‘ମହାମେଣ୍ଟ’ର ସବୁ ବଡ଼ ନେତାଙ୍କ ଉପରେ ଦୁର୍ନୀତି ଅଭିଯୋଗ
ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପୁଣି କ୍ଷମତା ହାସଲରୁ ରୋକିବା ପାଇଁ ବିରୋଧିଦଳଗୁଡ଼ିକ ପକ୍ଷରୁ ମହାମେଣ୍ଟ କରିବା ପାଇଁ ଚେଷ୍ଠା ଚାଲିଛି। ମହାମେଣ୍ଟ କରୁଥିବା ଦଳଗୁଡ଼ିକର ନେତାମାନଙ୍କ ଉପରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ରହିଛି। ନେତାମାନଙ୍କ ଉପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ତରବାରୀ ଝୁଲି ରହିଛି। ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ନେତାମାନଙ୍କ ଉପରେ ବଡ଼ ବଡ଼ ଦୁର୍ନୀତି ଅଭିଯୋଗ ରହିଛି।
ମହାମେଣ୍ଟରେ ସାମିଲ ହୋଇଥିିବା ଦଳର କେତେକ ନେତାମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ୍) ମଧ୍ୟ ଦାଖଲ ହୋଇସାରିଛି। ଆଉ କେତେକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଦୁର୍ନୀତି ଅଭିଯୁକ୍ତ ନେତାମାନେ କହୁଛନ୍ତି ବିଜେପି ତଦନ୍ତକାରୀ ସଂସ୍ଥାମାନଙ୍କ ସହାୟତାରେ ସେମାନଙ୍କୁ ଦୁର୍ବଳ କରିବାକୁ ଚାହଁୁଛି। ବିଜେପି ପ୍ରାୟୋଜିତ ତଦନ୍ତକାରୀ ସଂସ୍ଥାର ଦୁର୍ନୀତି ଅଭିଯୋଗ ଅଦାଲତରେ ପ୍ରମାଣିତ ହୋଇପାରିବ ନାହିଁ। ଏହା ପରେ ବି ମହାମେଣ୍ଟରେ ସାମିଲ ହୋଇଥିବା ପ୍ରାୟ ସବୁଦଳର ବଡ଼ ବଡ଼ ନେତାଙ୍କ ଉପରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି।
କଂଗ୍ରେସ

କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ୱରମ, ଅହମ୍ମଦ ପଟେଲ, ମୋତିଲାଲ ଭୋରା, ଭୂପେନ୍ଦ୍ର ହୁଡ୍ଡା ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି କରିଥିବା ଅଭିଯୋଗରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛନ୍ତି। ଚିଦାମ୍ୱରମ ଓ ତାଙ୍କ ପୁଅ ଏୟାରସେଲ ମାକ୍ସିମ କାରବାର ମାମଲାରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ପି. ଚିଦାମ୍ୱରମ ବିଦେଶୀ ନିବେଶ ପ୍ରମୋଶନ ବୋର୍ଡ଼ (ଏଫଆଇପିବି)ର ଅଧ୍ୟକ୍ଷ ଥିବାବେଳେ ଆଇଏନଏକ୍ସ ମିଡ଼ିଆକୁ ବେନିୟମ ଭାବେ ମଞ୍ଜୁରୀ ଦେଇଛନ୍ତି। ଚିଦାମ୍ୱରମ ସେହି ସମୟରେ ଅର୍ଥମନ୍ତ୍ରୀ ଥିଲେ। ଅଭିଯୋଗ ଅନୁସାରେ ଏହି ମାମଲାରେ ୩୦୫ କୋଟି ଲାଞ୍ଚ ନେଇଛନ୍ତି।
ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ କୁହାଯାଉଥିବା ଅହମ୍ମଦ ପଟେଲଙ୍କ ବିରୋଧରେ ଅଗଷ୍ଟା େୱଷ୍ଟଲାଣ୍ଟ କାରବାରରେ ଦୁର୍ନୀତି ଅଭିଯୋଗ ଆସିଛି। ପାର୍ଟିର କୋଷାଧ୍ୟକ୍ଷ ମୋତିଲାଲ ଭୋରା ହରିଆନାରେ ଏଜିଏଲ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଛି। ହରିଆନାର ଭୁପେନ୍ଦ୍ର ହୁଡ୍ଡାଙ୍କ ଉପରେ ୨୦୦୪ରୁ ୨୦୦୭ ମଧ୍ୟରେ ଜମି କିଣା କାରବାରରେ ପକ୍ଷପାତ ଓ ଦୁର୍ନୀତି କରିଥିବା ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)

