ଶ୍ରୀକ୍ଷେତ୍ରରୁ ଶ୍ରୀଲିଙ୍ଗରାଜ, ଧଉଳିରୁ ଖଣ୍ଡଗିରି… ସବୁଠି କଡ଼ା କଟକଣା

ଭୁବନେଶ୍ଵର,ପୁରୀ (ଓଟି): ରାଜ୍ୟ ବିପର୍ଯ୍ୟୟ ଘୋଷିତ ମହାମାରୀ କରୋନା ଆତଙ୍କ ପାଇଁ ସବୁଠି କଟକଣା ଲାଗୁ ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଭିନ୍ନ ପର୍ଯ୍ୟଟନସ୍ଥଳ ସମେତ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନରେ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ଵ ପ୍ରସିଦ୍ଧି ଶ୍ରୀକ୍ଷେତ୍ରରୁ ଭୁବନେଶ୍ଵର ଲିଙ୍ଗରାଜ ଏବଂ ଧଉଳିରୁ ଖଣ୍ଡଗିରି-ଉଦୟଗିରି ଆଦି ସବୁଠି କଡ଼ା କଟକଣା ଜାରି କରାଯାଇଛି।

ସୂଚନା ଅନୁସାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସୁରକ୍ଷିତ ପୂଜା ଏବଂ ଦର୍ଶନ ବ୍ୟବସ୍ଥା ପାଇଁ  ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସମେତ କୌଣସି ଦେବାଦେବୀ, ବାହନଙ୍କ ମୂର୍ତ୍ତି କିମ୍ବା ଅନ୍ୟବସ୍ତୁକୁ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି। କରୋନା ସତର୍କତା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏସପି, ପ୍ରାଶାସନିକ ଅଧିକାରୀ, ନୀତି ପ୍ରଶାସକ ଓ ସେବାୟତ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏଥିସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବାବେଳେ ସେବାୟତଙ୍କ ପାଇଁ କୋହଳ ରହିଛି। ଅନ୍ୟପକ୍ଷରେ ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଗହଳି ହେବାକୁ ଦିଆଯିବନି। ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁଙ୍କୁ ଜଗମୋହନ ଭିତରକୁ ଛଡ଼ାଯିବ। ଏପରିକି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା କରାଯିବାକୁ ଥିବାବଳେ ନିର୍ଦ୍ଧାରିତ ଫର୍ମରେ ନିଜସ୍ଵ ଘୋଷଣା ଦେବା ବାଧ୍ୟତାମୂଳକ ହୋଇଛି।

ଅନୁରୂପ ଭାବେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଉଥିବା ପର୍ଯ୍ୟଟକ ଓ ସେବାୟତଙ୍କୁ ସତର୍କ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ। ମନ୍ଦିର ଭିତରେ ସାନିଟାଇଜର ବ୍ୟବହାର କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଖାଲି ସେତିକି ନୁହେଁ ଖଣ୍ଡଗିରି, ଉଦୟଗିରି ଓ ଧଉଳିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି। ରବିବାରଠୁ ଧଉଳି ପର୍ଯ୍ୟଟନସ୍ଥଳର ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ସକାଳେ ଆସିଥିବା ପର୍ଯ୍ୟଟକଙ୍କୁ ଧଉଳି ଟୁରିଷ୍ଟ ପୁଲିସ୍ ଶାନ୍ତି ସ୍ତୁପ ପରିସରରୁ ଖାଲି କରାଇଥିଲେ। ସେହିପରି ଖଣ୍ଡଗିରି ଓ ଉଦୟଗିରି ମଧ୍ୟ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *