ବିଜେଡିରେ ଯୋଗ ଦେଲେ ହେମାନନ୍ଦଙ୍କ ଝିଅ ସୁନୀତା

କଂଗ୍ରେସ ନେତାଙ୍କ ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ଆଦିବାସୀ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ। ଶନିବାର ସେ ବିଜୁ ଜନତା ଦଳ ( ବିଜେଡି)ରେ ସାମିଲ୍‌ ହୋଇଛନ୍ତି। ଏହା ପୂର୍ବରୁ ସେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ଝାରସୁଗୁଡ଼ାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ସୁନୀତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଦ୍ୟଭାବେ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସର ପୂର୍ବତନ ବିଧାୟକ ନବ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି।

ଏହା ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀର ସାଗର ବିଶ୍ଵାଳ ଏବଂ ବିହାରୀ ବିଶ୍ଵାଳ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଶ୍ଵାଳ ପରିବାରର ଏହିପରି ଦଳ ଡିଆଁ ସ୍ପଷ୍ଟ କରୁଛି ଯେ, ତାଘଙ୍କ ମତରେ ଦଳର ସ୍ଥିତି ରାଜ୍ୟରେ ଭଲ ନାହିଁ। ଅର୍ଥାତ୍‌ ଏଠାରେ ସେମାନେ ଆଉ ଭବିଷ୍ୟତର ସ୍ଵପ୍ନ ଦେଖିପାରୁନାହାନ୍ତି।

ଗତ ଜାନୁଆରିରେ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ନବ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଝାରସୁଗୁଡ଼ା କଂଗ୍ରେସର ମଙ୍ଗ ଧରିବାକୁ ଶ୍ରୀ ବିଶ୍ବାଳ ଆ‌ଗଭର ହୋଇଥିଲେ। ନିକଟରେ ସେ ତାଙ୍କ ଝିଅକୁ କଂଗ୍ରେସ ଟିକେଟ ଦେବା ପାଇଁ ଆବେଦନ ମଧ୍ୟ କରିଥିଲେ। ସୁନ୍ଦରଗଡ଼ରେ ସୁନିତାଙ୍କୁ କଂଗ୍ରେସ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ହଠାତ୍‌ ସୁନିତା କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ପଛରେ କାହା ଭୂମିକା ରହିଛି ତାହା ଆଲୋଚନାର ବିଷୟ ହୋଇଛି।

ବିଜେଡି ସୁନିତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଥିବା ଆଲୋଚନା ହେଉଛି। ଏହାକୁ ଖୋଦ୍‌ ସୁନିତା‌ ମଧ୍ୟ ଅସ୍ବୀକାର କରିନାହାନ୍ତି। ଆମ ସୁନ୍ଦରଗଡ଼ ପ୍ରତିନିଧି ଚର୍ଚ୍ଚା ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ, ‘‘ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହୁଏ, ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ଆଗ ଜଣାଇବି, ତେବେ ଚର୍ଚ୍ଚା‌ରେ କିଛି କଥା ତ ନିଶ୍ଚୟ ରହିଛି’’ ବୋଲି କହିଥିଲେ।

ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ସୁନିତା କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ। କିନ୍ତୁ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନାମ ଲୋକସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ହୋଇଥିବା ବେଳେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ସୁପାରିସ କରାଯାଇଥିଲା, କିନ୍ତୁ ଏଥିରେ ସୁନିତା କୁଆଡ଼େ ଅଖୁସି ଥିଲେ। ଏଥିପାଇଁ ସେ ବିଜେଡିକୁ ଯିବାକୁ ମନ ବଳାଇଥିବା କୁହାଯାଉଛି।

୨୦୧୯ ନିର୍ବାଚନରେ ବିଜେପି ଜୁଏଲ ଓରାମ ଓ କଂଗ୍ରେସ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ବିଜେଡି ସୁନ୍ଦରଗଡ଼ ଭୋଟ ରାଜନୀତିକୁ କିଛି ମାତ୍ରାରେ ପ୍ରଭାବିତ କରୁଥିବା ଭୂୟାଁ ପ୍ରାର୍ଥୀ ସନ୍ଧାନରେ ଥିଲା। ଠିକ୍‌ ଏହି ସମୟରେ ଭୂୟାଁ ସମ୍ପ୍ରଦାୟର ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ କିଛି ଦିନ ଧରି ଚର୍ଚ୍ଚାରେ ରହିବା ପରେ ବିଜେଡିରେ ଯୋଗ ଦେବେନାହିଁ ବୋଲି ସେ ସିଧାସଳଖ କହିଥିଲେ। ଏହା ପରେ ଶାସକ ବିଜେଡି ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ଦଳ ଲୋକସଭା ଟିକଟରୁ ବଞ୍ଚିତ କରିଥିବା ସୁନିତାଙ୍କୁ ପ୍ରାର୍ଥୀ କରି ଏକା ସାଙ୍ଗରେ ଭୂୟାଁ ଓ ମହିଳା କାର୍ଡ ଖେଳିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଯଦି ସୁନିତା ବିଜେଡିରେ ଯୋଗ ଦେଇ ସିଧାସଳଖ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦଙ୍କ ଭୂମିକା କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବିଜେଡିରେ ସୁନିତାଙ୍କ ସମ୍ଭାବ୍ୟ ଯୋଗଦାନକୁ ଦଳର କର୍ମୀମାନେ କେମିତି ଗ୍ରହଣ କରିବେ ତା’ ଉପ‌ରେ ସମସ୍ତଙ୍କର ନଜର।

ମୁଁ କଂଗ୍ରେସ ପାଇଁ, ଝିଅ ବିଜେଡି ପାଇଁ ପ୍ରଚାର କରିବ

ଝିଅର ବିଜେଡ଼ିରେ ଯୋଗଦାନକୁ ନେଇ ହେମାନନ୍ଦ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ଛୋଟ ପିଲାନୁହେଁ ଯେ, ସେ ମୋର ପରାମର୍ଶ ନେବ । ବିଜେଡ଼ିରେ ଯୋଗଦାନ ନିଷ୍ପତି ସମ୍ପୂର୍ଣ୍ଣ ଭାବେ ତା’ର ନିଜସ୍ୱ । ତେବେ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି ଓ ଝିଅ ବିଜେଡ଼ି ପାଇଁ ପ୍ରଚାର କରିବ ବୋଲି ହେମାନନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *