ଏୟାର ଇଣ୍ଡିଆ ଅଂଶଧନ ବିକ୍ରି ଅନୁମୋଦିତ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହି ପର୍ଯ୍ୟାପ୍ତ କ୍ଷତିର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନୀ ଏୟାର ଇଣ୍ଡିଆର ଅଂଶଧନ ବିକ୍ରି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଅନୁମୋଦନ ପ୍ରଦାନ କରିଛନ୍ତି । କମ୍ପାନୀର ସମ୍ପୂର୍ଣ୍ଣ ଘରୋଇକରଣ ପାଇଁ ଏହି ଗୋଷ୍ଠୀ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ବିଡର୍ମାନଙ୍କ ପାଇଁ ଅଂଶଧନ କ୍ରୟ ସମ୍ପର୍କିତ ଚୁକ୍ତିନାମା ଜାରି କରାଯିବ ବୋଲି ଜଣାପଡ଼ିଛି ।

ଋଣ ବୋଝରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ସମସ୍ତ ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି କମ୍ପାନୀର ଋଣ ବୋଝ ୫୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ରେ ପହଞ୍ଚିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟାରେ ଏହାର ସର୍ବାଧିକ ଅଂଶଧନ ବିକ୍ରି ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା । ହେଲେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଶତପ୍ରତିଶତ ଅଂଶଧନ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ହରଦୀପ୍ ସିଂ ପୁରି କହିସାରିଛନ୍ତି । ଏଥିସହିତ କମ୍ପାନୀର ଋଣ ପରିଶୋଧ ନେଇ ପୁନର୍ଗଠନ ପ୍ରକ୍ରିୟା ସହିତ ଏହାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ଯୋଜନା ପ୍ରଣୟନ ନେଇ ମଧ୍ୟ ଏୟାର ଇଣ୍ଡିଆ ସ୍ପେସିଫିକ୍ ଅଲ୍ଟରନେଟିଭ୍ ମେକାନିଜିମ୍(ଏଆଇଏସ୍ଏଏମ୍) ପକ୍ଷରୁ ଅନୁମୋଦନ ଦିଆଯାଇସାରିଛି । ଅନ୍ୟପକ୍ଷରେ କମ୍ପାନୀର ଅଂଶଧନ ପ୍ରତ୍ୟାହାର ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସଂସ୍ଥାଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇନଥିବାରୁ ଏହାର ଘରୋଇକରଣ ନେଇ ସମସ୍ୟା ଦେଖାଯାଇଥିଲା ।

ଦିନକୁ ଦିନ କମ୍ପାନୀର କ୍ଷତି ବଢିଚାଲୁଥିବାରୁ ଆଗାମୀ ଦିନରେ ଏହା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବିବେଚନା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କମ୍ପାନୀକୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଯୋଜନା କରାଯାଇଥିବା ଖବର କେତେକ ସ୍ତରରେ ପ୍ରକାଶ କରାଯାଇଥିଲେ ହେଁ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନି ଏହାକୁ ଅସ୍ୱୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *