୬ କମ୍ପାନୀର ପୁଞ୍ଜିରେ ଉଲ୍ଲେଖନୀୟ ବୃଦ୍ଧି
ମୁମ୍ବାଇ: କିଛିଦିନ ହେଲା ଭାରତୀୟ ଶେୟାର ବଜାର ଉତ୍ସାହିତ ରହିଥିଲା ବେଳେ ବିଭିନ୍ନ କମ୍ପାନୀରେ ଘରୋଇ ଏବଂ ବିଦେଶୀ ନିବେଶକାରୀଙ୍କ ଦ୍ୱାରା ପୁଞ୍ଜି ନିବେଶ ବୃଦ୍ଧି ପାଇଛି । ଏହିକ୍ରମରେ ବିଗତ ସପ୍ତାହରେ ଦେଶର ପ୍ରମୁଖ ୧୦ଟି କମ୍ପାନୀଙ୍କ ମଧ୍ୟରୁ ୬ଟି କମ୍ପାନୀର ବଜାରପୁଞ୍ଜି ସ୍ଥିତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ,ଟିସିଏସ୍, ହିନ୍ଦୁସ୍ତାନ ୟୁନିଲିଭର, ଇନ୍ଫୋସିସ୍, କୋଟକ୍ ମହିନ୍ଦ୍ରା ଏବଂ ଆଇଟିସି ଭଳି କମ୍ପାନୀର ବଜାର ପୁଞ୍ଜିରେ ମୋଟ ୬୨,୭୭୨.୯୫ କୋଟି ଟଙ୍କା ବୃଦ୍ଧି ଘଟିଥିବା ବେଳେ ଏଗୁଡିକ ମଧ୍ୟରୁ ରିଲାଏନ୍ସ ଏବଂ ହିନ୍ଦୁସ୍ତାନ ୟୁନିଲିଭର ସର୍ବାଧିକ ଭାବେ ଲାଭବାନ ହୋଇଥିବା ଜଣାପଡ଼ିଛି । ତେବେ ଏହି ସପ୍ତାହରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ଆଦି କମ୍ପାନୀର କ୍ଷତି ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ୟୁନିଲିଭରର ବଜାର ପୁଞ୍ଜିରେ ୨୨,୮୨୭.୯୪ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ପୁଞ୍ଜି ପରିମାଣ ୪,୪୫,୭୭୮.୧୦ କୋଟିରେ ପହଞ୍ଚିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୨୦,୮୯୦.୫୮ କୋଟି ବୃଦ୍ଧିରେ ମୋଟ ବଜାର ପୁଞ୍ଜି ପରିମାଣ ୧୦,୦୨,୦୦୯.୧୧ କୋଟି ଟଙ୍କା ଛୁଇଁଛି । ସେହିପରି ଇନ୍ଫୋସିସ୍ର ୧୨,୬୦୫.୫୭ କୋଟି ଟଙ୍କା ବୃଦ୍ଧିରେ ବଜାର ପୁଞ୍ଜି ୩,୨୬,୯୯୯.୩୯ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ୨,୫୯୯ କୋଟି ଟଙ୍କା ବୃଦ୍ଧିରେ ମୋଟ ବଜାର ପୁଞ୍ଜି ପରିମାଣ ୩,୨୪,୪୫୫.୫୧ କୋଟି ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଇଟିସିର ବଜାର ପୁଞ୍ଜି ପରିମାଣ ୨୨୭୩.୮୬ କୋଟି ଟଙ୍କା ବୃଦ୍ଧି ପାଇ ଏହାର ମୋଟ ପରିମାଣ ୨,୯୪,୮୦୨.୬୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଟାଟା କନସଲଟାନ୍ସି ସର୍ଭିସେସ୍ର ୧୫୭୬ କୋଟି ଟଙ୍କା ବୃଦ୍ଧିରେ ମୋଟ ବଜାର ପୁଞ୍ଜି ୮,୩୨,୨୯୭.୬୯ କୋଟି ଟଙ୍କାରେ ପହଞ୍ଚିଛି । ତେବେ କ୍ଷତି ଘଟିଥିବା କମ୍ପାନୀମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କାର ବଜାର ପୁଞ୍ଜିରେ ୧୨,୭୧୭.୬ କୋଟି ଟଙ୍କା ହ୍ରାସ ଘଟି ଏହାର ମୋଟ ପୁଞ୍ଜି ପରିମାଣ ୨.୮୩,୮୦୨.୬୫ କୋଟି ଟଙ୍କାକୁ ହ୍ରାସ ପାଇଛି । ସେହପରି ଆଇସିଆଇସିଆଇ ବ୍ୟାଙ୍କର ୬୦୪୦.୮୩ କୋଟି ଟଙ୍କା ହ୍ରାସରେ ୩,୪୩,୪୭୭.୦୬ କୋଟି ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ୨୯୩୦.୨୧ କୋଟି ହ୍ରାସରେ ଏହାର ମୋଟ ବଜାର ପୁଞ୍ଜି ପରିମାଣ ୬,୯୯,୮୮୧.୯୦ କୋଟି ଟଙ୍କାକୁ ହ୍ରାସ ପାଇଥିବା କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଗତ ଦିନରେ ଉଲ୍ଲେଖନୀୟ ବ୍ୟବସାୟିକ ସଫଳତା ହାସଲ କରିବା ସହ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ସର୍ବାଧିକ ଲାଭ କରିବା କ୍ଷେତ୍ରରେ ଭାରତୀୟ ଘରୋଇ ଉଦ୍ୟୋଗ କ୍ଷେତ୍ରର ପ୍ରଥମ କମ୍ପାନୀ ଭାବେ ପ୍ରତିଷ୍ଠାଲାଭ କରିଛି । ଏହି ସମୟରେ କମ୍ପାନୀ ମୋଟ ୧୧,୬୪୦ କୋଟି ଟଙ୍କା ଲାଭ କରିଥିବା ବେଳେ ଏହାକୁ ନେଇ କମ୍ପାନୀର ଶେୟାର କାରବାର ମଧ୍ୟ ଉତ୍ତମ ରହି ଆସିଛି ।