଶ୍ କିଛି ଦିନ ଆଗରୁ ଓଡ଼ିଶା ସରକାର ସରପଞ୍ଚମାନଙ୍କୁ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଗତ ସୋମବାର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ଆଗକୁ ଲକ୍ ଡାଉନ୍ କଟକଣାକୁ କ୍ଷମତାର ବିକେନ୍ଦ୍ରୀକରଣ ମାଧ୍ୟମରେ କାର୍ଯ୍ୟକାରୀ କରିବା ଉପରେ ନବୀନ ଗୁରୁତ୍ୱ ଦେଇଥିଲେ । ତେଣୁ ଏବେ ଲକ୍ ଡାଉନ୍ 4.0 କୋହଳ ରୂପରେ ଆସିବାକୁ ଯାଉଥିବା ବେଳେ ସରପଞ୍ଚମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ପଞ୍ଚାୟତ-ପଞ୍ଚାୟତ ବା ଅଞ୍ଚଳ-ଅଞ୍ଚଳ ମଧ୍ୟରେ ସଂକ୍ରମଣ ରୋକିବା ଦିଗରେ ସେମାନେ ହିଁ ସାଜି ପାରନ୍ତି ପ୍ରମୁଖ ଜାଗ୍ରତ ପ୍ରହରୀ ।
ଗ୍ରୀନ୍ ଅଞ୍ଚଳରେ ସଂକ୍ରମଣକୁ ପୂରାଇ ନଦେବାକୁ ହେଲେ, ସ୍ଥାନୀୟ ପ୍ରଶାସନକୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ । ଏଥିରେ ଜନ ସାଧାରଣଙ୍କର ବଡ଼ ଧରଣର ସହଭାଗୀତାର ଆବଶ୍ୟକତା ରହିଛି । ଏଥି ସହିତ ଲକ୍ ଡାଉନ୍ ବେଳର ସାମାଜିକ ଦୂରତା ମନ୍ତ୍ରକୁ ଲୋକେ, ପ୍ରତି ପରିବେଶରେ, ପ୍ରତି ମୁହୁର୍ତ୍ତରେ ମନ୍ତ୍ର ଭଳି ଜପୁଥିବା ଦରକାର ।
ଅର୍ଥନୀତି ପାଇଁ ବିଭିନ୍ନ ଦେଶ ଧୀରେ ଧୀରେ ତାଲା ଖୋଲିବାକୁ ଉଦ୍ୟତ ହେଉଥିବା ବେଳେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦେଲାଣି ସତର୍କ ବାଣୀ । କରୋନା କେବେ ହଟିବ ତାହା କହିବା ମୁସ୍କିଲ୍ । ଅନ୍ୟ ଭୂତାଣୁ ଜନିତ ମହାମାରୀ ଭଳି, ଏହା ହୁଏତ, ମାନବ ସମାଜରେ ସବୁଦିନ ପାଇଁ ରହିଯାଇ ପାରେ ବୋଲି କହିଲେଣି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଜୁରୁରିକାଳୀନ ବିଶେଷଜ୍ଞ ମାଇକ୍ ରିଆନ୍ । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଭ୍ୟାକସିନ୍ ବା ଟୀକା ପ୍ରସ୍ତୁତ କରାଯାଇଛି । କିନ୍ତୁ କ୍ଲିନିକାଲ୍ ଟ୍ରାଏଲରେ କୌଣସି ଗୋଟେ ବି ସଫଳ ହୋଇନି । ତେଣୁ ଏଭଳି ସ୍ଥିତିରେ ମହାମାରୀକୁ ନିୟନ୍ତ୍ରଣ କରିବା କେବଳ ଲୋକଙ୍କ ହାତରେ । କେବଳ ସଚେତନତା ଏବଂ ଆତ୍ମ ନିୟନ୍ତ୍ରଣ ହିଁ ଏକମାତ୍ର ଜରୁରୀ ବୋଲି କହିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରେୟେସୁସ୍ ।
କରୋନା ପାଇଁ ଲକ୍ ଡାଉନ୍ । ଯାହା ଲୋକଙ୍କୁ ଅନେକ ଶିକ୍ଷା ଦେଇଛି । କହିବାକୁ ଗଲେ, ପାଖାପାଖି 2 ମାସ, ଲୋକଙ୍କ ପାଇଁ ଥିଲା ଟ୍ରେନିଂ ସମୟ । ଆଉ ଏବେ ସବୁ ଦିଗରୁ ଶୃଙ୍ଖଳା ଓ ଆତ୍ମ ସଂଯମତା ଜ୍ଞାନ ହାସଲ କରିଥିବା ଲୋକେ, ଧୀରେ ଧୀରେ ସେମାନଙ୍କ ଜୀବନ ଧାରାକୁ ଓହ୍ଲାଇବେ । ସେମାନଙ୍କ ହାତରେ, ସେମାନଙ୍କର ତଥା ପୂରା ସମାଜର ଲକ୍ ଅର୍ଥାତ୍ ଭାଗ୍ୟ । ନଚେତ୍, ପୁଣି ଥରେ ଗୃହବନ୍ଦୀ ହେବାକୁ ବେଶୀ ସମୟ ଲାଗିବନି ।
ଲେଖକ ଜଣେ ସାମ୍ବାଦିକ। ଏହି ସନ୍ଦର୍ଭରେ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ପ୍ରତିଫଳିତ। ତାଙ୍କୁ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର: ୭୦୦୮୭୭୯୦୪୩