କୋବିଡ୍-୧୯ ଆତଙ୍କ: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଟକଣା

ଭୁବନେଶ୍ଵର (ଓଟି): କରୋନା ତଥା କୋବିଡ୍‌-୧୯ ଆତଙ୍କରେ ବିଶ୍ଵ ଥରହର ହେଲାଣି। ନିକଟ ଅତୀତରେ କେରଳରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ଦେଶରେ ପୁଣି କରୋନା ଆତଙ୍କ ଦେଖାଦେଇଛି। ଗତ ସୋମବାର ତେଲେଙ୍ଗାନାରୁ ଜଣେ ଆକ୍ରାନ୍ତ ଚିହ୍ନଟ ‌ହୋଇଥିବାବେଳେ ମଙ୍ଗଳବାର ପାରାଦୀପ ବନ୍ଦରରୁ କରୋନା ସଂଦିଗ୍ଧ ବିଦେଶୀ ଦମ୍ପତି ଚିହ୍ନଟ ହୋଇଥିଲେ। ଫଳରେ ଦେଶ ସମେତ ଓଡ଼ିଶା ପାଇଁ ଚିନ୍ତା ବଢ଼ି ଯାଇଛି। ଏନେଇ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ଏବଂ କଡ଼ା କଟକଣା ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ବିମାନ ବନ୍ଦରରେ ସ୍ଵାସ୍ଥ୍ୟ ପରୀକ୍ଷାକୁ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସୁଥିବା ଓ ବିଦେଶକୁ ଯାଉଥିବା ସମସ୍ତ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଉଛି। ଏନେଇ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ବି. ଭେଙ୍କଟେଶ୍ଵର ରାଓ ସବିଶେଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ବର ବିମାନ ବନ୍ଦରକୁ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଆସୁଛି। ମାଲେସିଆରୁ ଆସୁଥିବା ଉକ୍ତ ବିମାନର ସମସ୍ତ ଯାତ୍ରୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କୁହାଯାଇଛି। ଏହା ପରେ ହିଁ ବିମାନ ବନ୍ଦର ବ‌ାହାରକୁ ଯିବାଲାଗି ଅନୁମତି ଦିଆଯିବ। ଅନ୍ୟପଟେ ଘ‌ରୋଇ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ହେଉନାହିଁ ବୋଲି ନିର୍ଦ୍ଦେଶକ ଶ୍ରୀ ରାଓ ସୂଚନା ଦେଇଛନ୍ତି।

ଏଥିଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *