ଗୀତା ମାହାତ୍ମ୍ୟ-୧୦: ଧର୍ମ ରକ୍ଷା ପାଇଁ ଈଶ୍ୱର ଧରାପୃଷ୍ଠରେ ପ୍ରକଟ ହୁଅନ୍ତି

ପ୍ରତ୍ୟକ ମନୁଷ୍ୟ ସ୍ୱଧର୍ମ ପାଳନ ବା ନିଜ କର୍ତ୍ତବ୍ୟ ପାଳନ କରିବା ସହ ଇନ୍ଦ୍ରିୟ ବା କାମନା, ବାସନା, ଲୋଭ, ମୋହ, ଆସକ୍ତି ଆଦିରୁ ମୁକ୍ତ ରହିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଜ୍ଞାନଯୋଗ ସମ୍ପର୍କରେ ବୁଝାଇବା ଆରମ୍ଭ କରିଛନ୍ତି ।

ଶ୍ରୀକୃଷ୍ଣ କହିଲେ: ‘ଏହି ଅବିନାଶୀ ଯୋଗ ସମ୍ପର୍କରେ ସୂର୍ଯ୍ୟଙ୍କୁ ମୁଁ କହିଥିଲି; ସୂର୍ଯ୍ୟ ମୋ ଠାରୁ ପ୍ରାପ୍ତ ଏହି ଜ୍ଞାନ ତାଙ୍କ ପୁତ୍ର ବୈବସ୍ୱତ ମନୁଙ୍କୁ ଏବଂ ମନୁ ନିଜ ପୁତ୍ର ଇକ୍ଷାକୁଙ୍କୁ କହିଥିଲେ । ପରମ୍ପରାରୁ ପ୍ରାପ୍ତ ଏହି ଜ୍ଞାନଯୋଗକୁ ପୂର୍ବରୁ ରାଜର୍ଷିମାନେ ଜାଣିଥିଲେ ହେଁ ଏବେ ତାହା ପୃଥିବୀପୃଷ୍ଠରୁ ଲୁପ୍ତ ହୋଇଯାଇଛି । କିନ୍ତୁ ତୁମେ ମୋର ଅତିପ୍ରିୟ ସଖା ଓ ଭକ୍ତ ହୋଇଥିବାରୁ ତୁମକୁ ଏହି ଗୁପ୍ତ ଜ୍ଞାନ ସମ୍ପର୍କରେ କହୁଛି ।’

ଭଗବାନଙ୍କ କଥା ଶୁଣିବା ପରେ ଅର୍ଜୁନ ଅଧିକ ଜିଜ୍ଞାଶୁ ହୋଇ ପ୍ରଶ୍ନ କରିଥିଲେ ଯେ, ‘ଆପଣଙ୍କର ଓ ମୋର ଜନ୍ମ ଏବେ ହୋଇଛି । କିନ୍ତୁ ସୂର୍ଯ୍ୟଙ୍କ ଜନ୍ମ ବହୁ ପୂରାତନ ଅର୍ଥାତ କଳ୍ପ ବା ସୃଷ୍ଟିର ଆରମ୍ଭରେ ହୋଇଥିବାରୁ ଆପଣ ସୂର୍ଯ୍ୟଙ୍କୁ ଏ ଜ୍ଞାନଯୋଗ ବିଷୟରେ କିପରି କହିଥିଲେ ତାହା ମୁଁ ବୁଝିପାରୁନାହିଁ ।’ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ କହିଥିଲେ ଯେ, ‘ହେ ଅର୍ଜୁନ, ଏ ଜନ୍ମ ପୂର୍ବରୁ ମୋର ଏବଂ ତୁମର ଅନେକ ଜନ୍ମ ଅତିବାହିତ ହୋଇ ସାରିଛି । ମୁଁ ଅଜନ୍ମା ଓ ଅବିନାଶୀ ହୋଇଥିଲେ ବି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମୁଁ ଯୋଗମାୟା ବଳରେ ବିଭିନ୍ନ ରୂପରେ ପ୍ରକଟ ହୋଇଥାଏ ବା ବିଭିନ୍ନ ରୂପରେ ଜନ୍ମ ନେଇଥାଏ । ଯେଉଁ ସମୟରେ ଧର୍ମର ଅବକ୍ଷୟ ହୋଇ ପାପ ବା ଅଧର୍ମ ବୃଦ୍ଧି ପାଇଥାଏ ସେହି ସମୟରେ ଧର୍ମର ରକ୍ଷା କରିବା ସହ ସାଧୁମାନଙ୍କୁ ଉଦ୍ଧାର ବା ସୁରକ୍ଷା ଦେବା ପାଇଁ ମୁଁ ଯୁଗେ ଯୁଗେ ପ୍ରକଟ ହୋଇଥାଏ ବା ଧରାପୃଷ୍ଠରେ ଜନ୍ମନେଇଥାଏ ।

