ଗୀତା ମାହାତ୍ମ୍ୟ- ୨୫: ବିଷ୍ଣୁ ଶରଣାଗତଙ୍କ ପୂନର୍ଜନ୍ମ ନଥାଏ

ମୁଁ କ୍ରତୁ; ମୁଁ ଯଜ୍ଞ; ମୁଁ ସ୍ୱଧା; ମୁଁ ମହୌଷଧୀ; ମୁଁ ମନ୍ତ୍ର; ମୁଁ ଘୃତ; ମୁଁ ଅଗ୍ନି……ଆଦି କହିବା ସହ ତିନି ବେଦର ବିଧାନ ଅନୁସାରେ ଭକ୍ତି ସହକାରେ ନିରନ୍ତର ମୋତେ ପୂଜା କରି ପୂଣ୍ୟ ଲାଭ କରିଥିବା ପୁରୁଷମାନେ ନିଜ ପୂଣ୍ୟର ଫଳ ସ୍ୱରୂପ ମୃତ୍ୟୁ ପରେ ସ୍ୱର୍ଗକୁ ଯାଇ ଦେବଭୋଗ କରିବା ପରେ ପୁନର୍ବାର ମୃତ୍ୟୁଲୋକକୁ ଫେରି ଆସନ୍ତି ବୋଲି ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ କହିବା ପରେ ମଧ୍ୟ ଅର୍ଜୁନଙ୍କ ସନ୍ଦେହ ଦୂର ହୋଇନାହିଁ । ଯେଉଁ ଭକ୍ତମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ନିରନ୍ତର ଚିନ୍ତନପୂର୍ବକ ନିଷ୍କାମଭାବରେ ଭଜନ କରିବା ସହିତ ନିରନ୍ତର ମୋତେ ଚିନ୍ତନ କରନ୍ତି ସେହି ପୁରୁଷମାନଙ୍କର ଯୋଗକ୍ଷେମ (ଭଗବତ୍ ସ୍ୱରୂପ ପ୍ରାପ୍ତିକୁ ଯୋଗ ଓ ଭଗବତ୍ ପ୍ରାପ୍ତି ପାଇଁ କରାଯାଉଥିବା ସାଧନା ରକ୍ଷା କରିବାକୁ କ୍ଷେମ କୁହାଯାଏ), ମୁଁ ବହନ କରେ । କିନ୍ତୁ ମୋ ଛଡ଼ା ଯେଉଁମାନେ ଅନ୍ୟ ଦେବତାଙ୍କୁ ପୂଜା କରନ୍ତି ସେମାନଙ୍କର ପୁନର୍ଜନ୍ମ ପ୍ରାପ୍ତ ହୁଏ ।
ଏହା ସତ୍ୟ ଯେ, ଅନ୍ୟ ଦେବତାମାନଙ୍କୁ ପୂଜା କରୁଥିବା ସକାମ ଭକ୍ତମାନେ ତାଙ୍କ ଅଜାଣତରେ ମୋତେ ହିଁ ପୂଜା କରନ୍ତି। ଅର୍ଥାତ୍‍ ସକାମ ଭକ୍ତମାନେ ଅଜ୍ଞାନପୂର୍ବକ ଓ ଅବିଧିପୂର୍ବକ ଏହି ପୂଜା କରନ୍ତି । କାରଣ ସକଳ ଯଜ୍ଞ ଓ ପୂଜାର ଭୋକ୍ତା ମୁଁ ହୋଇଥିଲେ ବି ସେମାନେ ଏହି କଥାକୁ ତତ୍ୱତଃ ଜାଣି ନଥିବାରରୁ ତାଙ୍କର ପତନ ହୁଏ ବା ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ।
ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି ଦେବତାମାନଙ୍କୁ ପାଆନ୍ତି । ସେହିପରି ପିତୃମାନଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃମାନଙ୍କୁ, ଭୂତମାନଙ୍କୁ ପୂଜା କରୁଥିବା ବ୍ୟକ୍ତି ଭୂତମାନଙ୍କୁ ଓ ମୋତେ ପୂଜା କରୁଥିବା ବ୍ୟକ୍ତିମାନେ ମୋତ ପାଆନ୍ତି । ତେଣୁ ମୋର ଭକ୍ତମାନେ ମୋତେ ପାଆନ୍ତି ଓ ତାଙ୍କର ପୁନର୍ଜନ୍ମ ହୁଏ ନାହିଁ ।

ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରଯଚ୍ଛତି ।
ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ । ।
ଯକ୍ରରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍ ।
ଯତପସ୍ୟସି କୌନ୍ତେୟ ତକ୍ରୁରୁଷ୍ୱ ମଦର୍ପଣମ୍ । ।

