ଅନ୍ତ୍ୟେଷ୍ଟି ପାଇଁ କାଠର ବିକଳ୍ପ ‘ଗୋ-କାଷ୍ଠ’


ଭୁବନେଶ୍ଵର, (ଓଟି): ଜୀବନର ଅନ୍ତିମ ସତ୍ୟ ମୃତ୍ୟୁ। ମୃତ୍ୟୁପରେ ଅନ୍ତ୍ୟେଷ୍ଟି ଜୀବନର ଅନ୍ତିମ ସଂସ୍କାର। ଅନ୍ତିମ ସଂସ୍କାର ପାଇଁ କାଠ ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି। କାଠରେ ଶବ ସଂସ୍କାର କରାଯାଉଥିବାରୁ ଏହା ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହିତ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ପାରମ୍ପରିକ ଶବ ସତ୍କାର ବିକଳ୍ପ ଭାବରେ ବିଦ୍ୟୁତ୍ ଚୁଲା ଉପରେ ଗୁରୁତ୍ୱ ଦିଆଯାଉଥିଲେ ହେଁ ତାହା ଏତେଟା ଲୋକପ୍ରିୟ ହୋଇପାରୁନାହିଁ। ଶବ ସତ୍କାରରେ କାଠର ଅଭାବକୁ ପୂରଣ କରିବା ସହିତ ପରିବେଶର ସୁରକ୍ଷା ପାଇଁ ମହାରାଷ୍ଟ୍ରର ନାଗପୁର ଓ ମଧ୍ୟପ୍ରଦେଶର ଭୋପାଳ, ଉନ୍ନାବ ଭଳି ସହରରେ ଏବେ ଗୋ-କାଷ୍ଠ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ଅଞ୍ଚଳର ଲୋକମାନେ ଶବ ସତ୍କାରରେ ଗୋବରରେ ପ୍ରସ୍ତୁତ ଗୋ-କାଷ୍ଠ ବ୍ୟବହାର କରୁଛନ୍ତି। ୭୫୦୦୦ରୁ ଏକ ଲକ୍ଷ ଟଙ୍କା ବ୍ୟୟରେ ମେସିନ ବସାଯାଇ ପ୍ରତିଦିନ ଗୋବରରୁ ଦୁଇ କ୍ୟୁଣ୍ଟାଲ ଗୋ-କାଷ୍ଠ ପ୍ରସ୍ତୁତ କରାଯାଇପାରୁଛି। ଯଦି ଏହି ଗୋ-କାଷ୍ଠ ବ୍ୟବହାର କରାଯାଏ ତେବେ ଦେଶର ପ୍ରତ୍ୟେକ ସହରରେ ପ୍ରତିବର୍ଷ ୩୭୮୦ଟି ଗଛ ବଞ୍ଚିଯିବ ବୋଲି ଆକଳନ କରାଯାଇଛି। କାଠରେ ୧୫ପ୍ରତିଶତ ଆଦ୍ରତା ଥିବାବେଳେ ଗୋ-କାଷ୍ଠରେ ୧୫୦ ପ୍ରତିଶତ ଆଦ୍ରତା ରହୁଛି। ଫଳରେ ଶବ ସତ୍କାରବେଳେ ଘିଅର ଆବଶ୍ୟକତା କମ‍୍‌ ରହୁଛି।

କାଠ ଧୂଆଁରୁ କାର୍ବନ ଡାଇଅକ୍ସାଇଡ଼ ଗ୍ୟାସ ବାହାରି ପରିବେଶ ସହିତ ମଣିଷ ପାଇଁ କ୍ଷତିକାରକ ହେବାରେ ଲାଗିଛି। କିନ୍ତୁ ଗୋ-କାଷ୍ଠ ଜଳାଇବା ଦ୍ୱାରା ୪୦ ପ୍ରତିଶତ ଅକ୍ସିଜେନ ନିର୍ଗତ ହୋଇ ପରିବେଶ ସଂରକ୍ଷଣରେ ସହାୟକ ହୋଇଥାଏ। ଗୋ-କାଷ୍ଠରେ ପୋଖରୀରେ ଥିବା ପଙ୍କ ସହିତ ଗୋବର ମିଶାଇ ପ୍ରସ୍ତୁତ କରାଯାଉଥିବାରୁ ଏହା ବେଶୀ ସମୟ ପର୍ଯ୍ୟନ୍ତ ଜଳିଥାଏ।

ଏବ ସତ୍କାରରେ ପ୍ରୟତଃ ୩ରୁ ୪ କ୍ୟୁଣ୍ଟାଲ କାଠ ଆବଶ୍ୟକ ପଡ଼ିଥାଏ। ଏହାର ଦାମ ୩ଜହାରରୁ ୪ହଜାର ଟଙ୍କା ହୋଇଥାଏ। ଦୁଇ କ୍ୟୁଣ୍ଟାଲ ଗୋ-କାଷ୍ଠରେ ଶବ ସତ୍କାର ହୋଇପାରୁଛି। ଗୋ-କାଷ୍ଠର ମୂଲ୍ୟ ୪୦୦ଟଙ୍କା କ୍ୟୁଣ୍ଟାଲ ହୋଇଥିବାବେଳେ ଶବ ସତ୍କାରରେ ମାତ୍ର ୮୦୦ଟଙ୍କା ଆବଶ୍ୟକ ହୋଇଥାଏ। ଯାହାକି କାଠରେ ଶବ ସତ୍କାରଠାରୁ ବହୁତ ଶସ୍ତା ହେବା ସହିତ ପରିବେଶ ଉପଯୋଗୀ ହେଉଛି।

Leave a Reply

Your email address will not be published. Required fields are marked *