ଗୀତା ମାହାତ୍ମ୍ୟ-୧୧: କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦର୍ଶନ କର

ଜ୍ଞାନଯୋଗ ଉପଦେଶ ଅବସରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଦିବ୍ୟ ଅଲୌକିକତା ସମ୍ପର୍କରେ ବୁଝାଇବା ସହ ଅନାସକ୍ତ ଭାବେ ଈଶ୍ୱରଙ୍କଠାରେ ଲୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କର୍ମ ଓ ଅକର୍ମ ବିଷୟରେ ମଧ୍ୟ କହିଛନ୍ତି । ଈଶ୍ୱର (ମୋ) ଦ୍ୱାରା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର ଆଦି ଚାରି ବର୍ଣ୍ଣ ସୃଷ୍ଟି କରିବା ସହିତ ବର୍ଣ୍ଣର ଗୁଣ ଓ କର୍ମ ବିଭାଗ ରଚନା କରିଛନ୍ତି ଓ ସେ ସୃଷ୍ଟିର ରଚନା କରିଥିଲେ ବି ସେ ଅକର୍ତ୍ତା ବୋଲି ଭଗବାନ କହିଛନ୍ତି ।
ଯେହେତୁ କର୍ମଫଳରେ ମୋର ଅର୍ଥାତ ପରମେଶ୍ୱରଙ୍କର ସ୍ପୃହା ବା ଆଗ୍ରହ ନାହିଁ; ତେଣୁ ମୋତେ କୌଣସି କର୍ମ ଲିପ୍ତ କରିପାରେ ନାହିଁ । ଏହି ତତ୍ତ୍ୱକୁ ଯେ ଜାଣିପାରନ୍ତି, ସେ କର୍ମବନ୍ଧନରେ ପଡ଼ନ୍ତି ନାହିଁ ।

ପୂର୍ବକାଳରେ ଜ୍ଞାନୀମାନେ ଏହି ତତ୍ତ୍ୱକୁ ଜାଣି ଅନାସକ୍ତ କର୍ମ କରିଥିବାରୁ ମୁକ୍ତି ପାଇପାରିଛନ୍ତି । ତେଣୁ ପୂର୍ବଜମାନେ ଆଦିକାଳରୁ କରିଥିôବା କର୍ମ ଆପଣାଇବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଭଗବାନ ଅର୍ଜୁନଙ୍କୁ କର୍ମ ଓ ଅକର୍ମ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ବୁଝାଇଛନ୍ତି ।

ଯେଉଁ ବ୍ୟକ୍ତି କର୍ମରେ ଅକର୍ମ ଦର୍ଶନ କରନ୍ତି ଓ ଅକର୍ମରେ କର୍ମ ଦର୍ଶନ କରନ୍ତି ସେ ମନୁଷ୍ୟମାନେ ବୁଦ୍ଧିମାନ ଏବଂ ସେହି ଯୋଗୀମାନେ ସମସ୍ତ କର୍ମ କରିପାରନ୍ତି ବୋଲି ଜ୍ଞାନଯୋଗରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ।

ଯେଉଁ ପୁରୁଷ ସମସ୍ତ କର୍ମରେ ଏବଂ ତାହାର ଫଳରେ ଆସକ୍ତି ତ୍ୟାଗ କରି ସଂସାରର ଆଶ୍ରୟରୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଠାରେ ନିତ୍ୟତୃପ୍ତ ହୋଇ ରହିଛନ୍ତି, ସେ କର୍ମରେ ଭଲଭାବରେ ପ୍ରବୃତ ହୋଇ ମଧ୍ୟ ବସ୍ତୁତଃ କିଛି ବି କରନ୍ତି ନାହିଁ । ଯେଉଁ ବ୍ୟକ୍ତି ଆସକ୍ତିରହିତ ହୋଇଛନ୍ତି ଓ ଇନ୍ଦ୍ରିୟଗୁଡ଼ିକୁ ଜୟ କରିବା ସହିତ ସମସ୍ତ ଭୋଗ ବିଳାସ ପରିତ୍ୟାଗ କରିଦେଇଛନ୍ତି ସେମାନେ ଶରୀର ସମ୍ବନ୍ଧୀୟ କର୍ମ କରୁଥିଲେ ବି ପାପଭାଗୀ ହୁଅନ୍ତି ନାହିଁ । ଯେଉଁମାନେ ବିନା ଇଚ୍ଛାରେ ଆପଣାଛାଏଁ ମିଳୁଥିବା ପଦାର୍ଥରେ ସଦା ସନ୍ତୁଷ୍ଟ ରହନ୍ତି, ଯେ ସର୍ବଦା ଇର୍ଷାଶୂନ୍ୟ ହେବା ସହିତ ହର୍ଷ,ଶୋକ ଆଦି ଦ୍ୱନ୍ଦ୍ୱରୁ ମୁକ୍ତ ହୋଇଯାଇଛନ୍ତି । ଯେଉଁମାନେ ସିଦ୍ଧି ଓ ଅସିଦ୍ଧିରେ ପାର୍ଥକ୍ୟ ଦେଖନ୍ତି ନାହିଁ ସେମାନେ କର୍ମ କରି ମଧ୍ୟ କର୍ମବନ୍ଧନରେ ପଡ଼ନ୍ତି ନାହିଁ । ସେହିପରି ଯାହାଙ୍କର ଆଶକ୍ତି ନଷ୍ଟ ହେବା ସହିତ ଯେ ଦେହାଭିମାନ ଓ ମମତାରହିତ ହୋଇଯାଇଛନ୍ତି, ଯାହାଙ୍କ ଚିତ୍ତ ନିରନ୍ତର ପରମାତ୍ମାଙ୍କ ଆଜ୍ଞାରେ ଅବସ୍ଥିତ ହୋଇ ରହିଛି ଓ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଯେଉଁମାନେ କର୍ମ(ଯଜ୍ଞକର୍ମ)କରନ୍ତି ସେମାନଙ୍କର ଅକର୍ମ ବିଲୀନ ହୋଇଯାଏ ।

ଯେଉଁ ବ୍ୟକ୍ତି କର୍ମ ଓ ଅକର୍ମ ପାର୍ଥକ୍ୟ ଦେଖନ୍ତି ନାହିଁ ବା କୌଣସି କର୍ମକୁ ଛୋଟ କର୍ମ ବା ବଡ଼ କର୍ମ ଭାବେ ବିଚାର ନକରି ନିରାସକ୍ତ ଭାବେ ଜଗତ କଲ୍ୟାଣ ବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିଜ ପାଇଁ ନିର୍ଦ୍ଧାରିତ ହୋଇଥିôବା କର୍ମ କରନ୍ତି ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ଅଧ୍ୟାୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟ-୧୦: ଧର୍ମ ରକ୍ଷା ପାଇଁ ଈଶ୍ୱର ଧରାପୃଷ୍ଠରେ ପ୍ରକଟ ହୁଅନ୍ତି

ଗୀତା ମାହାତ୍ମ୍ୟ-୯: ସ୍ୱଧର୍ମ କଲ୍ୟାଣକର, ଅନ୍ୟଧର୍ମ ଭୟାବହ

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

Leave a Reply

Your email address will not be published. Required fields are marked *