୮ ବର୍ଷ ପରେ ଟୋପି ପିନ୍ଧିଲେ ହିମେଶ୍
ବଲିଉଡର ଲୋକପ୍ରିୟ ସିଙ୍ଗର୍ ହିମେଶ୍ ରେସମିୟା ଇନଷ୍ଟଗ୍ରାମରେ କିଛି ଅପଲୋଡ୍ କରିଥିଲେ । ସେହିସବୁ ଫଟୋରେ ଦୀର୍ଘ ୮ ବର୍ଷ ପରେ ହିମେଶ୍ ରେସମିୟାଙ୍କ ଟୋପି ପିନ୍ଧା ଲୁକ୍ ସାମନାକୁ ଆସିଛି । ପ୍ରଶଂସକମାନେ ହିମେଶଙ୍କ ଏହି ପୁରୁଣା ଲୁକ୍ ଦେଖିବା ପରେ ବେଶ୍ ଖୁସି ଜଣାପଡ଼ୁଛନ୍ତି । ହିମେଶ୍ ତାଙ୍କର ଏହି ପୁରୁଣା ଷ୍ଟାଇଲକୁ ଆପଣାଇବା ପଛରେ ଏକ କାରଣ ରହିଛି । ତେବେ କାରଣଟି ହେଉଛି ଆଗାମୀ ଫିଲ୍ମ ‘ହାପ୍ପି ହାର୍ଡ଼ି ଆଣ୍ଡ୍ ହିର୍’ରେ ଥିବା ଗୀତ ‘ତେରି ମେରି କାହାନୀ…’ର ରିମିକ୍ସ ଏବଂ ତାହାର ପ୍ରମୋସନ୍ ପାଇଁ ସେ ଟୋପି ଲୁକରେ ନଜର ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଆସନ୍ତା ଡିସେମ୍ବର ମାସ ୨୭ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । ଏଥିରେ ଆଉ ଏକ ଗୀତ ‘ଆଶିକି ମେ ତେରି…’ର ରିମିକ୍ସ ମଧ୍ୟ ଶୁଣିବାକୁ ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ମଧ୍ୟ ହିମେଶଙ୍କ ଏହି ପୋଷ୍ଟକୁ ସେୟାର୍ କରିବା ସହ କହିଛନ୍ତି ଯେ – ଏହାର ପ୍ରମୋସନ୍ ପାଇଁ ହିମେଶ୍ ୧୨ଟି ସହର ଟ୍ରାଭେଲ୍ କରିବା ସହ ସେଠାରେ ମ୍ୟୁଜିକ୍ କନସର୍ଟର ଆୟୋଜନ କରି ‘ହାପ୍ପି ହାର୍ଡ଼ି ଆଣ୍ଡ୍ ହିର୍’ର ପ୍ରମୋସନ୍ କରିବେ ।