ଗରମ ଚାହା ପିଇଲେ ହୋଇପାରେ କ୍ୟାନ୍ସର୍, କେବଳ ୪ ମିନିଟ୍ ବଂଚାଇବ ଆପଣଙ୍କ ଜୀବନ
ନିଦରୁ ଉଠିବା ପରେ ଯଦି ଗରମ ଓ କଡ଼ା ଚାହା ଟିକେ ମିଳିଯାଏ, ତାହେଲେ ପୁରା ଦିନ ସତେଜଭରା ଓ ଭଲରେ କଟିଥାଏ । ଚାହାର ସୌକିନ୍ ବ୍ୟକ୍ତିମାନେ ଏଭଳି ହିଁ ଚିନ୍ତା କରିଥାନ୍ତି । ଚାହାରେ ଥିବା କୈଫିନ୍ ଶରୀର ପାଇଁ ଲାଭପ୍ରଦ । କିନ୍ତୁ ଆପଣ ଜାଣିଛନ୍ତି କି ଗରମ ଚାହା ପିଇବା ଦ୍ୱାରା ‘ଇସୋଫେଗଲ୍’ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଇଥାଏ । ନିକଟରେ ହୋଇଥିବା ଏକ ସ୍ୱାସ୍ଥ୍ୟଭିତିକ ପରୀକ୍ଷଣରୁ ଏହା ଜଣାପଡ଼ିଛି । ଇସୋଫେଗଲ୍ କ୍ୟାନ୍ସର ତାଲିକାରେ ଭାରତ ୬ଷ୍ଠ ସ୍ଥାନରେ ଅଛି । ପରୀକ୍ଷଣରୁ ଜଣାଯାଇଛି ଯେ ୭୫ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ଗରମ ଥିବା ଚାହା ପିଇବା ଦ୍ୱାରା କ୍ୟାନ୍ସର୍ ଆଶଙ୍କା ଦେଖାଦିଏ ।
‘ଇଣ୍ଟରନେସନ୍ ଜର୍ନଲ୍ ଅଫ୍ କ୍ୟାନ୍ସର୍’ରେ ପ୍ରକାଶିତ ଏକ ତଥ୍ୟ ମୁତାବକ ୪୦ରୁ ୭୫ ବର୍ଷର ୫୦ ହଜାର ବ୍ୟକ୍ତିଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଅଧିକ ଗରମ ଚାହା ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନ୍ସର୍ ହେବାର ଆଶଙ୍କା ୯୦ ପ୍ରତିଶତ ବଢିଥିଲା । ଆମେରିକାନ୍ କ୍ୟାନ୍ସର୍ ସୋସାଇଟିର ଜଣେ ଗବେଷକଙ୍କ ମତାନୁଯାୟୀ ଏଥିରୁ ମୁକ୍ତି ପାଇବାକୁ ହେଲେ ଚାହାକୁ ମାତ୍ର ୪-୫ମିନିଟ୍ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଏହା ଆପଣଙ୍କ ଜୀବନ ବଂଚାଇବ । ସୂଚନାଯୋଗ୍ୟ ୨୦୧୬ରେ ମଧ୍ୟ ଏ ସମ୍ପର୍କିତ ଏକ ତଥ୍ୟ ପ୍ରକାଶ ପାଇଥିଲା । କେବଳ ଚାହା ନୁହେଁ ଅଧିକ ଗରମ ପାନୀୟ ପିଇବା ଦ୍ୱାରା ଫ୍ୟୁଲ୍କୋଲେନ୍ ଟ୍ୟୁମର୍ ହେବାର ଆଶଙ୍କା ଥାଏ ।