ଗୀତା ମାହାତ୍ମ୍ୟ-୨୨: ମୃତ୍ୟୁ ପରେ କ’ଣ ହୁଏ ତାହା ମୃତ୍ୟୁ ସମୟ ସୂଚାଇ ଦିଏ
ଈଶ୍ୱର ପ୍ରାପ୍ତି ପରେ ଆଉ ପୁନର୍ଜନ୍ମ ହେଉନଥିବା ଓ ଅନନ୍ୟ ଭକ୍ତି ବଳରେ ପରମାତ୍ମାଙ୍କୁ ପ୍ରାପ୍ତ ହେଉଥିବା କଥା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପରେ କେଉଁ ସମୟରେ ଶରୀର ତ୍ୟାଗ କଲେ ଜୀବର ପୁର୍ଜଜନ୍ମ ହୁଏନାହିଁ ଓ କେଉଁ ସମୟରେ ଶରୀର ତ୍ୟାଗ ହେଲେ ପୁନର୍ଜନ୍ମ ହୋଇଥାଏ ତାହା ଭଗବାନ କହିଛନ୍ତି ।
ମନୁଷ୍ୟ ବା ଜୀବର ମୃତ୍ୟୁ ସମୟ ବା କାଳର ନିର୍ଦ୍ଦିଷ୍ଟ ଅଧିପତି ଦେବତା ରହିଛନ୍ତି ଓ ସେହି ଦେବତା ମୃତ୍ୟୁ ପରେ ଜୀବର କର୍ମାନୁସାରେ ଜୀବାତ୍ମାକୁ ନିର୍ଦ୍ଧାରିତ ମାର୍ଗରେ ନିର୍ଦ୍ଧାରିତ ଧାମକୁ ନେଇଯାଆନ୍ତି । ସେହି ନିର୍ଦ୍ଧାରିତ ଧାମରେ ଜୀବାତ୍ମା ପହଞ୍ଚିବା ପରେ କୃତ କର୍ମ ଅନୁସାରେ ଜୀବ ପୁନର୍ଜନ୍ମ ପାଇଥାଏ ବା ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ବ୍ରହ୍ମଲୀନ ହୋଇଥାଏ ବୋଲି ଭଗବାନ କହିଛନ୍ତି ।
ଯେଉଁ ମାର୍ଗରେ ଜ୍ୟୋତିର୍ମୟ ଅଗ୍ନିର ଦେବତା, ଦିନର ଅଭିମାନୀ ଦେବତା, ଶୁକ୍ଳପକ୍ଷର ଅଭିମାନୀ ଦେବତା ଓ ଉତ୍ତରାୟଣ ଛଅମାସର ଅଭିମାନୀ ଦେବତା ରହିଥାଆନ୍ତି ବ୍ରହ୍ମବେତା ଯୋଗୀମାନଙ୍କ ମୃତ୍ୟୁ ପରେ ଉକ୍ତ ଦେବତାମାନେ ଏହି ଯୋଗୀମାନଙ୍କ ଜୀବାତ୍ମାକୁ ନିଜମାର୍ଗରେ ନେଇ ବ୍ରହ୍ମଲୋକରେ ପହଞ୍ଚାଇ ଦିଅନ୍ତି ଓ ସେମାନେ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି।
ସେହିପରି ଜୀବର ମୃତ୍ୟୁ ପରେ ଜୀବାତ୍ମା ଧୂମାଭିମାନୀ ଦେବତା, ରାତ୍ରି ଅଭିମାନୀ ଦେବତା, କୃଷ୍ଣପକ୍ଷର ଅଭିମାନୀ ଦେବତା ଓ ଦକ୍ଷିଣାୟନ ଛଅମାସର ଅଭିମାନୀ ଦେବତାଙ୍କ ଦ୍ୱାରା ତାଙ୍କ ନିଜସ୍ୱ ମାର୍ଗରେ ନିଆଯାଉଥିବା ଜୀବାତ୍ମାମାନେ ଉଦ୍ଧ୍ୱର୍ଲୋକକୁ ଯାଇଥାଆନ୍ତି ଓ ସେଠାରେ ଚନ୍ଦ୍ରମାଙ୍କ ଜ୍ୟୋତି ପ୍ରାପ୍ତ ହୋଇ ସ୍ୱର୍ଗରେ ନିଜ ଶୁଭ କର୍ମର ଫଳ ଭୋଗ କରିସାରିବା ପରେ ପୁନର୍ବାର ମୃତ୍ୟୁଲୋକକୁ ଫେରି ଆସନ୍ତି । ଅର୍ଥାତ ଦିବସରେ, ଶୁକ୍ଳପକ୍ଷରେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁ ଯୋଗୀମାନଙ୍କର ମୃତ୍ୟୁ ହୁଏ ତାଙ୍କ ଜୀବାତ୍ମାର ପୁନର୍ଜନ୍ମ ନହୋଇ ବ୍ରହ୍ମପ୍ରାପ୍ତ ହେଉଥିବା ବେଳେ ରାତ୍ରୀରେ, କୃଷ୍ଣପକ୍ଷରେ ଓ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ସମୟରେ ଶରୀର ତ୍ୟାଗ କରିଥିବା ଜୀବର ଜୀବାତ୍ମାମାନେ ସ୍ୱର୍ଗଲୋକକୁ ଯାଇ ନିଜ ଶୁଭକର୍ମର ସୁଫଳ ଭୋଗ କରିବା ପରେ ପୁନର୍ଜନ୍ମ ଲାଭ କରୁଥିବା ଭଗବାନ କହିଛନ୍ତି ।
ଏହାର କରଣ ସମ୍ପର୍କରେ କହିବାକୁ ଯାଇ ଭଗବାନ କହିଛନ୍ତି ଯେ, ‘ଶୁକ୍ଳ ପକ୍ଷକୁ ଦେବଯାନ ଓ କୃଷ୍ଣପକ୍ଷକୁ ପିତୃଯାନ ମାର୍ଗ ବୋଲି କୁହାଯାଏ । ଜୀବାତ୍ମା ଦେବଯାନ ମାର୍ଗକୁ ଧରି ଗମନ କଲେ ମୃତ୍ୟୁ ଲୋକକୁ ପ୍ରତ୍ୟାବର୍ତ୍ତନ ନହୋଇ ପରମଗତି ମିଳିଥିବା ବେଳେ ପିତୃଯାନ ମାର୍ଗକୁ ଧରି ଗମନ କରୁଥିବା ଜୀବାତ୍ମା ମୃତ୍ୟୁଲୋକକୁ ପ୍ରତ୍ୟାବର୍ତନ କରି ଜନ୍ମ-ମୃତ୍ୟୁ ପ୍ରାପ୍ତ ହୁଏ ।
ତେଣୁ ଏହି ଦୁଇ ମାର୍ଗକୁ ତତ୍ତ୍ୱତଃ ଜାଣିଗଲେ କୌଣସି ଯୋଗୀ ଆଉ ମୋହଗ୍ରସ୍ଥ ହୁଅନ୍ତି ନାହିଁ । ତେଣୁ ହେ! ଅର୍ଜୁନ ତୁମେ ସମବୁଦ୍ଧିରୂପକ ଯୋଗରେ ଯୁକ୍ତହୋଇ ମୋର ପ୍ରାପ୍ତି ପାଇଁ ଯତ୍ନସହକାରେ ସାଧନାରେ ଲିପ୍ତହୁଅ ।’ ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ
ବେଦେସୁ ଯିଜ୍ଞେସୁ ତବସୁ ଚୈବ
ଦାନେଷୁ ଯତ୍ ପୁଣ୍ୟଫଳଂ ପ୍ରଦିଷ୍ଟମ ।
ଅତ୍ୟେତି ତତ୍ ସର୍ବମିଦଂ ବିଦିତ୍ବା
ଯୋଗୀ ପରଂ ସ୍ଥାନମୁପୈତି ତାଦ୍ୟମ । ।
ଅର୍ଥାତ୍ ଯୋଗୀମାନେ ଏହି ରହସ୍ୟ ତତ୍ତ୍ୱଟି ଜାଣିଯାଇ ବେଦପାଠ ତଥା ଯଜ୍ଞ, ତପ ଓ ଦାନାଦି କର୍ମମାନଙ୍କରୁ ମିଳୁଥିବା ପୁଣ୍ୟଫଳକୁ ଅତିକ୍ରମ କରିଯାଇ ପରମପାଦ ପ୍ରାପ୍ତ ହୁଅନ୍ତି ।