ଗୀତା ମାହାତ୍ମ୍ୟ- ୧୨: ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ ଏବଂ ସମର୍ପଣ ହିଁ ଶ୍ରେଷ୍ଠ ଯଜ୍ଞ
ଯେଉଁ ବ୍ୟକ୍ତି କର୍ମ ଓ ଅକର୍ମ ପାର୍ଥକ୍ୟ ଦେଖନ୍ତି ନାହିଁ ବା କୌଣସି କର୍ମକୁ ଛୋଟ କର୍ମ ବା ବଡ଼ କର୍ମ ଭାବେ ବିଚାର ବିଚାର କରନ୍ତି ନାହିଁ ସେମାନେ କର୍ମ ବନ୍ଧନରୁ ମୁକ୍ତି ପାଆନ୍ତି । ସେମାନେ ନିରାସକ୍ତ ଭାବେ ଜଗତ କଲ୍ୟାଣ ବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବର୍ଣ୍ଣ ଓ ଗୁଣ ଅନୁସାରେ ନିଜ ପାଇଁ ନିର୍ଦ୍ଧାରିତ ହୋଇଥିବା କର୍ମ କରନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ଜ୍ଞାନ ଯଜ୍ଞ ଶ୍ରେଷ୍ଠ ଯଜ୍ଞ ବୋଲି ମଧ୍ୟ କହିଛନ୍ତି ।
ଈଶ୍ୱରଙ୍କ ସମ୍ପର୍କରେ ଭଲଭାବରେ ଜ୍ଞାନ ଆହରଣ କରି ନିଜର ସମସ୍ତ କର୍ମ ଓ ନିଜକୁ ଇଶ୍ୱରଙ୍କୁ ସମର୍ପଣ କରିବାରେ ହିଁ ମୁକ୍ତି ମିଳିଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଏଥିସହ ଭଗବାନ ଯଜ୍ଞକୁ ବ୍ରହ୍ମ, ଯଜ୍ଞରେ ଅର୍ପଣ କରାଯାଉଥିବା ଉପକରଣ ବା ଯଜ୍ଞରେ ଆହୁତି ଦିଆଯାଉଥିବା ଉପକରଣ ବ୍ରହ୍ମ ଓ ଯଜ୍ଞର କର୍ତ୍ତା ବ୍ରହ୍ମ, ଯଜ୍ଞର ଆହୁତି କ୍ରିୟା ବ୍ରହ୍ମ ଓ ଯଜ୍ଞରୁ ପ୍ରାପ୍ତ ହେଉଉଥିବା ଫଳକୁ ମଧ୍ୟ ବ୍ରହ୍ମ ବୋଲି କହିଛନ୍ତି ।
ଦେବତାଙ୍କ ପୂଜନକୁ ମଧ୍ୟ ଯଜ୍ଞ ବୋଲି ଗୀତାରେ କୁହାଯାଇଛି । କେତେକ ଯୋଗୀ ଭଲଭାବରେ ଦେବତାଙ୍କ ପୂଜନ କରି ପରମବ୍ରହ୍ମ-ପରମାତ୍ମାରୂପକ ଅଗ୍ନିରେ ନିଜକୁ ଦହନ କରି ଈଶ୍ୱର ପ୍ରାପ୍ତି ହୋଇଥାନ୍ତି । ଅର୍ଥାତ ପରମବ୍ରହ୍ମ-ପରମାତ୍ମାଙ୍କ ସମ୍ପର୍କରେ ଜ୍ଞାନ ପ୍ରାପ୍ତି ହେବା ପରେ ଏହି ଯୋଗୀମାନେ ଈଶ୍ୱରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିବା ହିଁ ବ୍ରହ୍ମରୂପ ଅଗ୍ନିରେ ଜଜ୍ଞ କରିବା ।
