ତାତି କମିବ, ବର୍ଷା ହେବ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟକୁ ୪୦ ଡିଗ୍ରୀ ଉପରେ ତାତି ଅସହ୍ୟ ହେଲାଣି। ତେବେ ଆଜିଠାରୁ ତାତି ସାମାନ୍ୟ କମିବା ସହ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୨୧ରୁ ଦୁଇଦିନ ବର୍ଷା ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୨୭ -୨୮ ତାରିଖ ବେଳକୁ ତାତିରୁ ନିସ୍ତାର ମିଳିବ ଏବଂ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ କମ ରହିବ ବୋଲି କୁହାଯାଇଛି।

ଆକଳନ ଅନୁସାରେ ଆସନ୍ତା ୪-୫ଦିନ ବଙ୍ଗୋପସାଗରରୁ ଉପକୂଳ ଆଡ଼କୁ ପବନ ବୋହିବ। ସମ୍ପ୍ରତି କେନ୍ଦ୍ରୀୟ ଭାରତରୁ ପୂର୍ବ ଭାରତ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଥିବାବେଳେ ୨୧ ଓ ୨୨ରେ ଓଡ଼ିଶା ସମେତ ପୂର୍ବଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି।

Leave a Reply

Your email address will not be published.