‘ଗୁମନାମୀ’ର ସୁଟିଂ ଆରମ୍ଭ
ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ଉପରେ ଆଧାରିତ ଫିଲ୍ମ ‘ଗୁମନାମୀ’ର ସୁଟିଂ ପଶ୍ଚିମବଙ୍ଗର ଆସନସୋଲଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ନ୍ୟାସନାଲ୍ ଆୱାର୍ଡ଼ ୱିନର୍ ଶ୍ରୀଜିତ୍ ମୁଖାର୍ଜି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହାର ମୁଖ୍ୟ ଭୂମିକାରେ ଆସିବେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ପୂର୍ବ ଦକ୍ଷ ଅଭିନେତା ପ୍ରୋସେନଜିତ୍ ଚାଟାର୍ଜି । ଏହା ଆସନ୍ତା ଅକ୍ଟୋବର ମାସ ଦୁର୍ଗାପୂଜା ସମୟରେ ରିଲିଜ୍ ହେବ । ଫିଲ୍ମର ମୁହୁରତ୍ ସମୟର ଏକ ଫଟୋ ପୋଷ୍ଟ୍ କରି ଶ୍ରୀଜିତ୍ ଏହିସବୁ ସୂଚନା ଦେଇଛନ୍ତି ।
ନେତାଜୀଙ୍କ ମୃତ୍ୟୁ ଆଜିପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ୧୯୪୫ ମସିହାରେ ଏକ ପ୍ଲେନ୍ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ । ଆଉ କିଛି ଐତିହାସିକ ତଥ୍ୟ ଅନୁଯାୟୀ ସେ ଜାପାନ୍ ସରକାରଙ୍କ ସହାୟତାରେ ସେ ସମୟରେ ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଥିଲେ ଏବଂ ଭାରତକୁ ସ୍ୱାଧୀନତା ମିଳିବା ପରେ ଭାରତ ଫେରିଆସି ଗୁମନାମୀ ବାବା ଓରଫ୍ ଭଗବାନ୍ ଜୀ ରୂପରେ ଉତ୍ତରପ୍ରଦେଶର ଫୈଜାବାଦ୍ରେ ରହୁଥିଲେ । ୧୯୮୫ ରେ ତାଙ୍କର ମୃତ୍ୟୁପରେ ତାଙ୍କ ପାଖରୁ ମିଳିଥିଲା ଅନେକ ଫଟୋ, କିଛି ଅଫିସିଆଲ୍ କାଗଜପତ୍ର ଓ କିଛି ବ୍ୟକ୍ତିଗତ ଜିନିଷ । ଏହିସବୁ ଜିନିଷ ପ୍ରମାଣିତ କରିଥିଲା ଯେ ନେତାଜୀ ହିଁ ଛଦ୍ମବେଶରେ ଗୁମନାମୀ ବାବା ଭାବେ ରହୁଥିଲେ । କିନ୍ତୁ ଏହା ମଧ୍ୟ କେତେଦୂର ସତ ସେ ସମ୍ପର୍କରେ ମଧ୍ୟ କୌଣସି ସଠିକ୍ ପ୍ରମାଣ ନାହିଁ । ତେବେ ଏହିସବୁ ବିଷୟବସ୍ତୁକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି ଏବଂ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।