ସେଲ୍ ବିକିବ ୫% ଅଂଶଧନ!
ନୂଆଦିଲ୍ଲୀ(ଓଟି): ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସରକାରୀ ଅଂଶଧନ ପ୍ରତ୍ୟାର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିଃ (ସେଲ୍)ରୁ ୫ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଏହାଦ୍ୱାରା କେନ୍ଦ୍ର ସରକାର ଅନୂନ୍ୟ ୧୦୦୦ କୋଟିର ପାଣ୍ଠି ସଂଗ୍ରହ ପାଇଁ ଯୋଜନା କରିଛନ୍ତି। ଏହି ଲକ୍ଷ୍ୟରେ ସିଙ୍ଗପୁର ଏବଂ ହଂକଂରେ ରୋଡ୍ଶୋ’ ପାଇଁ ଯେଜନା ପ୍ରସ୍ତୁତ କରାଯାଉଛି ବୋଲି କେନ୍ଦ୍ର ବିନିଯୋଗ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା(ଦୀପମ୍) ବିଭାଗ ପକ୍ଷରୁ କୁହାଯାଇଛି। ସମ୍ପ୍ରତି ସେଲ୍ରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଅଂଶଧନ ରହିଛି। ଏହାପୂର୍ବରୁ ୨୦୧୪ରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ କେନ୍ଦ୍ର ସରକାର ୫ ପ୍ରତିଶତ ଅଂଶଧନ ବିକ୍ରି କରି ଦେଇଥିଲା ବେଳେ ଆଉ ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ ଏହି ସୂଚନାକୁ ନେଇ ସେଲ୍ ଶେୟାର ମୂଲ୍ୟ ହ୍ରାସ ପାଇଛି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସଂଶୋଧିତ ଲକ୍ଷ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ସୂତ୍ରରୁ ମୋଟ ୬୫,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୪,୦୦୦ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା ବେଳେ ବାକି ଅର୍ଥ ମାର୍ଚ୍ଚ ଶେଷ ସୁଦ୍ଧା ସଂଗ୍ରହ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨୦୨୦-୨୧ ବଜେଟ୍ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରୁ ମୋଟ ୧.୨୦ ଲକ୍ଷ କୋଟିର ପୁଞ୍ଜି ସଂଗ୍ରହ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି।











