ଗୀତା ମହାହାତ୍ମ୍ୟ:-୨୧: ଯେଉଁମାନେ ମୋତେ ଅନ୍ତକାଳରେ ଜାଣିପାରନ୍ତି ସେମାନେ ମୋତେ ପାଇପାରନ୍ତି
ମୁଁ ସମସ୍ତ ଜଗତର ଉତ୍ପତ୍ତି ଓ ପ୍ରଳୟର କାରଣ ଏବଂ ସମସ୍ତ ଜଗତ ମୋ ଠାରେ ଲାଗିରହିଥିଲେ ବି ମନୁଷ୍ୟ ମାୟାରେ ପଡ଼ି ଏହି କଥାକୁ ବୁଝି ପାରେନା । ଏହି କାରଣରୁ ସେ ମୁକ୍ତି ପାଇପାରନ୍ତି ନାହିଁ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ସଂଶୟ ଦୂର ପାଇଁ କହିଥିଲେ ବି ଅର୍ଜୁନଙ୍କ ସଂଶୟ ଦୂର ହୋଇ ନଥିଲା ।
ତେଣୁ ଅର୍ଜୁନଙ୍କୁ ପୁନର୍ବାର ଭଗବାନ କହିଛନ୍ତି, ସଂସାରରେ ଉତ୍ତମକର୍ମ କରୁଥିବା ଚାରି ପ୍ରକାର ଭକ୍ତ ଅଛନ୍ତି । ସେମାନେ ହେେଲେ ଅର୍ଥାର୍ଥୀ(ସାଂସାରିକ ବିଷୟ ପାଇଁ ଭଜନ କରୁଥିବା ଲୋକ), ଆର୍ତ(ସଙ୍କଟ ମୋଚନ ପାଇଁ ଭଜନ କରୁଥିବା ଲୋକ), ଜିଜ୍ଞାସୁ (ମୋତେ ଯଥାର୍ଥ ରୂପେ ଜାଣିବା ପାଇଁ ଭଜନ କରୁଥିବା ଲୋକ) ଓ ଜ୍ଞାନୀ । ଏହି ଚାରି ପ୍ରକାର ଭକ୍ତଙ୍କ ମଧ୍ୟରୁ ଜ୍ଞାନୀ ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ । ଜ୍ଞାନୀ ଭକ୍ତମାନେ ସବୁସମୟରେ ଏକନିଷ୍ଠ ସହକାରେ ଅନନ୍ୟ ପ୍ରେମ ଭାବ ରଖି ମୋ ଠାରେ ଲାଗି ରହିଥାଆନ୍ତି । ଏହି ଜ୍ଞାନୀ ଭକ୍ତମାନେ ଅତ୍ୟନ୍ତ ଉଦାର ଓ ସାକ୍ଷାତ୍ ମୋ ସ୍ୱରୂପ ଅଟନ୍ତି । ବହୁ ଜନ୍ମପରେ ଶେଷ ଜନ୍ମରେ ଏହି ଭକ୍ତମାନେ ତତ୍ତ୍ୱଜ୍ଞାନପ୍ରାପ୍ତ ହୋଇ ‘ସବୁ କିଛି ବାସୁଦେବ ଅଟନ୍ତି’ ବୋଲି ଅନୁଭବ କରି ମୋତେ ଭଜନ କରନ୍ତି ।
ଅନ୍ୟପକ୍ଷରେ ଭୋଗକାମନାର ବଶବର୍ତ୍ତୀ ହୋଇଥିବା ବ୍ୟକ୍ତିମାନେ ନିଜ ସ୍ୱଭାବ ଦ୍ୱାରା ପ୍ରେରିତ ହୋଇ ଅନ୍ୟ ଦେବତାମାନଙ୍କୁ ତାଙ୍କ ଅରାଧନା ନିୟମ ଅନୁସାରେ ପୂଜା କରନ୍ତି । ଯେଉଁ ସକାମ ଭକ୍ତମାନେ ଯେଉଁ ଦେବତାଙ୍କ ସ୍ୱରୂପସବୁକୁ ପୂଜା କରନ୍ତି, ସେହି ଭକ୍ତଙ୍କ ଶ୍ରଦ୍ଧାକୁ ମୁଁ ସେହି ଦେବତାଙ୍କ ପ୍ରତି ନିବିଷ୍ଟ କରାଏ । ମୋ ଦ୍ୱାରା ବିଧାନ କରାଯାଇଥିବା (ତାଙ୍କର) ସେହି ଉଚ୍ଛିତ ଭୋଗଗୁଡ଼ିକ ସେହି ଦେବତାଙ୍କ ଠାରୁ ପ୍ରାପ୍ତ ହୁଅନ୍ତି । କିନ୍ତୁ ସେହି ଅଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଯେଉଁ ଫଳ ପାଆନ୍ତି ତାହା ନାଶବାନ । ହେଲେ ମୋର ଭକ୍ତମାନେ ମୋତେ ଯେକୌଣସିରୂପରେ ଭଜନ କଲେ ମଧ୍ୟ ଶେଷରେ ମୋତେ ହିଁ ପ୍ରାପ୍ତ ହୁଅନ୍ତି । ବୁଦ୍ଧିହୀନ ମନୁଷ୍ୟମାନେ ମୋର ଅବିନାଶୀ ପରମ ଭାବ ଜାଣିପାରନ୍ତି ନାହିଁ କି ମୁଁ ଅବିନାଶୀ, ଅଜନ୍ମା ବୋଲି ଜାଣି ପାରନ୍ତି ନାହିଁ ଓ ମୋତେ ସାଧାରଣ ଜନ୍ମମରଣଶୀଳ ମନୁଷ୍ୟ ଭାବେ ବିବେଚନା କରନ୍ତି । ଏଥିସହ ଅର୍ଜୁନଙ୍କ ସଂଶୟ ଦୂର ପାଇଁ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ,
ବେଦାଂ ସମତୀତାନି ବର୍ତମାନାନି ଚାର୍ଜୁନ ।
ଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ । ।
ଅର୍ଥାତ୍ ହେ ଅର୍ଜୁନ! ଅତୀତରେ ଯେଉଁମାନେ ଥିଲେ, ବର୍ତମାନ ଯେଉଁମାନେ ଅଛନ୍ତି ଓ ଭବିଷ୍ୟତରେ ଯେଉଁମାନେ ଜନ୍ମ ହେବେ, ସେ ସମସ୍ତଙ୍କୁ ମୁଁ ଜାଣେ । କିନ୍ତୁ ଶ୍ରଦ୍ଧାଭକ୍ତିହୀନ କୌଣସି ବ୍ୟକ୍ତି ମୋତେ ଜାଣିପାରେନାହିଁ । ଏଥିସହ ଭଗବାନ ଅର୍ଜୁନଙ୍କୁ ଆହୁରି ମଧ୍ୟ କହିଛନ୍ତି ଇଚ୍ଛା ଓ ଦ୍ୱେଷରୁ ଉତ୍ପନ୍ନ ସୁଖ-ଦୁଃଖାଦି ଦ୍ୱନ୍ଦ୍ୱରୂପକ ମୋହଯୋଗୁ ପ୍ରାଣୀମାନେ ଅଜ୍ଞାନଗ୍ରସ୍ତ ହେଉଛନ୍ତି । କିନ୍ତୁ ନିସ୍କାମଭାବରେ ଶ୍ରେଷ୍ଠକର୍ମ କରୁଥିବା ପୁରୁଷଙ୍କର ପାପ ନଷ୍ଟ ହୋଇଯାଏ ଓ ରାଗ-ଦ୍ୱେଷଜନିତ ମୋହରୁ ମୁକ୍ତ ହୋଇଥିôବା ଭକ୍ତମାନେ ମୋତେ ଭଜନ କରନ୍ତି ।
ଯେଉଁମାନେ ମୋର ଶରଣ ନେଇ ଜରା ଓ ମରଣରୁ ମୁକ୍ତିପାଇବାକୁ ପ୍ରଯତ୍ନ କରନ୍ତି ସେମାନେ ବ୍ରହ୍ମ, ସମ୍ପୂର୍ଣ୍ଣ ଅଧ୍ୟାତ୍ମ କର୍ମ ଓ ସକଳ କର୍ମ ଜାଣିପାରନ୍ତି । ଯେଉଁମାନେ ମୋତେ ଅନ୍ତତଃ ଅନ୍ତକାଳରେ ଜାଣିପାରନ୍ତି ସେମାନେ ମୋତେ ପାଇ ପାରନ୍ତି ।