୧୦ ଦିନରେ ପ୍ରସ୍ତୁତ ହେଲା ଶସ୍ତା ଭେଣ୍ଟିଲେଟର୍
ଅହମଦାବାଦ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବଢ଼ିଛି ଚିନ୍ତା। ଭୁଶୁଡ଼ି ଯାଇଛି ସ୍ଵାସ୍ଥ୍ୟସେବା ଆଉ ଚହଲି ଗଲାଣି ଆର୍ଥିକ ବ୍ୟବସ୍ଥା। ସେହିପରି ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଭିନ୍ନ କ୍ଷେତ୍ର। ତେବେ ଏହି ଲଢ଼େଇରେ ହାରିନାହାନ୍ତି ବିଶ୍ଵର ବିଶେଷଜ୍ଞମାନେ। ସେହିପରି ଭାରତୀୟ ଗବେଷକବୃନ୍ଦ ମଧ୍ୟ ନିରବଚ୍ଛିନ୍ନ ଭାବେ ଗବେଷଣା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଗୁଜରାଟର ଏକ କମ୍ପାନୀ ଆଣିଦେଇଛି ଭଲ ଖବର। ଶସ୍ତା ଭେଣ୍ଟିଲେଟର୍ ପ୍ରସ୍ତୁତ କରିବାରେ ସମ୍ପୃକ୍ତ କମ୍ପାନୀ ସଫଳ ହୋଇଛି। ଏପରିକି ମାତ୍ର ୧୦ ଦିନରେ ସଫଳତାର ସହ ପ୍ରସ୍ତୁତ କରିପାରିଛି କମ୍ ଦାମଦର ଭେଣ୍ଟିଲେଟର୍।
ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସେମାନଙ୍କ ପାଇଁ ଭେଣ୍ଟିଲେଟର ଯୋଗାଣ କ୍ଷେତ୍ରରେ ବଡ଼ ସମସ୍ୟା ରହିଥିଲା। ଏହାକୁ ଗୁରୁତ୍ଵର ସହ ବିଚାର କରି ରାଜକୋଟର ଏକ କମ୍ପାନୀ କେବଳ ୧୦ ଦିନରେ କମ୍ ମୂଲ୍ୟରେ ଭେଣ୍ଟିଲେଟର ବିକଶିତ କରିଛି। ତାହା ଅହମଦାବାଦ ସିଭିଲ ହସ୍ପିଟାଲ ଲ୍ୟାବରେ ପରୀକ୍ଷା କରାଯିବା ପରେ ଅନୁମୋଦନ କରାଯାଇଛି। ଖୁବ୍ଶୀଘ୍ର ୧୦୦୦ଟି ମେସିନ୍ ଗୁଜରାଟ ସରକାରଙ୍କ ଦ୍ୱାରା ମେଡିକାଲକୁ ପହଞ୍ଚାଇ ଦିଆଯିବ ବୋଲି ସୂଚନା ମିଳିଛି।