ଆରଜେଡ଼ିର ସବୁଠାରୁ ବଡ଼ ନେତା ତଥା ପାର୍ଟି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବସ୍ତ୍ୟ ହୋଇ ବର୍ତ୍ତମାନ ଜେଲ ଦଣ୍ଡ ଭୋଗୁଛନ୍ତି। ଲାଲୁ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏବେ ଆଇଆରସିଟିସି ଦୁର୍ନୀତି ମାମଲାରେ ଏବେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏହି ମାମଲାରେ ଆଜି ଲାଲୁ ଓ ତାଙ୍କ ପରିବାରକୁ ଜାମିନ ମିଳିଛି। ଏହି ଦୁର୍ନୀତି ମାମଲାକୁ ନେଇ ସିବିଆଇରେ ଏବେ ଝଡ଼ ସୃଷ୍ଟି ହୋଇଛି। ସିବିଆଇର କିଛି ଅଫିସର ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଫାଇଦା ଦେବାକୁ ଚେଷ୍ଠା କରିଥିଲେ ବୋଲି ଅଭିଯୋଗ ହୋଇଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଲାଲୁ ଓ ତାଙ୍କ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିସାରିଛି।
ତୃଣମୂଳ କଂଗ୍ରେସ (ଟିଏମସି)

ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିର ନେତାମାନେ ମଧ୍ୟ ଦୁର୍ନୀତି ଅଭିଯୋଗରୁ ମୁକ୍ତ ନୁହଁନ୍ତି। ଏହାର ଅନେକ ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତା ସାମନା କରୁଛନ୍ତି। ଟିଏମସି ବଡ଼ ନେତା ସୁବ୍ରତୋ ବାନାର୍ଜୀ ଓ କାକଳୀ ଘୋଷ ଦସ୍ତିଦାର ନାରଦ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଗତ ସପ୍ତାହରେ ସିବିଆଇ ରୋଜଭ୍ୟାଲି ଦୁର୍ନୀତି ମାମଲାରେ ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଓ ଫିଲ୍ମ ନିର୍ମାତା ଶ୍ରୀକାନ୍ତ ମାଇତିଙ୍କୁ ଗିରଫ କରିଛି।
ସମାଜବାଦୀ ପାର୍ଟି

ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ବର୍ତ୍ତମାନ ଖଣି ଖନନ ଦୁର୍ନୀତି ତଦନ୍ତର ସାମନା କରୁଛନ୍ତି। ସିବିଆଇ କହିବା ଅନୁସାରେ ଖଣି ଦୁର୍ନୀତି ମାମଲାରେ ଅଖିଳେଶଙ୍କ ଭୂମିକା ସନ୍ଦେହଜନକ। କାରଣ ସେହି ସମୟରେ ଅଖିଳେଶ ଖଣି ବିଭାଗ ଦାୟିତ୍ୱରେ ଥିଲେ। ଆହ୍ଲାବାଦ ହାଇକୋର୍ଟର ନର୍ଦ୍ଦେ ପରେ ଅଖିଳେଶଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି।
ବହୁଜନ ସମାଜ ପାର୍ଟି

ଦେଶର ପ୍ରଥମ ଦଳିତ ମହିଳା ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଏସପି ନେତ୍ରୀ ମାୟାବତୀ ଏବେ ସିବିଆଇ ଓ ଆୟକର ବିଭାଗର ନଜରରେ ଅଛନ୍ତି। ୧୧୭୯ କୋଟି ଟଙ୍କାର ଚିନି କାରଖାନା ଦୁର୍ନୀତି ମାମଲାରେ ମାୟାବତୀଙ୍କ ଭୂମିକା ଉପରେ ତଦନ୍ତ ମଧ୍ୟ ଚାଲିଛି।
ଆମ ଆଦମୀ ପାର୍ଟି

ଦୂର୍ନୀତି ବିରୋଧରେ ଆନ୍ଦୋଳନରୁ ଜନ୍ମ ନେଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିର ନେତାମାନଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ଆସିଛି। ଉପ ମୁଖ୍ରମନ୍ତ୍ରୀ ମନିଷ ସିସୋଦିଆ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦୁର୍ନୀତି ଉପରେ ସିବିଆଇ ଏବେ ତଦନ୍ତ ଚଳାଇଛି। ଏପରି କି ଅଭିଯୋଗ ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ କେତେକ ଯୋଜନା ଉପରେ ମଧ୍ୟ ପ୍ରାଥମିକ ତଦନ୍ତ କାମ ଆରମ୍ଭ ହୋଇଛି।