ସମ୍ବଲପୁର: ସଜ ଫଳରେ ବିଷ ଆଶଙ୍କା

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ବଜାରରେ ସତେଜ ଦିଶୁଥିବା ଫଳ ପ୍ରକୃତରେ ସେତିକି ସତେଜ ନୁହେଁ, ଯେତିକି ବିଷାକ୍ତ। ବିଶେଷକରି ସମ୍ବଲପୁର ସହରରେ ଏମିତି ଅନେକ ଫଳ ବିକ୍ରି ହେଉଛି ଯାହା କୃତ୍ରିମ ଭାବେ ବିଭିନ୍ନ ରାସାୟନିକ ଦିଆଯାଇ ପାକଳ କରାଯାଉଛି। ଏହାକୁ ଖାଇଲେ ସାଧାରଣ ସୁସ୍ଥ ଲୋକ ବି ଅସୁସ୍ଥ ହେବାର ଆଶଙ୍କା ରହିଛି। ଏମିତି ଆଶଙ୍କା ଆମେ ନୁହେଁ ବରଂ ସମ୍ବଲପୁର ମହାନଗର ନିଗମର ସ୍ଵାସ୍ଥ୍ୟ ବିଭାଗ ଆକଳନ କରିଛି। ସେଥିଲାଗି ବିଭିନ୍ନ ଫଳ ଗୋଦାମ ଉପରେ ଚଢ଼ାଉ କରି ଫଳ ନମୁନାକୁ ପରୀକ୍ଷଣ ପାଇଁ ଭୁବନେଶ୍ଵର ଲାବୋରେଟାରୀକୁ ପଠାଇଛନ୍ତି।

ଏହି ଚଢ଼ାଉବେଳେ ମହାନଗର ନିଗମର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ବିଭିନ୍ନ ପ୍ରକାର ରଙ୍ଗ ଓ ରାସାୟନିକ ବ୍ୟବହାର ଦ୍ଵାରା ଫଳକୁ ତଟକା ଦେଖାଯିବା, ଶୀଘ୍ର ପାଚିବା ତଥା ପାକଳ ହେବା ଲାଗି ବ୍ୟବହାର ହେଉଛି। ଏଥିଲାଗି ୧୧ଟି ଫଳ ନମୁନାକୁ ସନ୍ଦେହପୂଣ୍ଣ ଫଳ ଦୋକାନ ଓ ଫଳ ଗୋଦାମରୁ ସଂଗ୍ରହ କରାଯାଇଛି।

ବିଷାକ୍ତ ପ୍ରକ୍ରିୟାରେ ଏହି ଫଳମୂଳକ ପାକଳ କରାଯାଉଥିବା ନେଇ ନିଗମପାଖରେ ସୂଚନା ପହଞ୍ଚିଥିଲା। ପୁଣି ଏଗୁଡ଼ିକ ଅତି ଉଚ୍ଚ ଦାମରେ ବିକ୍ରି ହେଉଥିବା ନେଇ ମଧ୍ୟ ଅଭିଯୋଗ ପାଇ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ତାହାର ନମୁନା ସଂଗ୍ରହ ପାଇଁ ଫଳ ଗୋଦାମ ଉପରେ ଚଢ଼ାଉ କରିଥିଲେ। ଏପରିକି କଦଳୀ ଭଳି ଫଳରେ ବି ମାତ୍ରାଧିକ ରାସାୟନିକ ବ୍ୟବହାର ନେଇ ଅଭିଯୋଗ ଆସିଛି।

ସମ୍ବଲପୁରର ଫଳ ବଜର ଅଣ ଓଡ଼ିଆ ବ୍ୟବସାୟୀଙ୍କ କବ୍‌ଜାରେ ରହି ଆସିଛି। ଏମାନେ ଅଧିକ ଲାଭ ଆଶାରେ ଏପରି ଅସାଧୁ ଉପାୟକୁ ଆପଣାଉଥିବା ଅଭିଯୋଗ ଆଧାରରେ କୁମ୍ଭାରପଡ଼ା ଓ ପେନ୍‌ସନ୍‌ ପଡ଼ାରେ ଥିବା ଫଳ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ସମୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ, ସିଞ୍ଚନ ଯନ୍ତ୍ର ଓ ଫଳମୂଳ ଜବତ କରାଯାଇଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ରୁଦ୍ରପ୍ରତାପ ମଣ୍ଡଳ ସୂଚନା ଦେଇଛନ୍ତି। ଯାଞ୍ଚ ରିପୋଟର୍ର୍ ଆସିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *