ଗୀତା ମାହାତ୍ମ୍ୟ-୩୯: ସମସ୍ତଙ୍କଠୁ ଆଗରେ ଆଦିପୁରୁଷ ନାରାୟଣ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତ୍ତ୍ୱ, ରଜୋ ଓ ତମୋଗୁଣ ସମ୍ପର୍କରେ ସବିଶେଷ କହିବା ସହ ଭକ୍ତିଯୋଗ ଦ୍ୱାରା ଈଶ୍ୱରଙ୍କୁ ଭଜନ କରୁଥିବା ବ୍ୟକ୍ତିମାନେ ସତ୍ୱ, ରଜୋ ଓ ତମୋଗୁଣକୁ ଅତିକ୍ରମ କରି ପରମବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି ଓ ଯେଉଁ ଜୀବ ଇଶ୍ୱରଙ୍କୁ ବା ତାଙ୍କୁ ଆଶ୍ରୟ କରିଥାଏ ସେ ଅଖଣ୍ଡ ଏକରସର ଅନନ୍ଦ ପାଇପାରିଥାଏ ବୋଲି କହିଥିଲେ ।

କିନ୍ତୁ ଏଥିରେ ଅର୍ଜୁନଙ୍କ ସଂଶୟ ଦୂର ନହେବାରୁ ଭଗବାନ ତାଙ୍କୁ ପୁରୁଷୋତ୍ତମ ଯୋଗ ସମ୍ପର୍କରେ କହିଛନ୍ତି ଯେ ଆଦିପୁରୁଷ ନାରାୟଣ ସମସ୍ତ ସଂଶାରର ମୂଳ । ଆଦିପୁରୁଷ ନାରାୟଣ ବାସୁଦେବ ଭଗବାନ ହିଁ ନିତ୍ୟ, ଅନନ୍ତ, ସମସ୍ତଙ୍କର ଆଧାର ଓ ସମସ୍ତଙ୍କର ଆଧାର ଓ ସମସ୍ତଙ୍କ ଉପରେ ନିତ୍ୟଧାମରେ ସୁଗୁଣରୂପେ ବାସକରନ୍ତି; ତେଣୁ ତାଙ୍କୁ ଉର୍ଦ୍ଧ୍ୱ କୁହାଯାଏ ।

ଏହି ସର୍ବଶକ୍ତିମାନ ପରମେଶ୍ୱର ହିଁ ଏହି ସଂସାର ବୃକ୍ଷର କାରଣ ସ୍ୱରୂପ । ତେଣୁ ସଂସାର ବୃକ୍ଷକୁ ଉର୍ଦ୍ଧ୍ୱମୂଳ ବୋଲି କୁହାଯାଏ । ପରମେଶ୍ୱର ସମସ୍ତ ସଂସାରର ମୂଳ ହେଲେ ସୃଷ୍ଟି କର୍ତ୍ତା ବ୍ରହ୍ମା ତାଙ୍କର ମୁଖ୍ୟଶାଖା । ବ୍ରହ୍ମା ଆଦିପୁରୁଷଙ୍କଠାରୁ ଉତ୍ପନ୍ନ ହୋଇଥିବାରୁ ବ୍ରହ୍ମଲୋକ ଆଦିପୁରୁଷଙ୍କ ନିତ୍ୟଧାମର ତଳେ । ତେଣୁ ବ୍ରହ୍ମାଙ୍କୁ ପରମେଶ୍ୱରଙ୍କ ଠାରୁ ‘ଅଧଃ’ କୁହାଯାଇଛି । ବ୍ରହ୍ମା ଜଗତର ବିସ୍ତାରକର୍ତ୍ତା ହୋଇଥିବାରୁ ସେ ପରମେଶ୍ୱରଙ୍କର ପ୍ରଧାନ ଶାଖ।। ଅଟନ୍ତି ଓ ସଂସାର ବୃକ୍ଷକୁ ଅଧଃଶାଖା ବୋଲି ମଧ୍ୟ କୁହାଯାଏ । ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ସଂସାରରୂପକ ଅଶ୍ୱତ୍ଥ ବୃକ୍ଷକୁ ଅବିନାଶୀ ଓ ବେଦକୁ ସେହି ବୃକ୍ଷର ପତ୍ର କୁହାଯାଏ । ସଂସାର ବୃକ୍ଷର ଶାଖା ବ୍ରହ୍ମାଙ୍କ ମୁଖରୁ ବେଦ ଉତ୍ପନ୍ନ ହୋଇଥିବାରୁ ବେଦକୁ ସଂସାର ବୃକ୍ଷର ପତ୍ର ବୋଲାଯାଏ ।

