ନବୀନ ନିବାସର ଭିଡ଼ ଭିତରେ ମୁହଁ: ରାଉତ ଚରଣ ଲାଗୁରି

ନିର୍ବାଚନ ପାଇଁ ଆଶାୟୀ ହେବା ଆଉ ସେଇ ଆଶାୟୀଙ୍କ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଭିଡ଼ ଜମିବା କିଛି ନୂଆ କଥା ନୁହେଁ। ଗଲା କିଛିଦିନ ହେଲା ପରିସ୍ଥିତି ଏପରି ହୋଇଛଇ ଯେ, ଏୟାରପୋର୍ଟ ପାଖ ନବୀନ ନିବାସ ସମ୍ମୁଖରେ ସକାଳ ୧୦ରୁ ସନ୍ଧ୍ୟା ୮ଟାଯାଏ ଏକ ପ୍ରକାର ମେଳା ଜମୁଛି। ପାନ, ଚା’ ଠୁ ଆରମ୍ଭ କରି ବରା ପିଆଜି ଓ ଆଇସ୍‌କ୍ରିମ୍‌ ବେପାରୀଙ୍କ ଭିଡ଼ ଜମୁଛି। ସେଇ ଭିଡ଼ ଆହୁରି ଆଗ୍ରହ ହେଉଛନ୍ତି ଯେତେବେଳେ କୌଣସି ବ୍ୟକ୍ତି, ନେତା ବିଶେଷଙ୍କ ସମର୍ଥକ ଶୋଭାଯାତ୍ରାରେ ଆସି ନିଜ ସପକ୍ଷରେ କହୁଛନ୍ତି ବା ଆଉ କାହା ବିପକ୍ଷରେ ନାରାବାଜୀ କରୁଛନ୍ତି। ଏମିତି ଭିଡ଼ ଭିତରେ ଆଜି ସନ୍ଧ୍ୟାରେ ଏକ ମୁହଁକୁ ଓଡ଼ିଶାଟାଇମ୍‌ଡଟ୍‌କମ୍‌ ଟିମ୍‌ ଠାବ କରିଥିଲା।

ନାଁ ତାଙ୍କର ରାଉତ ଚରଣ ଲାଗୁଡ଼ି। ଘର ମୟୁରଭଞ୍ଜି ଜିଲ୍ଲା ଯଶିପୁର ନିର୍ବାଚନମଣ୍ଡଳୀର ମାଧିଆପସି ଗାଁ। ରିଜର୍ଭ ବ୍ୟାଙ୍କର ପରିଚାଳନାରେ ଦେଶର ବିଭିନ୍ନ ସହର ସମେତ ଭୁବନେଶ୍ଵର ଶାଖାରେ କାର୍ଯ୍ୟକରି ଅବସର ନେଇଛନ୍ତି। ଆଉ ଅବସର ନେବା ପରେ ସିଧା ମୁହାଁଇଛନ୍ତି ତାଙ୍କ ନିଜ ଗାଁକୁ। ଗାଁ ଲୋକଙ୍କ ସେବା କରିବା ପାଇଁ । ଲୋକ ବି ତାଙ୍କୁ ସମର୍ଥନ କରିଛନ୍ତି। ଆଉ ସେଥିଲାଗି ସେ ଅବସର ନେବାର ପର ବର୍ଷ ରରୁଆଁ ବ୍ଲକ୍‌ର ଚେୟାରମ୍ୟାନ୍‌ ଭାବେ ନିର୍ବାଚିତ ହୋଇ ୨୦୧୨ରୁ ୨୦୧୭ ଯାଏ କାର୍ଯ୍ୟ କରିଛନ୍ତି।

ଆପଣ କ’ଣ ଆଶାୟୀ?

ହଁ। ଅବସର ପରେ ଦଳର କର୍ମୀ ଭାବେ ଗାଁରେ କାର୍ଯ୍ୟ କରୁଛି। ବ୍ଲକ୍‌ ଚେୟାରମ୍ୟାନ୍‌ ହେବା ପରେ ଏବେ ଭାବୁଛି ବିଧାୟକ ହୋଇ ଆମ ଅଞ୍ଚଳବାସୀଙ୍କ ପାଇଁ ଅଧିକ କିଛଇ କରିପାରିବି। ମୁଁ ମୋତେ ଯୋଗ୍ୟ ବୋଲି ଭାବୁଛି, କିନ୍ତୁ ମୋ ଲାଗି ଭୁବନେଶ୍ଵରରେ ମୁଖିଆଙ୍କୁ କହିବାକୁ କେହି ନାହାନ୍ତି।

ଆବେଦନ କରିଛନ୍ତି?

ସଭାପତିଙ୍କ କାର୍ଯ୍ୟାଳୟରେ ମୋ ବାୟୋଡାଟା ଦେଇଛି। ହେଲେ କେବେ ଆସି ଭୁବନେଶ୍ଵରର ନେତାଙ୍କ ପାଖରେ ପହଞ୍ଚି ନାହିଁ। ମୁଁ ଭାବୁଛି ଯଦି ସଭାପତି ଓ ଚୟନ କମିଟିଙ୍କ ପାଖଷର ମୋ ବାୟୋଡାଟା ପହଞ୍ଚିଥିବ ତେବେ ସେମାନେ ମୋତେ ନିଶ୍ଚିତ ଗ୍ରହଣ କରିବେ।

କାହିଁକି?

ଅନେକ କାରଣ ରହିଛି। ମୁଖ୍ୟ ହେଉଛି ବିଜୟ ହେବାର ଦମ୍ଭ। ମୁଁ ହୋ ବା କୋହ୍ଲ ସମ୍ପ୍ରଦାୟର ପ୍ରାର୍ଥୀ। ଆମ ସମ୍ପ୍ରଦାୟର ୫୨ ହଜାର ଭୋଟ୍‌ ରହିଛି। ମୁଁ ଯଦି ପ୍ରାର୍ଥୀ ହୁଏ ତେବେ ସେମାନେ ମୋତେ ପସନ୍ଦ କରିବେ। ଭୋଟ୍‌ ଦେବେ। ପରୋକ୍ଷରେ ତାହା ପାର୍ଟିର ବିଜୟ ହେବ। ମୋ ସଙ୍ଗେ ହୋ ସମାଜ ଭୋଟ୍‌ ରହିଛି। ସେମାନେ ଲେଖିକରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

କିନ୍ତୁ ଆପଣଙ୍କ ସମ୍ପ୍ରଦାୟରୁ ତ ବିଜେପି ପ୍ରାର୍ଥୀ ଦେଇଛି?

ତାହା ମୋ ପାଇଁ ଆହୁରି ଫାଇଦା ଦେବେ। ଆଜି ଯାଏ ବିଜେଡି କେବେ ଆମ ସମ୍ପ୍ରଦାୟରୁ ପ୍ରାର୍ଥୀ ଦେଇ ନାହିଁ। ଯଦି ମୁଁ ପ୍ରାର୍ଥୀ ହୁଏ ତେବେ ବିଜେପି ପ୍ରାର୍ଥୀଙ୍କ ଆଡ଼କୁ ଯିବାକୁ ଥିବା ଆମ ଭୋଟ୍‌ ଅଂଶ ପୁଣି ବିଜେଡିରେ ହିଁ ରହିବ। ଏହା ଏକ ସମ୍ପ୍ରଦାୟର କଥା। ରାଜନୀତିରେ ଅନେକ ଗୁରୁତ୍ଵ ବହନ କରେ। ବିଜେପିର ପ୍ରାର୍ଥୀଙ୍କୁ ମୁକାବିଲା କରିବା ପାଇଁ ସମାନ ସମ୍ପ୍ରଦାୟର ପ୍ରାର୍ଥୀ ଆବଶ୍ୟକ। ତା’ଛଡ଼ା ସମୁଦାୟ ହୋ ସମାଜର ଭୋଟ୍‌ ମୋ ପକ୍ଷରେ ରହିଛି।

ଆପଣ ଏତେ ବିଳମ୍ବରେ କାହିଁକି ଆବେଦନ କରିଛନ୍ତି?

ମୁଁ ୨୦୧୧ ମସିହାରୁ ବିଜେଡିରେ ଅଛି। ଦଳର କର୍ମୀ ଭାବେ ମୋତେ କାମ କରିବାର ସୁଯୋଗ ମିଳୁଛି। ମୁଁ ୨୦୧୨-୨୦୧୭ ଯାଏ ବ୍ଲକ୍‌ ଚେୟାରମ୍ୟାନ ଥିଲି। ସେତେବେଳେର କାର୍ଯ୍ୟଧାରା ବାବଦରେ ଦଳର ନେତାମାନେ ଜାଣନ୍ତି। ଆଶା ସେମାନେ ମୋତେ ଗ୍ରହଣ କରିବେ।

ଅନେକ ଆଶାୟୀଙ୍କ ଭିତରୁ ଭରତ ନିରାଡ଼ମ୍ବର ଆଉ ସରଳ ମନେ ହେଉଥିଲେ। ଲାଗୁଥିଲା ଅଞ୍ଚଳର ଲୋକଙ୍କ ବାବଦରେ ସେ ବେଶ୍‌ ଅବଗତ। ଆଉ ରାଜନୀତିକ ଅଭିଜ୍ଞତା ସହ ସରକାରୀ କଳରେ କାର୍ଯ୍ୟ କରିବାର ଅନେକ ଅଭିଜ୍ଞତା ସେ ଧାରଣ କରିଛନ୍ତି। ହେଲେ ତାଙ୍କ ବିଷୟ ନବୀନ ନିବାସର ଶୀର୍ଷରେ କେତେ ପହଞ୍ଚିପାରୁଛଇ ତାହାକୁ ଅପେକ୍ଷା।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published.