#IndiaFightsWithCorona: ରାଜ୍ୟଗୁଡ଼ିକର ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ଟିମ୍
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶରେ ମହାମାରୀ କରୋନା ସମ୍ପର୍କିତ ସବିଶେଷ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ସେହିପରି ରାଜ୍ୟଗୁଡ଼ିକର ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ ଓ ଡ୍ରୋନ ଜରିଆରେ ଲକ୍ଡାଉନ୍ ସ୍ଥିତି ଉପରେ ନଜର ରଖାଯାଉଛି।
ଯୁଗ୍ମ ସଚିବ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରୋନା ମୁକାବିଲା କରୁଛନ୍ତି। ଏଭଳି ସ୍ଥିତିରେ ୧୭ଟି ଜିଲ୍ଲାରେ ୨୮ଦିନ ହେଲା କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନାହିଁ। ଦେଶରେ ସମ୍ପ୍ରତି ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମହାମାରୀ କରୋନା କବଳରୁ ୬ହଜାର ୮୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି। ମୋଟ ଉପରେ ଦେଶରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ୨୩.୩ ପ୍ରତିଶତ ରହିଛି ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।