ଯେଉଁ ବ୍ୟକ୍ତି ସଂସାର ବୃକ୍ଷର ମୂଳକୁ ତତ୍ତ୍ୱତଃ ଜାଣନ୍ତି ବା ଉପଲବ୍‍ଧି କରିପାରିଛନ୍ତି ସେ ବେଦର ପ୍ରକୃତ ତାତ୍ପର୍ଯ୍ୟ ଜାଣନ୍ତି। ଅର୍ଥାତ୍ ସଂସାର କ୍ଷଣଭଙ୍ଗୁର, ଅନିତ୍ୟ ଓ ଦୁଃଖର କାରଣ ବୋଲି ବୁଝି ପାରି ଯିଏ ସଂସାର ପ୍ରତି ଆସକ୍ତି ତ୍ୟାଗ କରି ଅନନ୍ୟ ଭକ୍ତ ସହକାରେ ପରମେଶ୍ୱରଙ୍କୁ ନିତ୍ୟ ଚିନ୍ତନ କରନ୍ତି ସେ ହିଁ କେବଳ ବେଦର ତାତ୍ପର୍ଯ୍ୟ ବୁଝିପାରନ୍ତି । ଏଥିସହ ଭଗବାନ ଆହରି ମଧ୍ୟ କହିଛନ୍ତି,

ଅଧଦେ୍ଧ୍ୱର୍ଂ ପ୍ରସୃତାସ୍ତସ୍ୟ ଶାଖା ଗୁଣପ୍ରବୃଦ୍ଧା ବିଷୟ ପ୍ରବଳାଃ ।
ଅଧଶ୍ଚ ମୂଳାନ୍ୟନୁସଂତତାନି କର୍ମାନୁବନ୍ଧନୀ ନି ମନୁଷ୍ୟଲୋକେ । ।

ଅର୍ଥାତ୍ ତ୍ରିଗୁଣରୂପୀ ଜଳଦ୍ୱାରା ବୃଦ୍ଧିପ୍ରାପ୍ତ ହୋଇଥିବା ଏବଂ ବିଷୟଭୋଗ ରୂପୀ କୋମଳ ପତ୍ର ଥିବା ସେହି ସଂସାର ବୃକ୍ଷର ଦେବ, ମନୁଷ୍ୟ ଆଦି ଯୋନିରୂପୀ ଶାଖାଗୁଡ଼ିକ ତଳ ଉପର ଆଦି ସକଳ ଦିଗରେ ପ୍ରସାରିତ ହୋଇଛି ତଥା ମନୁଷ୍ୟ ଲୋକରେ କର୍ମାନୁସାରେ ବନ୍ଧନ କରୁଥିବା ଅହଂତ୍ୱ, ମମତ୍ୱ ଓ ବାସନାରୂପୀ ମୂଳଗୁଡ଼ିକ ମଧ୍ୟ ତଳ ଉପର ହୋଇ ସର୍ବଲୋକରେ ବ୍ୟପ୍ତ ହୋଇଛି । ଅର୍ଥାତ୍ ମୂଳ ଶାଖା ବ୍ରହ୍ମାଙ୍କଠାରୁ ଦେବତା, ମନୁଷ୍ୟାଦି ଯୋନିର ଉତ୍ପତି ଓ ବିସ୍ତାର ହୁଏ। ତେଣୁ ସେସବୁକୁ ଶାଖା କୁହାଯାଇଛି । ସେହିପରି ମନୁଷ୍ୟ ଯୋନିରେ ଜନ୍ମଲାଭ କରୁଥିବା ଜୀବ କେବଳ ନୂତନ କର୍ମ କରିଥାଏ । ଯେଉଁ ମନୁଷ୍ୟ ଅହଂତ୍ୱ ଓ ମମତ୍ୱ ରଖି କର୍ମ କରିଥାଏ ସେ କର୍ମ ବନ୍ଧନରେ ପଡ଼ିଥାଏ ।”



Leave a Reply

Your email address will not be published. Required fields are marked *