ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କର
ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତିରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ଆସକ୍ତିରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି କାହାଠାରୁ ହୋଇଛି, କେବେ ହୋଇଛି ଓ ଯଜ୍ଞକର୍ମର ଫଳ କ’ଣ ହୋଇଥାଏ । ଏ ସମ୍ପର୍କରେ ଶ୍ରୀକୃଷ୍ଣ ବ୍ୟାଖ୍ୟା କରିଛନ୍ତି, ଆସନ୍ତୁ ଜାଣିବା ।
ଶ୍ରୀକୃଷ୍ଣ କହିଲେ ସୃଷ୍ଟିର ପ୍ରାରମ୍ଭ ସମୟରେ ପ୍ରଜାପତି ବ୍ରହ୍ମା, ଯଜ୍ଞ ସହିତ ଜୀବଜଗତର ସୃଷ୍ଟି କରିଥିଲେ ଓ ଯଜ୍ଞକର୍ମ କରିଲେ ଜୀବ ବାଞ୍ଛିତ ଫଳ ପାଇପାରିଥାଏ । ଜଜ୍ଞ ଦ୍ୱାରା ସମ୍ବର୍ଦ୍ଧିିତ ଦେବତାମାନେ ପ୍ରୀତ ହୋଇ ଯଜ୍ଞକର୍ତାକୁ ବାଞ୍ଛିତ ଫଳ ପ୍ରଦାନ କରନ୍ତି ଓ ଦେବତାଙ୍କ ଦ୍ୱାରା ପ୍ରଦତ ଯଜ୍ଞଫଳକୁ ବା ଭୋଗ ପଦାର୍ଥକୁ ଯେଉଁ ବ୍ୟକ୍ତି ଦେବତାଙ୍କୁ ଅର୍ପଣ ନକରି ନିଜେ ଭୋଗ କରେ ସେ ଚୋର ବୋଲି ଭଗବାନ କହିଛନ୍ତି ।
ସହିପରି ଯଜ୍ଞରୁ ଉତ୍ପନ୍ନ ଫଳ ଦେବତାଙ୍କୁ ଅର୍ପଣ କରିବା ପରେ ଯାହା ବଳିପଡ଼େ ତାହାକୁ ଶ୍ରେଷ୍ଠ ବ୍ୟକ୍ତିମାନେ ଭୋଜନ କରି ମୁକ୍ତିି ପାଇଥାଆନ୍ତି । କିନ୍ତୁ ଯେଉଁମାନେ କେବଳ ନିଜ ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି ସେମାନଙ୍କୁ ପାପି ବୋଲି କୁହାଯାଏ । ଅର୍ଥାତ ଯଜ୍ଞକର୍ମରୁ ଉତ୍ପନ୍ନ ଫଳ ଲୋକ ତଥା ଜୀବଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଭଗବାନ କହିଛନ୍ତି ।

ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି । ଏହାକୁ ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହିଛନ୍ତି, ବୃଷ୍ଟିରୁ ଅନ୍ନ ବା ଶସ୍ୟ ଓ ଯଜ୍ଞରୁ ବୃଷ୍ଟି ଏବଂ ବିହିତ କର୍ମରୁ ଯଜ୍ଞ ଉତ୍ପନ୍ନ ହୁଏ । ସେହିପରି କର୍ମସମୁଦାୟରୁ ବେଦ ଓ ପରମାତ୍ମାଙ୍କ ଠାରୁ ବେଦର ସୃଷ୍ଟି ହୋଇଛି । ତେଣୁ ଇଶ୍ୱର ସର୍ବବ୍ୟାପୀ ଓ ସଦାସର୍ବଦା ଯଜ୍ଞରେ ନିବାସ କରିନ୍ତି । ଅତଏବ ଯେଉଁ ପୁରୁଷ ସୃଷ୍ଟିଚକ୍ରର ଅନୁକୁଳ ହୋଇ କର୍ମ ନକରି ଇନ୍ଦ୍ରିୟମାନଙ୍କ ଦ୍ୱାରା ପରିଚାଳିତ ହୋଇ ଭୋଗ ବିଳାସରେ ଜୀବନ ଅତିବାହିତ ହୁଅନ୍ତି ସେମାନେ ପାପାତ୍ମା ଓ ବୃଥାରେ ଜୀବନ ଧାରଣ କରିଥିବା ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିମାନେ ଆତ୍ମାରେ ସନ୍ତୁଷ୍ଟ ହୋଇ ଅନାସକ୍ତକର୍ମ କରନ୍ତି ସେମାନେ ଜନକ ଋଷୀଙ୍କ ପରି ଇଶ୍ୱରପ୍ରାପ୍ତ ହୁଅନ୍ତି ବୋଲି ମଧ୍ୟ ଭଗବାନ କହିଛନ୍ତି ।
ଶ୍ରେଷ୍ଠ ପୁରୁଷମାନେ ଯେଉଁ କର୍ମ ଓ ଆଚରଣ କରନ୍ତି ସାଧାରଣ ଲୋକେ ତାହାକୁ ଅନୁସରଣ କରନ୍ତି । ସମଗ୍ର ବିଶ୍ୱରେ ଇଶ୍ୱରଙ୍କ ପାଇଁ କୌଣସି ବସ୍ତୁ ଅପ୍ରାପ୍ତ ନଥିଲେ ବି ସେ ନିଜ କର୍ତ୍ତବ୍ୟ କରିଚାଲନ୍ତି ବା ସୃଷ୍ଟିର ପରିଚାଳନା କରିଚାଲିଛନ୍ତି । ଯଦି ଇଶ୍ୱର ନିଜ କର୍ମ ନକରିବେ ତେବେ ସୃଷ୍ଟି ସମେତ ମନୁଷ୍ୟ ଓ ଜୀବଜଗତ ନଷ୍ଟଭ୍ରଷ୍ଟ ହୋଇଯିବ । ତେଣୁ ଜ୍ଞାନୀ ବ୍ୟକ୍ତିମାନେ ଆସକ୍ତିଯୁକ୍ତ ହୋଇ ଅଜ୍ଞାନୀଙ୍କ ବୁଦ୍ଧି ଭ୍ରମରେ ପଡ଼ି କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ ଓ ଜ୍ଞନୀମାନେ ଶାସ୍ତ୍ର ବିହିତ କର୍ମ କରିବା ସହ ଅନ୍ୟମାନଙ୍କୁ ଶାସ୍ତ୍ର ବିହିତ କର୍ମକରିବା ଦିଗରେ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ଭଗବାନ ବୁଝାଇଛନ୍ତି । ଏଥିସହ ସମସ୍ତ କର୍ମ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥିଲେ ବି ଅଜ୍ଞାନୀମାନେ ଅହଙ୍କାରର ବଶବର୍ତୀ ହୋଇ ସମସ୍ତ କର୍ମର ‘ମୁଁ କର୍ତ୍ତା’ ବୋଲି ମନେକରେ । କିନ୍ତୁ ଜ୍ଞାନୀମାନେ ଅହଙ୍କାରର ବଶବର୍ତୀ ନହୋଇ ପ୍ରକୃତିର ଗୁଣ ଓ ତତ୍ତ୍ୱ ଆଧାରରେ କର୍ମ କରିଚାଲିଥିବା ଉପଲବ୍ଧି କରି ସମସ୍ତ କର୍ମକୁ ଇଶ୍ୱର(ମୋ)ଠାରେ ଅର୍ପଣ କରନ୍ତି । ଏହା ଅନାସକ୍ତ କର୍ମ ବୋଲି ଅର୍ଜୁନଙ୍କୁ ଭଗବାନ କହି ଅର୍ଜୁନ କରୁକ୍ଷେତ୍ର ଯୁଦ୍ଧଭୂମରେ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଛନ୍ତି ।