ସେହିପରି ଅନ୍ୟ କେତେକ ଯୋଗୀ ଇନ୍ଦ୍ରିୟ ସଂଯମ ରୂପକ ଅଗ୍ନିରେ ଆହୁତି ଦେଇ ହୋମ କରନ୍ତି, ଆଉକିଛି ଯୋଗୀ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟରୂପକ ଅଗ୍ନିରେ ଆହୁତି ପ୍ରଦାନ ମଧ୍ୟ କରୁଥିବା ଭଗବାନ କହିଛନ୍ତି । ସେହିପରି କେତେକ ଯୋଗୀ ଆତ୍ମସଂଯମ ରୂପକ ଅଗ୍ନିରେ ପ୍ରାଣମାନଙ୍କର ସମସ୍ତ କ୍ରିୟାକୁ ହବନ କରନ୍ତି ବା ପରମାତ୍ମାଙ୍କ ଛଡ଼ା ସେମାନେ ଅନ୍ୟ କୌଣସି ବିଷୟରେ ବା ଅନ୍ୟ କାହାରି ବିଷୟରେ ଚିନ୍ତା କରନ୍ତି ନାହିଁ । ସେହିଭଳି ଅନ୍ୟ ଯୋଗୀମାନେ ଦ୍ରବ୍ୟ ସମ୍ବନ୍ଧୀୟ ଯଜ୍ଞ କରୁଥିôବା ବେଳେ କେତେକ ତପସ୍ୟା, ଯୋଗ ଓ ଅହିଂସା ଆଚରଣ କରି ଜ୍ଞାନ ଯଜ୍ଞ କରନ୍ତି । ପୁଣି କେତେକ ଯୋଗୀ ଅପନବାୟୁରେ ପ୍ରାଣବାୟୁକୁ ଦହନ କରୁଥିôବା ବେଳେ କେତେକ ପ୍ରାଣବାୟୁରେ ଆପନବାୟୁକୁ ଆହୁତି ଦେଇ ଯଜ୍ଞ କରନ୍ତି । ଏହି ସମସ୍ତ ଯୋଗୀମାନେ ଜ୍ଞାନ ଯୋଗୀ ଓ ଜ୍ଞାନ ଯଜ୍ଞ ଦ୍ୱାରା ପାପ ନାଶ କରି ଇଶ୍ୱର ପ୍ରାପ୍ତ ହେଉଥିବା ଗୀତାରେ କୁହାଯାଇଛି ।
ଏଥିସହ ଅହୁରି ବହୁପ୍ରକାର ଯଜ୍ଞ ବିଷୟରେ ବେଦରେ କୁହାଯାଇଛି ଓ ସେସବୁ ଯଜ୍ଞ ମନ ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ମଧ୍ୟ କୁହାଯାଇଛି । ଯଜ୍ଞରୁ ଉତ୍ପନ୍ନ ହେଉଥିବା ଅମୃତକୁ ଯୋଗୀମାନେ ସେବନ କରି ପରମବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି ଓ ଯଜ୍ଞ କରୁନଥିôବା ବ୍ୟକ୍ତିଙ୍କ ପାଇଁ ଇହଲୋକ ଓ ପରଲୋକ ଉଭୟ ସୁଖଦାୟକ ହୋଇପାରୁ ନଥିବା ଭଗବାନ ଗୀତାରେ କହିଛନ୍ତି । ଏହି ସମସ୍ତ ଯଜ୍ଞ ମଧ୍ୟରେ ଜ୍ଞାନ ଯଜ୍ଞ ଶ୍ରେଷ୍ଠ ହୋଇଥିବାରୁ ସକଳ ପ୍ରକାର କର୍ମ ଜ୍ଞାନରେ ପରିସମାପ୍ତି ହୋଇଯାଏ । ଅର୍ଥାତ ଈଶ୍ୱରଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରି ଈଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କରିବା ହିଁ ସବୁଠାରୁ ଶ୍ରେଷ୍ଠ ଯଜ୍ଞ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ।