ଗୀତା ମାହାତ୍ମ୍ୟ-୧୩: ଜ୍ଞାନ ଆହରଣ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ
କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ଶ୍ରେଷ୍ଠ ଯୋଗ ଓ ଇଶ୍ୱରଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରି ଇଶ୍ୱରଙ୍କ ଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାକୁ ଉପଦେଶ ଦେବା ସହ ଇଶ୍ୱରଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବାରେ ସମସ୍ତ କର୍ମର ସମାପ୍ତି ଘଟିଥାଏ ବୋଲି ବୁଝାଇଛନ୍ତି । ଏଥିସହ ତତ୍ତ୍ୱଦର୍ଶୀ ଜ୍ଞାନୀଙ୍କ ନିକଟକୁ ଅର୍ଜୁନ ଯାଇ ଜ୍ଞାନ ଯୋଗ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ଭଗବାନ ଅର୍ଜୁନଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିପରି ଭଗବାନ ଅର୍ଜୁନଙ୍କୁ ଅଧିକ ବୁଝାଇବାକୁ ଯାଇ କହିଛନ୍ତି ଯେ, ‘ଏହି ଜ୍ଞାନ ଆହରଣ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳି ପାରିବ ଓ ମନୁଷ୍ୟ ମୋହପ୍ରାପ୍ତ ହେବ ନାହିଁ ବୋଲି ମଧ୍ୟ ଭଗବାନ ବୁଝାଇଛନ୍ତି । ପ୍ରଜ୍ୱଳିତ ଅଗ୍ନି ଯେପରି ଇନ୍ଧନକୁ ଭସ୍ମୀଭୂତ କରିଦିଏ ଠିକ ସେହିପରି ଜ୍ଞାନରୂପକ ଅଗ୍ନି ସବୁକର୍ମକୁ ଭସ୍ମୀଭୂତ କରିଦିଏ । ଜ୍ଞାନ ଅତ୍ୟନ୍ତ ପବିତ୍ର କାରକ ତତ୍ତ୍ୱ ହୋଇଥିବାରୁ କର୍ମଯୋଗ ସାଧନା ଦ୍ୱାରା ଶୁଦ୍ଧ ହୋଇଥିବା ମନୁଷ୍ୟ ଏହି ଜ୍ଞାନକୁ ସ୍ୱତଃ ଆତ୍ମାରେ ପାଇପାରନ୍ତି । ଜିତେନ୍ଦ୍ରୀୟ, ସାଧନାପରାୟଣ ଓ ଶ୍ରଦ୍ଧାବାନ ବ୍ୟକ୍ତିମାନେ ଏହି ଜ୍ଞାନପ୍ରାପ୍ତ ହେବା ସହ ଅବିଳମ୍ବେ ଭଗବତ୍ପ୍ରାପ୍ତି ହୋଇ ମୁକ୍ତି ପାଇ ପାରନ୍ତି । କିନ୍ତୁ ବିବେକହୀନ, ଶ୍ରଦ୍ଧାହୀନ ଓ ସଂଶୟଯୁକ୍ତ ମନୁଷ୍ୟମାନେ ଭ୍ରଷ୍ଟ ହେବା ସହ ଇହଲୋକ ଓ ପରଲୋକରେ ସୁଖ ପାଇପାରନ୍ତି ନାହିଁ ।
ଯେଉଁ କର୍ମଯୋଗୀମାନେ କର୍ମଯୋଗବିଧିରେ ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କରି ବିବେକ ଦ୍ୱାରା ସମସ୍ତ ସଂଶୟ ନାଶ କରିପାରିଛନ୍ତି ସେମାନେ କର୍ମବନ୍ଧନରେ ପଡ଼ନ୍ତି ନାହିଁ । ତେଣୁ ହେ କୁରୁଶ୍ରେଷ୍ଠ ଭରତବଂଶୀୟ ଅର୍ଜୁନ ତୁମେ ବିବେକଜ୍ଞାନରୂପକ ତରବାରୀ ଦ୍ୱାରା ହୃଦୟରେ ରହିଥିବା ଅଜ୍ଞାନରୂପକ ସଂଶୟ ଛେଦନ କରି ସମତ୍ୱ କର୍ମଯୋଗରେ ସ୍ଥିତ ହୋଇ ଯୁଦ୍ଧ କରିବାକୁ ଠିଆ ହୁଅ ।’ ଏହିପରି ଭାବେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ ।