ଗୀତା ମାହାତ୍ମ୍ୟ-୧୮: ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୁଏ
ଯେଉଁ ବ୍ୟକ୍ତି ସମସ୍ତ ପ୍ରାଣୀଙ୍କ ଠାରେ ମୋତେ(ଈଶ୍ୱର)ଙ୍କୁ ଅନୁଭବ କରି ଭଜନ କରନ୍ତି ସେହି ବ୍ୟକ୍ତି ବା ଯୋଗୀ ଜୀବନ ଯାପନ ପାଇଁ ଯେଉଁସବୁ କର୍ମ କରନ୍ତି ତାହା ମୋ(ଈଶ୍ୱରଙ୍କ) ପାଇଁ କରୁଥିବା ବିଚାର କରାଯାଏ । ଅର୍ଥାତ ସମସ୍ତ ଜୀବଙ୍କ ଶରୀରରେ ରହିଥିବା ଜୀବାତ୍ମା ଈଶ୍ୱରଙ୍କ ସତ୍ତା ଭାବେ ବିଚାର କରାଯାଇଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବୁଝାଇଛନ୍ତି ।
ଭଗବାନ ଅର୍ଜୁନଙ୍କୁ ଏକଥା ମଧ୍ୟ କହିଛନ୍ତି ଯେ
“ଆତ୍ମୌପ ମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯୋର୍ଜୁନ ।
ସୁଖଂ ବା ଯଦି ବା ଦୁଃଂ ସ ଯୋଗୀ ପରମୋ ମତଃ । ।
ଅର୍ଥାତ ହେ ଅର୍ଜୁନ! ଯେଉଁ ଯୋଗୀ ବା ବ୍ୟକ୍ତି ସମସ୍ତ ପ୍ରାଣୀଙ୍କୁ ନିଜ ଶରୀର ଅଙ୍ଗ ଭାବେ ବିବେଚନା କରେ ଓ ସମସ୍ତଙ୍କୁ ନିଜ ପରି ଦେଖନ୍ତି ଓ ସମସ୍ତଙ୍କ ସୁଖ ଦୁଃଖକୁ ନିଜ ସୁଖଦୁଃଖ ଭାବେ ବିବେଚନା କରନ୍ତି ତାଙ୍କୁ ପରମ ଯୋଗୀ ବୋଲି କୁହାଯାଏ ।”
ଭଗବାନ ଶ୍ରୀକୃଷ୍ଣଙ୍କ ଏହି ସବୁ ଉପଦେଶ ଶୁଣି ଅର୍ଜୁନଙ୍କର ସଂଶୟ ବଢି ଯାଇଥିଲା ଓ ସେ ଭଗବାନଙ୍କୁ ପଚାରିଲେ, “ହେ ମଧୁସୂଦନ! ଯେଉଁ ସମତ୍ୱରୂପକ ଯୋଗ ସମ୍ପର୍କରେ ଆପଣ କହିଲେ, ମନର ଚଂଚଳତା ଯୋଗୁ ମୁଁ ତାହାର ସ୍ଥିତି ଦେଖିପାରୁ ନାହିଁ । କାରଣ ମନ ବଡ଼ ଚଞ୍ଚଳ, ଇନ୍ଦ୍ରିୟ କ୍ଷୁବ୍ଧକାରୀ, ଦୃଢ ଓ ବଳବାନ ହୋଇଥିବାରୁ ତାହାକୁ ବଶ କରିବା ବାୟୁକୁ ବଶ କରିବା ପରି ଅତି ଦୁଷ୍କର ଅଟେ । ଏଣୁ ମନକୁ ବଶ କିପରି କରିହେବ?
ଅର୍ଜୁନଙ୍କର ଏପରି ପ୍ରଶ୍ନ ଶୁଣି ଭଗବାନ ପୁନର୍ବାର କହିଥିଲେ :
“ଅସଂଶୟ ମହାବାହୋ ମନୋବାହୋ ମନୋ ଦୁର୍ନିଗ୍ରହଂ ତଳମ୍ ।
ଅଭ୍ୟାସେନ ତୁ କୌନ୍ତେୟ ବେରାଗ୍ୟେଣ ଚ ଗୃହ୍ୟତେ । ।
ଅସଂଯତାତ୍ମନା ତୁ ଯତତା ଶକ୍ୟୋବାପ୍ତୁମୁପାୟତଃ । ।
ଅର୍ଥାତ ହେ ଅର୍ଜୁନ! ଏହା ନିସନ୍ଦେହ ଯେ ମନ ଚଂଚଳ ଓ ବଡ଼ କଷ୍ଟରେ ବଶକୁ ଆସେ । ହେଲେ ହେ କୁନ୍ତୀପୁତ୍ର! ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୋଇଥାଏ । ଯାହାର ମନ ସଂଯତ ହୋଇ ନାହିଁ, ତା’ ଦ୍ୱାରା ଯୋଗ ସମ୍ଭବ ହୋଇ ନଥାଏ । କିନ୍ତୁ ମନକୁ ନିଜ ବଶକୁ ଆଣିଥିବା ମନୁଷ୍ୟ ସାଧନା ବଳରେ ସହଜରେ ସିଦ୍ଧିପ୍ରାପ୍ତ ହୋଇଥାଆନ୍ତି ।”
ଭଗବାନ ଶ୍ରୀକୃଷ୍ଣ ଏ କଥା ଶୁଣି ଅର୍ଜୁନ ପୁନର୍ବାର ଭଗବାନଙ୍କୁ ପାଚରିଥିଲେ “ଯେଉଁ ବ୍ୟକ୍ତିଙ୍କର ଯୋଗରେ ଶ୍ରଦ୍ଧା ଥାଏ ହେଲେ ସଂଯମୀ ହୋଇ ନଥାଆନ୍ତି ଓ ଯୋଗର ଶେଷ ପାହାଚରେ ବା ଅନ୍ତକାଳରେ ଯାହାର ମନ ବିଚଳିତ ହୋଇଯାଏ ସେମାନେ କ’ଣ ଯୋଗରେ ସିଦ୍ଧିପ୍ରାପ୍ତ ହୋଇ ନଥାନ୍ତି? ସେମାନେ ଈଶ୍ୱର ଉପଲବ୍ଧିରୁ ବଞ୍ଚିତ ହୋଇ କେଉଁ ଗତି ପ୍ରାପ୍ତ ହୁଅନ୍ତି? ସେପରି ମୋହିତ ଓ ଆଶ୍ରୟରହିତ ପୁରୁଷମାନେ ଆକାଶରେ ଛିନ୍ନଭିନ୍ନ ମେଘ ପରି ସବୁ ଦିଗରୁ ଭ୍ରଷ୍ଟ ହୋଇ କ’ଣ ନଷ୍ଟ ହୋଇଯାଆନ୍ତି?”
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏହି ପ୍ରଶ୍ନର କି ବିସ୍ତୃତ ଉତ୍ତର ପ୍ରଦାନ କରିଥିଲେ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରାଯିବ ।