ଅଭିନବ ଢଙ୍ଗରେ ହେଲମେଟ୍ ସଚେତନତା
ଭୁବନେଶ୍ୱର, (ଓଟି): ସାରା ଦେଶରେ ନୂଆ ଟ୍ରାଫିକ ଆଇନକୁ ନେଇ ଚର୍ଚ୍ଚା ଓ ଧରପଗଡ ଚାଲିଥିବା ବେଳେ ପିପିଲିରେ ଛାତ୍ରାଛାତ୍ରୀମାନେ ଏହାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ମା’ ମଙ୍ଗଳା ଇଂରାଜୀ ମିଡିୟମ୍ ସ୍କୁଲର ଅଷ୍ଟାଦଶ ବାର୍ଷିକ କ୍ରୀଡ଼ା ଉତ୍ସବରେ ଏପରି କିଛି ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ହେଲମେଟ୍ ପିନ୍ଧିବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ସ୍କୁଲର ଛାତ୍ରୀମାନେ ଖେଳପଡିଆରେ ଏକ ଗାଡି ଆକୃତିର ପିରାମିଡ୍ ପ୍ରସ୍ତୁତ କରିଥିଲେ । ତା ଉପରେ ଜଣେ ଛାତ୍ରୀ ହେଲମେଟ୍ ପିନ୍ଧି ବସି ଗାଡି ଚଲାଇବା ଭଳି ଦେଖାଯାଉଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଏଭଳି କାର୍ଯ୍ୟକ୍ରମକୁ ସେଠାରେ ଥିବା ଦର୍ଶକ ଓ ଅଭିଭାବକମାନେ ବେଶ୍ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ଅନେକ ଚିତାକର୍ଷକ ପିରାମିଡ୍ ମାଧ୍ୟମରେ ଛାତ୍ରଶକ୍ତିର ପରିଚୟ ଦେ
ଇଥିଲେ । ଏହି ବାର୍ଷିକ କ୍ରିଡା ମହୋତ୍ସବକୁ ଉଦଘାଟନ କରିଥିଲେ ଉକ୍ରଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ ତଥା ମାନବ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ । ସେମାନେ ଛାତ୍ରଛାତ୍ରୀମାନଙ୍କ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲର ସମ୍ପାଦକ ଗୋଲକ ବିହାରି ସାହୁ, ସଭାପତି ଡ. ଆର.ଏନ୍.ମିଶ୍ର ଏହି ଅବସରରେ ଉପସ୍ଥିତ ରହି ଭବିଷ୍ୟତରେ କିପରି ଆହୁରି କ୍ରିଡାକ୍ଷେତ୍ରରେ ପିଲାମାନଙ୍କ ବିକାଶ ହୋଇପାରିବ ସେ ନେଇ ଗୁରୁତ୍ୱ ଦେଇଥିଲେ । ସ୍କୁଲ ପ୍ରିନିସିପାଲ୍ ସୁକାନ୍ତ କୁମାର ବାରିକ ସଭା ପରିଚାଳନା କରିଥିଲେ । ବିଭି୍ନ୍ନ ଶ୍ରେଣୀର ପିଲାମାନେ ଦୌଡକୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍, ମ୍ୟାଥ୍ ରେସ୍, ସାଇକେଲିଂ ଆଦି ଖେଳରେ ଭାଗ ନେଇଥିଲେ । କ୍ରିଡା ପ୍ରଶିକ୍ଷକ ବିଜୟ କୁମାର ସାହୁ, ବିଜୟ କୁମାର ନାୟକ, ଆବୁ ଆୟୁବ ଖାନ୍ ପମୁଖ ଖେଳ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।