ପ୍ରଚାର ପାଇଁ ଦୈନିକ ଉଡୁଛି ୫୦ ହେଲିକପ୍ଟର, ୨୫ ଜେଟ

ନିର୍ବାଚନର ଏହି ଋତୁରେ ପ୍ରଚାର ଅଭିଯାନ ପାଇଁ ନେତାମାନଙ୍କୁ ସହଯୋଗ ନିମନ୍ତେ ଦୈନିକ ୫୦ ହେଲିକପ୍ଟର ଏବଂ ୨୫ ଜେଟ ବିମାନ ଉଡାଣ ଭରୁଛି। ଏହାର ଭଡ଼ା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୩.୭୦କୋଟି ଟଙ୍କା। ଏଥିରୁ ୧.୨୫ କୋଟି ଟଙ୍କା ବିମାନ ଇନ୍ଧନ ବାବଦରେ ବ୍ୟୟ ହେଉଛି। ଜାତୀୟ ଦଳମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ନିମେନ୍ତ ସବୁ ପ୍ରକାରର ବ୍ୟବସ୍ଥା ଆପଣାଉଛନ୍ତି।

ରିପୋର୍ଟ ଅନୁସାରେ ପ୍ରଚାର ପାଇଁ ହେଲିକପ୍ଟର ଏବଂ ଜେଟ ପ୍ଲେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀମାନେ ବିଦେଶରୁ ବହୁପୂର୍ବରୁ ହେଲିକପ୍ଟର ଏବଂ ଜେଟ ୩ରୁ ୬ମାସ ପାଇଁ ଲିଜରେ ଆଣିଛନ୍ତି।

ସେହିପରି କିଛି କମ୍ପାନୀ ମଧ୍ୟ ଦଳର ତ୍ୱରିତ ଡିମାଣ୍ଡକୁ ଦୃଷ୍ଟିରେ ରଖି ହେଲିକପ୍ଟର ଯୋଗାଉଛନ୍ତି। ତିନିଟି ପର୍ଯ୍ୟାୟ ନିର୍ବାଚନ ସରିସାରିଥିଲା ବେଳେ ବାକି ୪ଟି ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳର ନେତାମାନେ ରାଲି ଓ ସଭାର ଜୋରଦାର ଆୟୋଜନ କରିଛନ୍ତି। ଜାତୀୟ ସ୍ତରର ନେତାମାନେ ନିୟମିତ ବିଭିନ୍ନ ରାଜ୍ୟଗସ୍ତରେ ଯାଇ ପ୍ରଚାରଧାରାରେ ସାମିଲ ହେଉଛନ୍ତି।

ତେଣୁ ସମୟକୁ ଦୃଷ୍ଟିରେ ରଖି ହେଲିକପ୍ଟର ଏବଂ ଜେଟ ଏୟାରକ୍ରାଫ୍ଟର ବଡ଼ ବ୍ୟବହାର କରାଯାଉଛି। ବିଜିନେସ ଏୟାରକ୍ରାଫ୍ଟ ଅପରେଟର୍ସ ଆସୋସିଏସନର ଅଧ୍ୟକ୍ଷ ଆରକେ ବାଲିଙ୍କ ସୂଚନା ଅନୁସାରେ ନେତାମାନେ ଦୁଇପ୍ରକାର ଭଡାରେ ହେଲିକପ୍ଟର ନେଉଛନ୍ତି। ସେମାନେ ପ୍ରଥମେ ଅଗ୍ରିମଦେୟ ଦେଇ ନିଜର ନିର୍ଦ୍ଧାରିତ ସମୟ ଗନ୍ତବ୍ୟସ୍ତଳର ସୂଚନା ଦେଉଛନ୍ତି। ଅନ୍ୟପଟେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଧ୍ୟ ତୁରନ୍ତ ହେଲିକପ୍ଟର ଡିମାଣ୍ଡ କରାଯାଉଛି।

ଦେଶବ୍ୟାପୀ ୫୧ଟି ଚାଟାର୍ଡ କମ୍ପାନୀ ତାଲିକାଭୁକ୍ତ ହୋଇଥିଲା ବେଳେ ସେମାନେ ବିଦେଶରୁ ମଧ୍ୟ ଡିମାଣ୍ଡକୁ ଦୃଷ୍ଟିରେ ରଖି ବିମାନ ଯୋଗାଉଛନ୍ତି। ଦେଶରେ ପାଖାପାଖି ୨୭୫ ସିଭିଲିଆନ ହେଲିକପ୍ଟର ଏବଂ ଜେଟ ଏୟାରକ୍ରାଫ୍ଟ ରେଜିଷ୍ଟ୍ରଡ ରହିଛି। ଏଥିରୁ ବ୍ୟବସାୟୀକ ବ୍ୟବହାର ପାଇଁ ୭୫ଟି ହେଲିକପ୍ଟର ଏବଂ ଜେଟ ଘରୋଇ କମ୍ପାନୀଙ୍କ ନିକଟରେ ରହିଛି। ଯାହାର ବ୍ୟବହାର ରାଜନୈତିକ ଦଳମାନେ କରୁଛନ୍ତି। ଏଥିରୁ ପାଖାପାଖି ୫୦ ହେଲିକପ୍ଟର ସିଙ୍ଗିଲ ଏବଂ ଡବଲ ଇଞ୍ଜିନର ଥିଲାବେଳେ ଆସନ ସଂଖ୍ୟା ୨ ରୁ ୧୦ ସିଟ ରହିଛି।

ସେହିପରି ୨୫ଟି ଜେଟ ଏୟାରକ୍ରାଫ୍ଟର ସିଟ ସଂଖ୍ୟା ୫ ରୁ ୧୨ ରହିଛି। ଏଥିରେ ବିଦେଶରୁ ମଗାଯାଇଥିବା ହେଲିକପ୍ଟର ସାମିଲ ଥିଲାବେଳେ ଏହା ଦୁବାଇ ଏବଂ ସିଙ୍ଗାପୁରରୁ ଅଣାଯାଇଛି। ସିଙ୍ଗିଲ ଇଞ୍ଜିନ ଏୟାରକ୍ରାଫ୍ଟରେ ଜଣେ ଏବଂ ଜେଟ ଏୟାରକ୍ରାଫ୍ଟରେ ଦୁଇ ଦୁଇଜଣ ପାଇଲଟଙ୍କ ଆବଶ୍ୟକତା ରହିଛି।

କମ୍ପାନୀମାନେ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ଅଧିକ ପାଇଲଟ ନିଜ ନିକଟରେ ରଖୁଛନ୍ତି। ବର୍ତ୍ତମାନ ପାଖାପାଖି ୧୫୦ ପାଇଲଟ ଏହି ନିର୍ବାଚନ ପ୍ରଚାର ଡ୍ୟୁଟିରେ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *