ଗୀତା ମାହାତ୍ମ୍ୟ-୨୬: କର୍ମ-ଅପକର୍ମ; ଭୟ-ଅଭୟର ଉତ୍ପତ୍ତି

ସପ୍ରେମ ମୋତେ ଅର୍ପଣ କରାଯାଉଥିôବା ପତ୍ର, ଫଳ, ପୁଷ୍ପ, ଜଳ ଆଦି ପ୍ରତ୍ୟକ ଦ୍ରବ୍ୟକୁ ଛୋଟ ବଡ଼ର ବିଚାର ନକରି ମୁଁ ପ୍ରୀତିର ସହିତ ଗ୍ରହଣ କରିଥାଏ ଓ ଯେଉଁଁ ଭକ୍ତମାନେ ମୋତେ ସମସ୍ତ କର୍ମ ଅର୍ପଣ କରନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ଏବଂ ମୋର ଶରଣାଗତ ହେଉଥିବା ପ୍ରତ୍ୟକ ବ୍ୟକ୍ତିଙ୍କର ପରମ ଗତି ପ୍ରାପ୍ତ ହେଉଥିବା ଭଗବାନ ଶ୍ରୀକୃଷ୍ଣ କହିବା ପରେ ବି ଅର୍ଜୁନଙ୍କ ସଂଶୟ ଦୂର ନହେବାରୁ ସେ ବିଭୁତି ଯୋଗ ବିଷୟରେ ବୁଝାଇଥିଲେ । ବିଭୁତି ଯୋଗ ସମ୍ପର୍କରେ ବୁଝାଇବାକୁ ଯାଇ ଭଗବାନ କହିଲେ, ‘ମୁଁ ଦେବତା ଓ ମହର୍ଷିମାନଙ୍କର ଆଦିକାରଣ ହୋଇଥିବାରୁ ସେମାନେ ମୋର ଉତ୍ପତି ବା ଲୀଳାରେ ପ୍ରକଟ ହେଉଥିବା ରହସ୍ୟ ଜାଣନ୍ତି ନାହିଁ । ଯେ ମୋତେ ଅଜନ୍ମା, ଅନାଦି (ଯେ ଆଦିରହିତ ଓ ସବୁକିଛିର କାରଣ) ବୋଲି ଜାଣନ୍ତି ସେମାନଙ୍କୁ ନିର୍ମୋହ ଜ୍ଞନୀ ପୁରୁଷ ଭାବେ ବିବେଚନା କରାଯାଏ ଏବଂ ସେମାନେ ସମସ୍ତ ପାପରୁ ମୁକ୍ତି ପାଇଯାଆନ୍ତି । ନିଶ୍ଚୟ କରିବା ଶକ୍ତି, ଯଥାର୍ଥ ଜ୍ଞାନ, କ୍ଷମା, ସତ୍ୟ, ଇନ୍ଦ୍ରିୟ ସଂଯମ, ମନୋନିଗ୍ରହ, ସୁଖ-ଦୁଃଖ, ଉତ୍ପତି-ପ୍ରଳୟ, ଭୟ-ଅଭୟ, ଅହିଂସା, ସମତା, ସନ୍ତୋଷ, ତପ, ଦାନ, କିର୍ତ୍ତୀ, ଅପକିର୍ତ୍ତୀ ଆଦି ସମସ୍ତ ଭାବ ମୋ ଠାରୁ ଉତ୍ପନ୍ନ । ସେହିପରି ସଂସାରର ସମସ୍ତ ପ୍ରାଣୀ, ସପ୍ତ ମହର୍ଷୀ ଓ ସପ୍ତ ମହର୍ଷୀଙ୍କ ପୂର୍ବରୁ ଜାତ ହୋଇଥିବା ସନକାଦି ବ୍ରହ୍ମାଙ୍କର ଚାରି ପୁତ୍ର, ସ୍ୱାୟମ୍ଭୁବାଦୀ ଚଉଦମନୁ ମଧ୍ୟ ମୋ ଠାରୁ ଉତ୍ପନ୍ନ ହୋଇଥିବାରୁ ସେମାନେ ମୋ ଠାରେ ଶ୍ରଦ୍ଧା ରଖନ୍ତି ।
ଯେଉଁମାନେ ମୋର ଏହି ପରମ ଐଶ୍ୱର୍ଯ୍ୟ ବିଭୁତି ଓ ଯୋଗଶକ୍ତିକୁ ଜାଣିପାରନ୍ତି, ସେମାନେ ସେମାନେ ନିଶ୍ଚଳ ଭକ୍ତିଯୋଗରେ ଯୁକ୍ତ ହୁଅନ୍ତି । ମୁଁ ସମସ୍ତ ଜଗତର ଉତ୍ପତିର କାରଣ ବୋଲି ବୁଝିପାରିଥିବା ଭକ୍ତମାନେ ମେତେ ନିରନ୍ତର ଭଜନ କରନ୍ତି ।’ ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି,

ମଚ୍ଚିତା ମଦ୍ଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍ ।
କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚଂରମନ୍ତି ଚ । ।

ଅର୍ଥାତ୍ ନିରନ୍ତର ମୋ ଠାର ମନ ଲଗାଇଥିବା ମୋ ଭକ୍ତମାନେ ମୋ ଭକ୍ତି ସମ୍ବନ୍ଧରେ ଚର୍ଚ୍ଚା କରି ମୋର ପ୍ରଭାବ ସମ୍ପର୍କରେ ଅନ୍ୟକୁ ବୋଧ କରାଇବା ସହିତ ମୋର ଗୁଣ ବିଷୟରେ ନିଜ ନିଜ ମଧ୍ୟରେ ଆଲୋଚନା କରି ସନ୍ତୁଷ୍ଟ ରହନ୍ତି ଓ ନିରନ୍ତର ମୋ ଠାରେ ରମଣ କରନ୍ତି । ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି, ‘ନିରନ୍ତର ମୋ ଧ୍ୟାନରେ ଲାଗି ରହୁଥିବା ତଥା ପ୍ରେମପୂର୍ବକ ମୋତେ ଭଜନ କରୁଥିବା ଭକ୍ତଙ୍କୁ ମୁଁ ତତ୍ତ୍ୱଜ୍ଞାନ ପ୍ରଦାନ କରେ ଓ ସେମାନେ ମୋତେ ପ୍ରାପ୍ତ ହୁଅନ୍ତି । ଏହି ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ସେମାନଙ୍କ ଅନ୍ତଃକରଣରେ ମୁଁ ରହି ତାଙ୍କ ଅଜ୍ଞାନଅନ୍ଧକାରକୁ ତତ୍ତ୍ୱଜ୍ଞାନରୂପୀ ଦୀପ ଦ୍ୱାରା ଆଲୋକିତ କରେ ।’

Leave a Reply

Your email address will not be published. Required fields are marked *