ହିନା ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର
ଟେଲି ଦୁନିଆର ଲୋକପ୍ରିୟ ନାୟିକା ହିନା ଖାନ୍ ଚଳିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍ରେ ନିଜ ଜଲୱା ଦେଖାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକ ମହଲରେ ଖୁସିର ଠିକଣା ନଥିଲା । ଏବେ ଏହି ଖୁସିକୁ ଦ୍ୱିଗୁଣିତ କରିଛି ଆଉ ଏକ ଜବରଦସ୍ତ ଖବର । ହିନା ଖୁବ୍ ଶୀଘ୍ର ବଡ଼ ପରଦାରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ହିନାଙ୍କ ଡେବ୍ୟୁ ଫିଲ୍ମ ଲାଇନ୍ସର ଫାଷ୍ଟ୍ ପୋଷ୍ଟର୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଛି । ଫେଷ୍ଟିଭାଲ୍ର ଦ୍ୱିତୀୟ ଦିନରେ ହିନା ରେଡ୍ କାର୍ପେଟର ଶୋଭା ବଢାଇଥିଲେ ଏବଂ ତା’ ସହିତ ଲାଇନ୍ସର ପୋଷ୍ଟର୍ ପ୍ରଦର୍ଶିତ କରାଯାଇଥିଲା ।
ଏଭଳି ଏକ ଅଭୁଲା ମୁହୂର୍ତ୍ତକୁ ହିନା ସୋସିଆଲ୍ ମିଡିଆରେ ସେୟାର୍ କରିବା ସହିତ ପ୍ରଶଂସକଙ୍କଠାରୁ ମିଳିଥିବା ଅନେକ ଭଲପାଇବା ଓ ଉତ୍ସାହ ପ୍ରତି କୃତଜ୍ଞତା ଜଣାଇଛନ୍ତି । ପୋଷ୍ଟରରେ ହିନାଙ୍କୁ ଏକ ନିଆରା ଲୁକରେ ଦେଖିବାକୁ ମିଳିଛି । ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ପୋଷ୍ଟରରେ ହିନା ମଥାରେ ଏକ ବଡ଼ ପାରମ୍ପରିକ ମଥାଟିକା ଲଗାଇଛନ୍ତି । ଭାରତ ଓ ପାକିସ୍ତାନର ନକ୍ସା ମଧ୍ୟ ବ୍ୟାକଗ୍ରାଉଣ୍ଡ୍ ଭାବେ ଅଛି । ଫିଲ୍ମର କାହାଣୀ ଭାରତ ପାକିସ୍ତାନ ବୋର୍ଡ଼ର୍ ଲାଇନକୁ ନେଇ ରଚନା କରାଯାଇଥିବାର ସୂଚନା ମିଳିଛି । ହିନାଙ୍କ ପ୍ରଶଂସକ ତାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି ।