ଜୁନ୍ ଯାଏଁ ଖରା ପ୍ରକୋପ
ଭୁବନେଶର(ଓଟି): ରାଜ୍ୟରେ ଗରମ ଧୀରେ ଧୀରେ ବଢ଼ିବାରେ ଲାଗିଛି। ମୋଟାମୋଟି ଚଳିତ ବର୍ଷ ତାତିର ଅବଧି କମ୍ ଓ ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଅନ୍ୟପକ୍ଷରେ ଆଜିଠାରୁ ତାତିର ମାତ୍ରା ବଢ଼ିବ ବୋଲି କୁହାଯାଇଛି। ଏହାର କ୍ରମାଗତ ଭାବେ ବଢ଼ିବ ଏବଂ ୧୧ ତାରିଖ ଯାଏଁ ଛଟପଟ କରିପାରେ ବୋଲି ସୂଚନା ମିଳିଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଚଳିତବର୍ଷ ଓଡ଼ିଶାରେ ଗରମ ସ୍ୱାଭାବିକ ରହିବ। ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେଲେ ମଧ୍ୟ ରାତି ତାପମାତ୍ରା ସ୍ଵାଭାବିକଠାରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। ଅନ୍ୟପକ୍ଷରେ କୃଷି ପାଣିପାଗ ବିଶେଷଜ୍ଞ ଚଳିତବର୍ଷ ଅଧିକ ଗରମ ରହିବ ବୋଲି ଅନୁମାନ କରିଛନ୍ତି। ବାରମ୍ବାର କାଳବୈଶାଖୀ ବର୍ଷା କାରଣରୁ ଗରମ ବିଳମ୍ବ ହୋଇଥିଲେ ମଧ୍ୟ ୩ ଦିନହେଲା କିଛିଟା ବଢ଼ିଛି ଏବଂ ଆଜିଠାରୁ ଆହୁରି ବଢ଼ିବ। ଏପରିକି କେତେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଛୁଇଁପାରେ। ସେହିପରି ଆସନ୍ତା ୧୧ବେଳକୁ ପାରଦ ୪୨ କିମ୍ବା ୪୩ ଡିଗ୍ରୀ ଛୁଇଁପାରେ। ଅନ୍ୟପକ୍ଷରେ ପୁଣି କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏପ୍ରିଲ ମାସରେ ଉଭୟ ତାତି ଓ ବର୍ଷାର ମିଶ୍ରିତ ପ୍ରଭାବ ରହିବ ବୋଲି କୁହାଯାଇଛି।
ରାଜ୍ୟରେ ସାଧାରଣତଃ ପାଗ ଶୁଖିଲା ରହିଥିବାବେଳେ ଆସନ୍ତା ୩ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ପାରଳାଖେମୁଣ୍ଡି ତାପମାତ୍ରା ସର୍ବୋଚ୍ଚ ୪୦ ଡିଗ୍ରୀ ଛୁଇଁଥିବାବେଳେ ଅନୁଗୁଳ ୩୯.୭, ଟିଟିଲାଗଡ଼ ଓ ବାରିପଦା ୩୯, ବୌଦ୍ଧ ୩୮.୫ ଓ ବଲାଙ୍ଗିର ୩୮.୬ ଡିଗ୍ରୀ ସେଲ୍ସିୟସର ରହିଥିଲା। ସେହିପରି ଭୁବନେଶ୍ୱର ୩୭.୩ ଓ କଟକ ୩୭.୮ ରେକର୍ଡ ହୋଇଛି।