ବୋଝ ବଢ଼ାଉଛନ୍ତି ବିଜୁଳି କମ୍ପାନୀ ନିର୍ଦେଶକ
ଭୁବନେଶ୍ଵର, (ଓଟି): ବିଭିନ୍ନ ବିଜୁଳି କମ୍ପାନୀରେ ନିଯୁକ୍ତି ପାଉଥିବା ନିର୍ଦେଶକମାନେ କମ୍ପାନୀ ଗୁଡ଼ିକ ଉପରେ ବୋଝ ସାଜୁଛନ୍ତି। ସେମାନେ କୌଣସି କମ୍ପାନୀର କର୍ମଚାରୀ ନୁହନ୍ତି। କୌଣସି ଲିଖିତ ବା ବାଚନିକ ପରୀକ୍ଷାରେ ପ୍ରତିଦ୍ଵନ୍ଦ୍ଵିତା କରି ପଦବୀ ପାଆନ୍ତି ନାହିଁ ତଥାପି ବିଭିନ୍ନ ଭତ୍ତା ଓ ସୁବିଧା ସୁଯୋଗକୁ ଛାଡ଼ି ସେମାନେ ମାସକୁ ୧ ଲକ୍ଷ ୭୫ ହଜାର ଟଙ୍କା କମ୍ପାନୀରୁ ପ୍ରାପ୍ୟ ଭାବେ ଗ୍ରହଣ କରନ୍ତି। ଅପରପକ୍ଷେ କମ୍ପାନୀର ନିବେଶକଙ୍କ ସ୍ଵାର୍ଥକୁ ସୁରକ୍ଷା କରିବା, ସେମାନଙ୍କ ନିବେଶକୁ ଠିକଣା ଭାବେ ଫେରାଇବା ତଥା ଖାଉଟୀଙ୍କ ସ୍ଵାର୍ଥ ରକ୍ଷା ଲାଗି ଉଦ୍ଦିଷ୍ଟ ଦାୟିତ୍ଵକୁ ପୂରଣ କରନ୍ତି ନାହିଁ। ହେଲେ ବାରମ୍ବାର ସରକାରଙ୍କ ଗଳିଆ ବାଟକୁ ଆପଣାଇ ପୁଣିଥରେ ନିଯୁକ୍ତ ହେବାର ମାୟାଜାଲ ତିଆରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ବିସ୍ତୃତ ଦାବିପତ୍ର ଦେଇ କମ୍ପାନୀ ଓ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା ଏପରି ନିର୍ଦେଶକଙ୍କ ନିଯୁକ୍ତିକୁ ରୋକ୍ ଦେବା ଲାଗି ଯୁକ୍ତି ବାଢ଼ିଛନ୍ତି।
ଏହି ଦାବିପତ୍ରରେ କୁହାଯାଇଛି ଯେ, ଗ୍ରାଡ୍କୋ, ଓପିଟିସିଏଲ୍, ଓ୍ବେସ୍କୋ, ନେସ୍କା, ସାଉଥ୍କୋ ଏବଂ ସେସୁଭଳି ରାଜ୍ୟର ବଣ୍ଟନ ଓ ସରବରାହ କମ୍ପାନୀମାନଙ୍କ ନିର୍ଦେଶକମାନେ ସେମାନଙ୍କ କାର୍ଯ୍ୟକାଳ ସରିବା ପରେ ପୁଣିଥରେ ନିର୍ଦେଶକ ହେବା ପାଇଁ ଆବେଦନ କରିଛନ୍ତି। ଏହା ଠିକ୍ ଯେ, କୌଣସି ବ୍ୟକ୍ତିଙ୍କ ଯୋଗ୍ୟତା ଏବଂ କାର୍ଯ୍ୟ ଦକ୍ଷତା ଆଧାରରେ ସେମାନଙ୍କ ନିଯୁକ୍ତି ପୁଣିଥରେ ସମ୍ପ୍ରସାରଣ କରାଯାଇପାରେ। କିନ୍ତୁ ଯେତେବେଳେ ସଂସ୍ଥା କ୍ଷତିରେ ଚାଲିଛି ଏବଂ ସଂସ୍ଥାର ସ୍ଵାର୍ଥ ରକ୍ଷାପାଇଁ ଏହି ନିର୍ଦେଶକମାନେ ବିଫଳ ହେଉଥିବା ଓଇଆର୍ସି ରିପୋର୍ଟରୁ ସ୍ପଷ୍ଟ ହେଉଛି ସେତେବେଳେ ପୁଣିଥରେ ସେମାନଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିବା କୌଣସି ଯୁକ୍ତି ବହନ କରୁନାହିଁ।
ଏବେ ଶକ୍ତି କ୍ଷେତ୍ର ୪୦ ପ୍ରତିଶତ କ୍ଷତିରେ ଚାଲୁଛି। ଏହି କ୍ଷତି ଭରଣା ପାଇଁ ରାଜ୍ୟର ଜନସାଧାରଣଙ୍କଠାରୁ ଅଧିକ ଦେୟ ଆଦାୟ କରାଯାଉଛି। ଓଇଆର୍ସିଙ୍କ ଏହି ଆକଳନ ସ୍ପଷ୍ଟ କରୁଛି ଯେ, ନିର୍ଦେଶକମାନେ ସେମାନଙ୍କ କାର୍ଯ୍ୟ ଠିକଣଶ ଭାବେ ତୁଲାଇପାରି ନାହାନ୍ତି। ପୁଣି ଯେତେବେଳେ ସଂସ୍ଥାର ଗୁରୁତ୍ଵପୂଣ୍ଣ ଦାୟିତ୍ଵ ରେ ଥାଇ ନିଜ କାର୍ଯ୍ୟରେ ସଫଳ ନ ହୁଅନ୍ତି ତେବେ ସମ୍ପୃକ୍ତ ଅଧିକାର ଇସ୍ତଫା ଦେବା ବଦଳରେ ପୁଣିଥରେ ନିଜଆଡ଼ୁ କିପରି ଆବେଦନ କରିବା ସୁଯୋଗ ପାଉଛନ୍ତି ତାହା ନେଇ ପ୍ରଶ୍ନ ଉଠାଇଛି ସଂଘ।
ଏହି ପ୍ରକାର ଅଧିକାରୀଙ୍କୁ ଧଳା ହାତୀ ବୋଲି କହିବା ସହ ତାଙ୍କ ଆବେଦନକୁ ବିଚାର ନକରିବାକୁ ପଦକ୍ଷେପୁ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ।