କେମିତି ଧରାପଡ଼ିଲେ ୪୦ ହଜାର ଜମାତି ଓ ସମ୍ପର୍କୀୟ, ଭାରତୀୟ ଗୁଇନ୍ଦା ବିଭାଗର ଅଭୂତପୂର୍ବ ଅପରେସନ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ କରୋନା ଭୁତାଣୁର ସୁପରସ୍ପ୍ରେଡର (ମହା ସଂଚାରକ) ତବଲିଘି ଜମାତକୁ କିପରି ଆୟତ୍ତ କରାଗଲା? ଏଥିରେ ଯୋଗ ଦେଇଥିବା ଦେଶୀ ଓ ବିଦେଶୀ ଜମାତିଙ୍କୁ କିପରି ଚିହ୍ନଟ କରାଗଲା ଆଉ ସାରା ଦେଶରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ହଜାର ଲୋକଙ୍କୁ କେମିତି ଠାବ କରାଗଲା? ଯେତେବେଳେ ଆଗକୁ ଭାରତରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ, ସେତେବେଳେ ଏହା ଏକ ଉଲ୍ଲେଖନୀୟ ଘଟଣା ହୋଇ ରହିବ। ଆଉ ଏଥିରେ ଭାରତୀୟ ଗୁଇନ୍ଦା ସଂସ୍ଥା (ଆଇବି)ର ମଲ୍ଟି ଏଜେନ୍ସୀ ସେଣ୍ଟର ( ମ୍ୟାକ୍)ର ଭୂମିକା ଯେ ଯଥେଷ୍ଟ ଗୁରୁତ୍ଵପୂଣ୍ଣ ଥିଲା ସେ ବିଷୟରେ ଆଲୋଚନା ହେବ। ଆସନ୍ତୁ ଏହି ରିପୋର୍ଟରେ ନଜର ପକାଇବା ଜମାତି ଓ ତାଙ୍କ ସମ୍ପର୍କୀୟଙ୍କୁ ଠାବ କରିବାରେ ମ୍ୟାକ୍ର ଭୂମିକା କ’ଣ ଥିଲା ସେ ସମ୍ପର୍କରେ।
ପୃଷ୍ଠଭୂମି
ଘଟଣାର ପୃଷ୍ଠଭୂମି ହେଉଛି ଦିଲ୍ଲୀର ନିଜାମୁଦ୍ଦିନ ପରି ଜନଗହଳିପୂଣ୍ଣ ଅଞ୍ଚଳରେ ରହିଥିବା ମସ୍ଜିଦ୍ ତଥା ମର୍କାଜ୍। ମାର୍ଚ ୧ ତାରିଖରୁ ୧୪ ତାରିଖ ଯାଏ ଏହିଠାରେ ମର୍କାଜ୍ର ଏକ ଆନ୍ତର୍ଜାତୀୟ ଧର୍ମ ସମ୍ମିଳନୀ ହୋଇଥିଲା। ଏଥିରେ ଦେଶ ବିଦେଶର ବିଭିନ୍ନଆଡ଼ୁ ଲୋକଙ୍କ ସମାଗମ ହୋଇଥିଲା। ଏହା ଏକ ବାର୍ଷିକ ଅଧିବେଶନ। ଏଣୁ ସ୍ଵଭାବିକ ଭାବେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ମାର୍ଚ ପ୍ରଥମ ସପ୍ତାହରୁ ଏହି ଧର୍ମୀୟ ସଭା ଲାଗି ଲୋକଙ୍କ ଭିଡ଼ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିଜାମୁଦ୍ଦିନ୍ ପୁଲିସ୍ ଷ୍ଟେସନ୍କୁ ମସ୍ଜିଦ୍ ପକ୍ଷରୁ ସଭା ବାବଦରେ ଦର୍ଶାଇ ଦିଆଯାଇଥିଲା। ଦେଶର ବିଭିନ୍ନ ସ୍ଥାନରେ ପ୍ରେଦେଶିକ ସଭା ପରେ ୧୩ ତାରିଖରୁ ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ବେଶ୍ ଜନସମାଗମ ହୋଇଥିଲା। ଦେଶର ବିଭିନ୍ନ ଆଡ଼ୁ ପ୍ରାୟ ୯୦୦୦ରୁ ଅଧିକ ଧର୍ମଗୁରୁ ଓ ପ୍ରଚାରକ ଯୋଗ ଦେଇଥିଲେ। ଏହି ସମୟରେ ଯଦିଓ ଦେଶରେ ସ୍ଵାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିସୃଷ୍ଟି ହୋଇଛି ବୋଲି ସରକାରୀ ସୂତ୍ରରୁ କୁହାଯାଇ ନଥିଲା କିନ୍ତୁ ୧୩ ତାରିଖରେ ଦିଲ୍ଲୀ ସରକାର ବଡ଼ ଧରଣର ଲୋକଙ୍କ ସମାଗମରେ ରୋକ୍ ଲଗାଇଥିଲେ, କାରଣ ଥିଲା କରୋନା ସଂକ୍ରମଣ। ୨୦୦ ଲୋକକୁ ବାରଣ କରାଯାଇଥିଲା। କିନ୍ତୁ ଏହି ନୋଟିସ୍ ସେତିକି ପ୍ରସାର ହୋଇ ନଥିଲା କି ଏହାକୁ କେହି ବିଶେଷ ଗୁରୁତ୍ଵ ଦେଉ ନଥିଲେ। ଏଣୁ ଜମାତିରେ ପୂର୍ବଭଳି କାର୍ଯ୍ୟ ଚାଲିଥିଲା।
ମାର୍ଚ ୧୬ ତାରିଖରେ ହାଇଦ୍ରାବାଦରେ ଆରମ୍ଭ ହେଲା କରୋନା ଚିହ୍ନଟ। ଦେଖାଗଲା ଯେ, ଦିଲ୍ଲୀରୁ ଯେଉଁ ଟ୍ରେନ୍ ଆସୁଛି ସେଥିରେ ମର୍କାଜ ଫେରନ୍ତା ହିଁ ଅଧିକ ଅଛନ୍ତି। ଏମାନଙ୍କ ଭିତରେ କିଛି ବିଦେଶୀ ନାଗରିକ ବି ଅଛନ୍ତି। ଏହିଦିନ ୧୦ ଇଣ୍ଡୋନେସିଆ ନାଗରିକଙ୍କୁ ହାଇଦ୍ରାବାଦ ପୁଲିସ କରୋନା ସନ୍ଦେହରେ ଅଟକ ରଖି ହୋମ୍ କବାରେଣ୍ଟୀନ୍ରେ ପଠାଇଲା। ନିଜାମୁଦ୍ଦିନ୍ରୁ ଟ୍ରେନ୍ରେ ଆସୁଥିବା ମର୍କାଜ୍ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ପ୍ରଚାର ହେବା ପରେପରେ ଦିଲ୍ଲୀରେ ଆଶଙ୍କା ବଢ଼ିଲା। ଏହି ମାର୍ଚ ୧୬ ତାରିଖ ଦିନ ଦିଲ୍ଲୀ ସରକାର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କଲେ। ପୁଣି ଯେତେବେଳେ ଏମାନଙ୍କ ଭିତରୁ ସମସ୍ତେ କରୋନା ପଜିଟିଭ୍ ବୋଲି ଚିହ୍ନଟ କରାଗଲା ସେତେବେଳେ ସରକାର ଓ ସରକାରୀ ଗୁଇନ୍ଦା ସତର୍କ ହେଲା। ଆରମ୍ଭ ହେଲା ଜମାତର ଖୋଳତାଡ଼।
ଗୁଇନ୍ଦା ଖୋଳତାଡ଼
ମାର୍ଚ ୨୦ ତାରିଖ ବେଳକୁ ହାଇଦ୍ରାବାଦରୁ ୧୦ଜଣ ଇଣ୍ଡୋନେସୀୟ ନାଗରିକ କରୋନା ପ୍ରଭାବିତ ବୋଲି ଜଣାପଡ଼ିବା ପରେ ଗୃହମନ୍ତ୍ରଣାଳୟ ଗୁଇନ୍ଦା ସୂଚନା ପ୍ରୟୋଗ କରି ଜମାତିମାନଙ୍କ ବିବରଣୀ ସଂଗ୍ରହ ଅଭିଯାନ ଆରମ୍ଭ କଲେ। ଇଣ୍ଟେଲିଜେନ୍ସ ବ୍ୟୁରୋ ପାଇଁ ଏମିତି ଜନସାଧାରଣଙ୍କୁ ଚିହ୍ନଟ କରିବା ପୁଣି ବ୍ୟାପକ ଭାବରେ ତାହା ସମ୍ପୂଣ୍ଣ ଭାବେ ଏକ ନୂଆ ବ୍ୟାପାର ଥିଲା। ତଥାପି ଏହାକୁ ଏହା ଆହ୍ବାନ ବୋଲି ଗ୍ରହଣ କରି ଆରମ୍ଭ କଲା ଅପରେସନ୍। ଆଇବି ଏହି କ୍ଷେତ୍ରରେ ଜମାତିଙ୍କ ଦ୍ଵାରା ବ୍ୟବହାର କରାଯାଇଥିବା ମୋବାଇଲ୍ ଫୋନକୁ ସେମାନଙ୍କ ବିବରଣୀ ସଂଗ୍ରହ ପାଇଁ ବ୍ୟବହାର କରିବା ଆରମ୍ଭ କଲା। ଏଥିରେ ଟେଲିଫୋନ୍ ଅପରେଟର ମାନେ ଯଥେଷ୍ଟ ସହାୟକ ହୋଇ ଆବଶ୍ୟକ ସୂଚନା ପ୍ରଦାନ କଲେ।
ପ୍ରଥମତଃ ନିଜାମୁଦ୍ଦିନ୍ ଅଞ୍ଚଳରେ ରହିଥିବା ଟେଲିଫୋନ୍ ଟାୱାରଗୁଡ଼ିକ ଏହି ସମୟରେ କେଉଁ ନମ୍ବରଗୁଡ଼ିକରୁ କଲ୍ ସଂଗ୍ରହ ବା ପ୍ରଦାନ କରିଛନ୍ତି ସେ ବିଷୟକୁ ଯାଞ୍ଚ କରାଗଲା। ମାର୍ଚ ୧୪ରୁ ମାର୍ଚ ୨୨ ମଧ୍ୟରେ ମିଳିଥିବା ଏହି ସୂଚନାକୁ ଆଧାର କରି ଯେଉଁ ତଥ୍ୟ ଆଇବି ପ୍ରସ୍ତୁତ କଲା ତାହା ସାରା ଦେଶକୁ ସଂକ୍ରମଣ କରିବାର ଏକ ଶକ୍ତ ଆଶଙ୍କା ସୃଷ୍ଟି କଲା। ଏହାକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ମୋଦି ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା କଲେ। ଯିଏ ଯେଉଁଠି ତାଙ୍କୁ ସେଇଠି ଅଟକିବାକୁ ପରାମର୍ଶ ଦେଲେ। କିନ୍ତୁ ଏ ଭିତରେ ପ୍ରାୟ ୧୫୦୦ ଜମାତି ବିଭିନ୍ନ ରାଜ୍ୟକୁ ଚାଲି ଯାଇଥିବାର ସୂଚନା ମିଳିବାରୁ ୨୩ ତାରିଖ ଦିନ ସମସ୍ତ ରାଜ୍ୟମାନଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ ଜମାତିମାନଙ୍କ ନାଁ, ଫୋନ୍ ନମ୍ବର ଓ ଠିକଣା ଦିଆଯାଇ ଅବଗତ କରାଗଲା ଯେ, ଦେଶର ବିଭିନ୍ନ ପ୍ରାନ୍ତରେ ଏମାନେ ଥିବାରୁ କରୋନା ସଂକ୍ରମର ବାହକ ହୋଇପାରନ୍ତି। ଏଣୁ ତୁରନ୍ତ ସେମାନଙ୍କ ଏକାନ୍ତୀକରଣ ଓ ପରୀକ୍ଷଣପାଇଁ ପରାମର୍ଶ ଦେଲେ। ରାଜ୍ୟ ସରକାରମାନେ ଏ ଆଶଙ୍କା ଦେଖିବା ପରେ ନିଜ ନିଜ ରାଜ୍ୟରେ ପୁଲିସ ଅଧିକାରୀ ଓ ଗୁଇନ୍ଦାଙ୍କୁ ବ୍ୟବହାର କରି ସେମାନଙ୍କୁ ତୁରନ୍ତ ଏକାନ୍ତବାସରେ ପଠାଇବାକୁ ନିର୍ଦେଶ ଦେଲେ।
ପୁଣି ଗୁଇନ୍ଦା ବିଭାଗର ତଥ୍ୟ ରହିଥିଲା ଯେ, ଜମାତିମାନଙ୍କ ଭିତରୁ ଆହୁରି ଏକ ହଜାର ମର୍କାଜ୍ ଭିତରେ ଏକ ଛ’ମହଲା କୋଠାରେ ଅବସ୍ଥାନ କରୁଛନ୍ତି। ନିଜାମୁଦ୍ଦିନ ଭଳି ଏକ ଜନଗହଳି ଅଞ୍ଚଳରେ ଏତେ ସଂଖ୍ୟାରେ ସଂକ୍ରମିତ ଆଶଙ୍କା ଥିବା ଜମାତିଙ୍କ ରହିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲା। ଏହା ପରେ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସଂକ୍ରମଣ ରୋଗ ବିଶେଷଜ୍ଞମାନେ ଏହି ଜମାତିମାନଙ୍କ ପରୀକ୍ଷଣ ପାଇଁ ପରାମର୍ଶ ଦେବାରୁ ଏହା ଅତ୍ୟାବଶ୍ୟକ ହୋଇପଡ଼ିଥିଲା। ଗୁଇନ୍ଦା ଓ ଦିଲ୍ଲୀ ପୁଲିସର କଡ଼ା ନିରାପତ୍ତା ଭିତରେ ଏଠାରେ ଜମାତିଙ୍କ ପରୀକ୍ଷଣ ଓ ସେମାନଙ୍କ ଏକାନ୍ତୀକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏଥିରେ ମର୍କାଜ୍ କର୍ତ୍ତୃପକ୍ଷ ସହଯୋଗ କରି ନଥିଲେ। ସରକାରଙ୍କ ଆଦେଶ ଅନୁସାେରେ ସେମାନେ ସେହି ଜାଗାରେ ଅଟକିଛନ୍ତି ବୋଲି କହିଥିଲେ। ଏହି ଘଟଣାରେ ଶେଷକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ପରେ ଦିଲ୍ଲୀପୁଲିସ ଓ ଅଜିତଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଦ୍ଵାରା ମର୍କାଜ୍କୁ ଖାଲି କରାଯାଇ ସେମାନଙ୍କ ପରୀକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିଲା।
ମାତ୍ର ତିନି ଦିନ ଭିତରେ ଗୁଇନ୍ଦା ବିଭାଗ ଦ୍ଵାରା ହୋଇଥିବା ଏହି ସଫଳ ଅପରେସନ୍ ଯୋଗୁ କରୋନା ସଂକ୍ରମଣ ଆଶଙ୍କାକୁ ଦେଶରେ ରୋକ୍ ଲଗାଯାଇପାରିଥିଲା। ପରୋକ୍ଷରେ କହିବାକୁ ଗଲେ ଗୁଇନ୍ଦା ବିଭାଗର ସଫଳତା ଭାରତରେ ଏକ ସୁପର ସ୍ପ୍ରେଡରକୁ ନିୟନ୍ତ୍ରଣ କରିପାରିଥିଲା। ଏହାପରେ ମାର୍ଚ ୨୪ରୁ ଦେଶ ସାରା ଲକ୍ଡାଉନ୍ ଘୋଷଣା କରାଗଲା। ସମସ୍ତ ଯିବା ଆସିବାକୁ ବାରଣ କରାଗଲା। ଆଉ ରାଜ୍ୟ ସରକାରମାନେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟ କରି ବିଭିନ୍ନ ରାଜ୍ୟରେ ଜମାତିଙ୍କୁ ଠାବ କରିଥିଲେ। ଫଳରେ ଦେଶରେ କରୋନାକୁ ରୋକା ଯାଇପାରିଥିଲା।
ଶେଷକଥା
ଦେଶର ସୁରକ୍ଷା, ଆଇନ ଶୃଙ୍ଖଳା ବାବଦରେ ଗୁଇନ୍ଦା ଅନେକ କାର୍ଯ୍ୟ କରିଥାଏ। ସରକାରଙ୍କୁ ଆଭ୍ୟନ୍ତରୀଣ ଗୋପନ ତଥ୍ୟ ଯୋଗାଇ ଶାସନକୁ ମଜଭୁତ କରିଥାଏ। ହେଲେ ଏପରି ଏକ ମିଶନ ସମ୍ପୂଣ୍ଣ ନୂଆ ଥିଲା। ହେଲେ ଗୁଇନ୍ଦାର ଏହି କାର୍ଯ୍ୟ ନିହାତି ଭାବେ ଦେଶକୁ ଏକ ଅପ୍ରତ୍ୟାଶିତ ସଙ୍କଟରୁ ରକ୍ଷା କରିପାରିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
(ଆଉଟ୍ଲୁକ୍, ଇଣ୍ଡିଆ ଟୁଡେ, ୱିକି ପିଡିଆ ତଥ୍ୟକୁ ଭିତ୍ତିକରି ଏହି ସନ୍ଦର୍ଭ ପ୍ରସ୍ତୁତ)।
ଅଧିକ ଖବର ପାଇଁ ପଢ଼ୁଥାଆନ୍ତୁ ଓଡ଼ିଶା ଟାଇମ୍।