ହେଲଥ୍ ଟିପ୍ସ: ଆଣ୍ଠୁଗଣ୍ଠି ଦରଜ ଓ ବିନ୍ଧାରୁ ଆରାମ ଦେବ ଲେମ୍ବୁ ଚୋପା
ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡେଣ୍ଟ୍ ଗୁଣ ଥିବାରୁ ଏହା ତ୍ୱଚା ଓ କେଶ ପାଇଁ ଖୁବ୍ ଉପଯୋଗୀ । କିନ୍ତୁ ଆପଣ ଜାଣିଛନ୍ତି କି ଲେମ୍ବୁ ଚୋପାରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏହା ଅନେକ ପ୍ରକାର ରୋଗର ଉପଶମ ପାଇଁ ବ୍ୟବହାର କରାଯାଏ । ତେବେ ଲେମ୍ବୁ ଚୋପା ଆଣ୍ଠୁଗଣ୍ଠି ଦରଜରୁ ମଧ୍ୟ ମୁକ୍ତି ଦେଇଥାଏ । ଆଜିକାଲି ଗଣ୍ଠି ଦରଜ ହେବା କିମ୍ବା ବିନ୍ଧା ହେବା ଏକ ବଡ଼ ରୋଗ ଭାବେ ଦେଖାଦେଇଛି । ଏହାର ଉପଶମ ପାଇଁ ଲେମ୍ବୁ ତେଲ ବ୍ୟବହାର କରନ୍ତୁ । ଏହାଦ୍ୱାରା ଖୁବ୍ କମ୍ ସମୟରେ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ ।
ତେବେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଲେମ୍ବୁ ତେଲ ଏବଂ ଏହାକୁ କିଭଳି ବ୍ୟବହାର କରିବେ –
ପ୍ରସ୍ତୁତି ପ୍ରଣାଳୀ – ୨-୩ଟି ତାଜା ଲେମ୍ବୁର ଚୋପାକୁ ପରସ୍ତ ପରସ୍ତ କରି ଛଡ଼ାଇ ନିଅନ୍ତୁ । ଏକ ସଫା କାଚ ବୋତଲରେ ଲେମ୍ବୁ ଚୋପାକୁ ରଖନ୍ତୁ । ସେଥିରେ ୩୦ରୁ ୪୦ଏମଏଲ୍ ଅଲିଭ୍ ଅଏଲକୁ ଢାଳନ୍ତୁ । ଏହାପରେ ବୋତଲର ମୁହଁକୁ ଠିପି ଦ୍ୱାରା ଭଲ ଭାବେ ବନ୍ଦ କରିଦିଅନ୍ତୁ । ଏହି ମିଶ୍ରଣକୁ୧ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ । ଲେମ୍ବୁ ଚୋପାରେ ଥିବା ଛିଦ୍ର ଅଲିଭ୍ ଅଏଲ୍ ସହିତ ମିଶି ଏକ ପ୍ରକାର ଔଷଧୀୟ ଗୁଣ ସୃଷ୍ଟି କରେ ।
ବ୍ୟବହାର – ୧ସପ୍ତାହ ପରେ ସେଥିରୁ ଅଳ୍ପ ତେଲ ଓ ଏକ ଲେମ୍ବୁ ଚୋପା ନେଇ ଦରଜ ହେଉଥିବା ସ୍ଥାନରେ ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ହାଲକା ମାଲିସ୍ କରନ୍ତୁ । ରାତିରେ ହିଁ ଏହାକୁ ମାଲିସ୍ କରନ୍ତୁ । ଗୋଟିଏ ରାତି ସେଭଳି ରଖିବା ପରେ ସକାଳେ ଉଷୁମ ପାଣିରେ ସେହି ସ୍ଥାନକୁ ଧୋଇଦିଅନ୍ତୁ । କିଛି ଦିନ ଏଭଳି କରିବା ପରେ ଗଣ୍ଠି ଦରଜରୁ ମୁକ୍ତି ମିଳିପାରିବ ।