ୟଦା ୟଦା ହିଁ ଧର୍ମସ୍ୟ ଗ୍ଳାନିଭବ ତି ଭାରତ
ଅଭ୍ୟୁଥାନ ମଧର୍ମସ୍ୟ ତଦାତ୍ମାନମ୍‍ ସୃଜାମ୍ୟହମ୍‍
ପରିତ୍ରାଣାୟ ସାଧୁନାମ୍‍ ବିନାଶାୟ ଚ ଦୁଷକୃତାମ୍‍
ଧର୍ମସଂସ୍ଥା ପନାୟାର୍ଥ ସମ୍ଭବମାୀ ଯୁଗେଯୁଗେ

ମୋର ଜନ୍ମ ଓ କର୍ମ ଦିବ୍ୟ ବା ନିର୍ମଳ ଏବଂ ଅଲୌକିକ ବୋଲି ଯେଉଁ ମନୁଷ୍ୟ ଜାଣିପାରନ୍ତି ସେ ଶରୀର ତ୍ୟାଗ କରିବା ପରେ ଆଉ ପୁନର୍ଜନ୍ମ ପାଇ ନଥାନ୍ତି ବା ଜନ୍ମମୃତ୍ୟୁ ବନ୍ଧନରୁ ମୁକ୍ତି ପାଇଥାଆନ୍ତି । ପୂର୍ବକାଳରେ ଯେଉଁମାନେ ରାଗ, ଭୟ, କ୍ରୋଧ, ଲୋଭ, ମୋହ, କାମନା ଆଦିରୁ ମୁକ୍ତ ହୋଇ ପ୍ରେମ ପୂର୍ବକ ମୋତେ ଆଶ୍ରୟ କରିଥିଲେ ସେମାନେ ମୋ ସ୍ୱରୂପ ପ୍ରାପ୍ତ ହୋଇଛନ୍ତି ବା ମୁକ୍ତି ପାଇସାରିଛନ୍ତି । ଭକ୍ତମାନେ ମୋତେ ଯେପରି ଭଜନ କରନ୍ତି ମୁଁ ମଧ୍ୟ ଠିକ ସେହିପରି ଭାବେ ମୋ ଭକ୍ତମାନଙ୍କୁ ଭଜନ କରିଥାଏ । କାରଣ ମନୁଷ୍ୟମାନେ ମୋର ମାର୍ଗ ହିଁ ଅନୁସରଣ କରିଥାଆନ୍ତି । ଅନ୍ୟପକ୍ଷରେ କର୍ମଫଳ ଆକାଙ୍‍କ୍ଷା ରଖୁଥିôବା ବ୍ୟକ୍ତିବିଶେଷ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି । କାରଣ ସେମାନଙ୍କୁ ପୂଜା କଲେ କର୍ମରୁ ଉତ୍ପନ୍ନ ଫଳ ଶିଘ୍ର ପ୍ରାପ୍ତ ହୋଇଥାଏ ।’ ଭଗବାନ ଏହି ଭାବରେ ଅର୍ଜୁନଙ୍କୁ ନିଜର ଦିବ୍ୟ ଓ ଅଲୌକିତା ସମ୍ପର୍କରେ ବୁଝାଇବା ସହ ସମସ୍ତ ଆସକ୍ତି ତ୍ୟାଗ କରି ପ୍ରେମର ସହିତ ଇଶ୍ୱର ଠାରେ ନିଜ ଲୟ ରଖିବାକୁ ବା ଈଶ୍ୱରଙ୍କୁ ଭଲପାଇବାକୁ ପରାମର୍ଶ ଦେଇଛନ୍ତି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

Leave a Reply

Your email address will not be published. Required fields are marked *