ହିଟ୍ କପିଲ୍, ଫ୍ଲପ୍ ସୁନିଲ୍

ଭାଗ୍ୟ ଓ ସମୟ କିଭଳି ଭାବେ ଲୁଚକାଳି ଖେଳେ, ତାହା ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି ହାସ୍ୟାଭିନେତା କପିଲ୍ ଓ ସୁନିଲ୍‌ଙ୍କ କ୍ଷେତ୍ରରେ । ଛୋଟ ପରଦାର ଦୁଇ ହାସ୍ୟାଭିନେତା କପିଲ୍ ଶର୍ମା ଓ ସୁନିଲ୍ ଗ୍ରୋଭର୍ଙ୍କ ପାଇଁ ଏକଦା ଦର୍ଶକ ହସିହସି ବେଦମ୍ ହୋଇଯାଉଥିଲେ । ଏହାପରେ କପିଲ୍ ଓ ସୁନିଲ୍‌ଙ୍କ ବିବାଦୀୟ ସମୟ ଆସି ପହଞ୍ଚିଥିଲା । କପିଲ୍ ଏକାକୀ ତାଙ୍କର ଶୋ’କୁ ପ୍ରଦର୍ଶିତ କରିଥିଲେ । ଯାହାକି ସମ୍ପୂର୍ଣ୍ଣଭାବେ ବିଫଳ ହୋଇଥିଲା । ଏହାକୁ ଟକ୍କର୍ ଦେବାକୁ ଯାଇ ସୁନିଲ୍ ଆଉ ଏକ ଶୋ’ ‘କାନ୍ପୁର୍ ୱାଲେ ଖୁରାନାଜ୍’ ଲଂଚ କରିଥିଲେ । ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ହେବା ସହ ସୁପର୍ହିଟ୍ ଶୋ’ ତାଲିକାରେ ମଧ୍ୟ ସାମିଲ୍ ହୋଇଥିଲା । କିନ୍ତୁ ଏବେ ଏହି ଶୋ’ ବନ୍ଦ ହେବ ବୋଲି ଖବର ମିଳିଛି ।

ଏଭଳି ଏକ ସମୟରେ କପିଲ୍‌ଙ୍କ ଶୋ’ ‘ଦ କପିଲ୍ ଶର୍ମା ଶୋ’ର ପ୍ରଥମ ଅଧ୍ୟାୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହାର ଡିମାଣ୍ଡ୍ ରହିବ । କପିଲ୍ ଇନ୍ ହେବାରୁ ସୁନିଲ୍ ଆଉଟ୍ ହୋଇଥାଇପାରନ୍ତି ବୋଲି ଟେଲି ଦୁନିଆର ପ୍ରଶଂସକମାନେ ଚର୍ଚ୍ଚା କରୁଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣଭାବେ ମନଗଢ଼ା ବୋଲି କୁହାଯାଇଛି । ଏ ସମ୍ପର୍କରେ ସୁନିଲ୍ କହିଛନ୍ତି ଯେ ସେ ପୂର୍ବରୁ ହିଁ କେବଳ କିଛି ହାତଗଣତି ଏପିସୋଡ୍ ପାଇଁ ସାଇନ୍ କରିଥିଲେ । କାରଣ ସଲ୍ଲୁଙ୍କ ଫିଲ୍ମ ‘ଭାରତ’ର ସୁଟିଂ ୯ ତାରିଖରୁ ଆରମ୍ଭ ହୋଇଛି । ତେଣୁ ସେ ସୁଟିଂ ପୂର୍ବରୁ ଶୋ’ର ଏପିସୋଡ୍ ପାଇଁ ସାଇନ୍ କରିଥିଲେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ସୁନିଲ୍ କହିଛନ୍ତି ଯେ ଶୋ’ର ପ୍ରେସ୍ ମିଟିଙ୍ଗ୍ ଓ ପ୍ରମୋସନାଲ୍ ଇଭେଣ୍ଟରେ ମଧ୍ୟ ସେ ଏକଥା ପୂର୍ବରୁ ସମସ୍ତଙ୍କୁ ଜଣାଇ ଦେଇଥିଲେ । ତେବେ କାରଣ ଯାହା କିଛି ହେଉ ନା କାହିଁକି ସୁନିଲ୍ଙ୍କ ପ୍ରଶଂସକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଃଖଦ ଖବର ।

Leave a Reply

Your email address will not be published.