ଅର୍ଥାତ୍ ଯେଉଁ ଭକ୍ତମାନେ ପ୍ରେମର ସହିତ ପତ୍ର, ପୁଷ୍ପ, ଫଳ, ଜଳ ଆଦି ମୋତେ ଅର୍ପଣ କରନ୍ତି ସେସବୁକୁ ମୁଁ ପ୍ରୀତିପୂର୍ବକ ଗ୍ରହଣ କରେ । ତେଣୁ ହେ ଅର୍ଜୁନ, ତୁମେ ଯାହା କିଛି କର୍ମ କରୁଛ, ହବନ କରୁଛ, ଭୋଜନ କରୁଛ, ଦାନ କରୁଛ ଏବଂ ଯାହା କିଛି ତପ କରୁଛ, ତାହା ମୋତେ ଅର୍ପଣ କର ।
ଅର୍ଜୁନଙ୍କ ସନ୍ଦେହ ଦୂର ପାଇଁ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ, ‘ସନ୍ୟାସଯୋଗରେ ଯୁକ୍ତଚିତ ହୋଇ କର୍ମଫଳର ଆଶା ନରଖି ତ୍ୟାଗ ପୂର୍ବକ ଯେଉଁ ଭକ୍ତମାନେ ତାଙ୍କର ସମସ୍ତ କର୍ମ ମେତେ ଅର୍ପଣ କରନ୍ତି ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇଯାଇ ମୋତେ ପାଇପାରନ୍ତି । ସକଳ ଭୂତଙ୍କ ଠାରେ ମୁଁ ସମଭାବରେ ବ୍ୟାପ୍ତ ହୋଇଥିବାରୁ ମୋର କେହି ପ୍ରିୟ ବା ଅପ୍ରିୟ ନୁହଁନ୍ତି । ପ୍ରେମର ସହିତ ମୋତେ ଭଜନ କରୁଥିବା ଭକ୍ତମାନେ ମୋ ମଧ୍ୟରେ ଥାଆନ୍ତି ଓ ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରକଟ ହୋଇଥାଏ । ଏପରିକି ମୋତେ ଭଜନ କରୁଥିବା ଅତି ଦୁରାଚାରୀମାନଙ୍କୁ ସାଧୁଙ୍କ ମଧ୍ୟରେ ଗଣନା କରାଯାଏ । କାରଣ ପରମେଶ୍ୱରଙ୍କ ଭଜନ ସମାନ ଅନ୍ୟ କିଛି ନଥିବା ସେମାନେ ନିଶ୍ଚୟ କରିଥାଆନ୍ତି । ଏହିପରି ବ୍ୟକ୍ତିମାନେ ଶୀଘ୍ର ଧର୍ମାତ୍ମା ପାଲଟି ଯାଆନ୍ତି ଓ ଚିରନ୍ତନ ଶାନ୍ତି ପାଇପାରନ୍ତି । ତେଣୁ ମୋର ଭକ୍ତଙ୍କର ବିନାଶ ହୁଏ ନାହିଁ ।
ମୋର ଶରଣାଗତ ହେଉଥିବା ପୁଣ୍ୟାତ୍ମା ବ୍ରାହ୍ମଣ, ରାଜର୍ଷୀଙ୍କ ଠାରୁ ଆରମ୍ଭ କରି ସ୍ତ୍ରୀ, ବେଶ୍ୟା, ଶୁଦ୍ର ତଥା ନୀଚ୍ଚଜାତିର ଲୋକମାନେ ପରମଗତି ପ୍ରାପ୍ତ ହୁଅନ୍ତି । ଅତଏବ ହେ ଅର୍ଜୁନ, ଏହି ସୁଖରହିତ ଓ କ୍ଷଣଭଙ୍ଗୁର ଶରୀର ପାଇଥିବାରୁ ତୁମେ ମୋତେ ନିରନ୍ତର ଭଜନ କର, ମୋ’ଠାରେ ମନ ଲଗାଇ ମୋର ଭକ୍ତ ହୋଇ ମୋତେ ପୂଜନ କରିବା ସହ ମୋତେ ପ୍ରଣାମ କର, ତୁମ ଆତ୍ମାକୁ ମୋ ଠାରେ ଲଗାଇ ମୋର ପାରାୟଣ କଲେ ତୁମେ ମୋତେ ନିଶ୍ଚୟ ପାଇପାରିବ ।

ଅଧିକ ଗୀତା ମାହାତ୍ମ୍ୟ ପାଇଁ କ୍ଲିକ୍‌ କରନ୍ତୁ

Leave a Reply

Your email address will not be published. Required fields are marked *