ଫିଲ୍ମ ଫେୟାର୍‌: ‘ଗଲି ବୟ’କୁ ୧୦ ପୁରସ୍କାର

ମୁମ୍ବାଇ (ଓଟି): ଗଲି ବୟକୁ ନେଇ ସମ୍ପ୍ରତି ସବୁଠି ଚର୍ଚ୍ଚା। ହେବା ବି ସ୍ଵାଭାବିକ। ଗଲି ବୟ ଯଦି ଗୋଟିଏକି ଦୁଇଟି ନୁହେଁ; ଏକାଥରକେ ୧୦ଟି ଶ୍ରେଷ୍ଠ ପୁରସ୍କାର ପାଇବ- କିଏ ଅବା ପ୍ରଶଂସା ନକରି ରହିପାରିବ! ହଁ, ଗଲି ବୟର ନାୟକ ମଧ୍ୟ ଶ୍ରେଷ୍ଠ  ଆଉ ନାୟିକା ବି ନଂ-୧ ବୋଲି ପ୍ରମାଣିତ କରିଛନ୍ତି। ଏକଥା ସ୍ପଷ୍ଟ ହୋଇଛି ଫିଲ୍ମ ଫେୟାର୍‌ ଆୱାର୍ଡ ଉତ୍ସବରୁ। ଆସାମର ଗୁଆହାଟିରେ ଅନୁଷ୍ଠିତ ୬୫ତମ ଏହି ଉତ୍ସବରେ ଗଲି ବୟ ରେକର୍ଡ କରିଛି। ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପୁରସ୍କାର ଲାଭ କରି ଚର୍ଚ୍ଚାର କାରଣ ପାଲଟିଛି।

ଅଭିନେତା-ଅଭିନେତ୍ରୀ-ନିର୍ଦ୍ଦେଶକ-ସହ ଅଭିନେତା-ସହ ଅଭିନେତ୍ରୀ-ଗୀତିକାର-ଚିତ୍ରନାଟ୍ୟ-ମ୍ୟୁଜିକ ଆଲବମ୍-ସଂଳାପ ସମେତ ସମ୍ପୂର୍ଣ୍ଣ ଫିଲ୍ମ ପାଇଁ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିବା ‘ଗଲି ବୟ’ର ନାୟକ ରଣବୀର ସିଂହ ଓ ନାୟିକା ଆଲିଆ ଭଟ୍ଟ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି। ଅନୁରୂପ ଭାବେ ଜୋୟା ଅଖତର ଶ୍ରେଷ୍ଠ ନିର୍ଦ୍ଦେଶକ, ଡିଭାଇନ୍ ଓ ଅଙ୍କୁର ତିୱାରୀ ‘ଶ୍ରେଷ୍ଠ ଗୀତିକାର’, ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ରୀମା କଗତି ଓ ଜୋୟା ଅଖତର ଏବଂ ‘ଶ୍ରେଷ୍ଠ ସଂଳାପ’ ପାଇଁ ବିଜୟ ମୌର୍ଯ୍ୟଙ୍କ ସମେତ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅମୃତା ସୁଭାଷ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍‌ ପୁରସ୍କାର ଲାଭ କରିଛନ୍ତି।

ଗଲି ବୟକୁ ବାଦ୍‌ ଦେଲେ ଫିଲ୍ମ ‘Article 15’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ପ୍ରଦାନ କରାଯାଇଥିବାବଳେ ‘ସାଣ୍ଢ କି ଆଁଖ’ ପାଇଁ ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ଅନ୍ୟପକ୍ଷରେ ରମେଶ ସିପ୍ପୀଙ୍କୁ ଫିଲ୍ମଫେୟାର ‘ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହା ବାଦ୍‌ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ମଧ୍ୟ ଅନେକ ପୁରସ୍କାର ପ୍ରଦାନ କରାଯାଇଛି।

କରଣ ଜୋହର, ଭିକ୍କି କୌଶଲ ଓ ବରୁଣ ଧୱନଙ୍କ ମଞ୍ଚ ସଞ୍ଚାଳନରେ ଅକ୍ଷୟ କୁମାର, ରଣବୀର ସିଂହ, ଆୟୁଷ୍ମାନ ଖୁରାନା ଓ କାର୍ତ୍ତିକ ଆର୍ଯ୍ୟନ ପ୍ରମୁଖ ଉତ୍ସବରେ ନିଜର ଦକ୍ଷତା ପ୍ରତିପାଦନ କରିବା ପୂର୍ବକ ଲୋକଙ୍କୁ ମନୋରଞ୍ଜନର ଖୋରାକ ଦେଇଥିଲେ।

Leave a Reply

Your email address will not be published. Required fields are marked *