ଗୀତା ମାହାତ୍ମ୍ୟ-୨୪: ମୁଁ ପୂଜା; ମୁଁ ଯଜ୍ଞ; ମୁଁ ବିଧି, ମୁଁ କର୍ମ; ମୁଁ ସକଳ ଶକ୍ତିର ଆଧାର

ଳ୍ପ ଶେଷରେ ସମସ୍ତେ ମୋ ଠାରେ ଲୀନ ହୁଅନ୍ତି ଓ କଳ୍ପ ଆରମ୍ଭରେ ମୁଁ ପୁଣି ତାଙ୍କୁ ସୃଷ୍ଟି କରେ ଏବଂ ମୋ ଶକ୍ତି ଦ୍ୱାରା ଜଗତ ସୃଷ୍ଟି ହୋଇଛି, ସଂସାର ଚକ୍ର ଘୁରୁଥିଲେ ବି ସଂସାରର ଉଦ୍ଧାର ପାଇଁ ସାଧାରଣ ମନୁଷ୍ୟ ପରି ମୁଁ ସଂସାରରେ ବିଚରଣ କରୁଥିବାରୁ ମୂଢ଼ ବ୍ୟକ୍ତିମାନେ ମୋତେ ସାଧାରଣ ମନୁଷ୍ୟ ଭାବି ବ୍ୟର୍ଥ କର୍ମରେ ଲିପ୍ତ ହୁଅନ୍ତି । ହେଲେ ଈଶ୍ୱରଙ୍କୁ ଆଶ୍ରୟ କରିଥିବା ମହାତ୍ମାମାନେ ମୋତେ ନିରନ୍ତର ଭଜନ କରନ୍ତି ବୋଲି କହିବା ପରେ ବି ଅର୍ଜୁନଙ୍କ ସଂଶୟ ଦୂର ହୋଇ ନାହିଁ ।
ଭଗବାନ ପୁଣି ତାଙ୍କୁ କହିଥିଲେ, “ମୋତେ ଆଶ୍ରୟ କରି ନିରନ୍ତର ଭଜନ କରୁଥିବା ଏହି ଭକ୍ତମାନେ ନିରନ୍ତର ଭାବରେ ମୋର ଗୁଣ କୀର୍ତ୍ତନ କରିବା ସହିତ ବାରମ୍ବାର ମୋତେ ପ୍ରଣାମ କରି ଧ୍ୟାନରେ ଲାଗି ରହି ଅନନ୍ୟ ପ୍ରେମ ସହକାରେ ଉପାସନା କରନ୍ତି । ଜ୍ଞାନଯୋଗୀମାନେ ମୋତେ ନିର୍ଗୁଣ ନିରାକାର ବ୍ରହ୍ମ ଭାବେ ବିବେଚନା କରି ମୋର ଉପାସନା କରୁଥିବା ବେଳେ ଅନ୍ୟ କେତେକ ଯୋଗୀ ମୋର ବିରାଟ ସ୍ୱରୂପ ପରମେଶ୍ୱରଙ୍କୁ ଉପାସନା କରନ୍ତି । ଏହା କହିବା ପରେ ଭଗବାନ ନିଜ ସମ୍ପର୍କରେ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଇ କହିଲେ,


ଅହଂ କ୍ରତୁରହଂ ଯଜ୍ଞଃ ସ୍ୱାଧାହ ମହମୌଷଧମ୍ ।
ମନ୍ତ୍ରୋ ଅହମହମେ ବାଜ୍ୟ ମହମଗ୍ନିରହଂ ହୁତମ୍ । ।
ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।
ବେଦ୍ୟଂ ପବିତ୍ରମୋଙ୍କାର ଋକ୍ସାମ ଯଜୁରେବ ଚ । ।


ଅର୍ଥାତ ମୁଁ କ୍ରତୁ (ପୂଜା); ମୁଁ ଯଜ୍ଞ; ମୁଁ ମହୌଷଧୀ; ମୁଁ ମନ୍ତ୍ର; ମୁଁ ଘୃତ; ମୁଁ ଅଗ୍ନି ଏବଂ ମୁଁ ହିଁ ହବନରୂପୀ କ୍ରିୟା । ମୁଁ ମଧ୍ୟ ସମଗ୍ର ଜଗତର ଧାତା ବା ଧାରଣ କର୍ତ୍ତା, କର୍ମଫଳ ଦାତା, ପିତା, ମାତା, ପିତାମହ, ଜାଣିବାର ଯୋଗ୍ୟବସ୍ତୁ, ପବିତ୍ର ଓଁକାର। ମୁଁ ସମସ୍ତ ବେଦ ଋଗ୍ ବେଦ, ସାମ ବେଦ ଓ ଯଜୁର୍ବେଦର ମୂଳ କେନ୍ଦ୍ର ।” ମୁଁ ହିଁ ସର୍ବମୟ, ପାଳନ କର୍ତ୍ତା ବୋଲି ଆଉ ଥରେ ଅର୍ଜୁନଙ୍କୁ ଚେତାଇବାକୂ ଚାହିଁଛନ୍ତି ଶ୍ରୀକୃଷ୍ଣ ।
ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି,

ଗତିର୍ଭର୍ତ୍ତା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।
ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମ ବ୍ୟୟମ୍ । ।
ତପାମ୍ୟହମହଂ ବର୍ଷଂ ନିଗୃହ୍ମାମ୍ୟୁତ୍ସୃଜାମି ଚ ।
ଅମୃତଂ ଚୈବ ମୃତ୍ୟୁଶ୍ଚ ସଦ ସଚ୍ଚାହମର୍ଜୁନ । ।


ଅର୍ଥାତ୍ ମୁଁ ସମସ୍ତଙ୍କ ପରମଧାମ, ସମସ୍ତଙ୍କ ଭରଣ-ପୋଷଣକର୍ତ୍ତା, ସମସ୍ତଙ୍କ ସ୍ୱାମୀ, ଶୁଭାଶୁଭ ଦ୍ରଷ୍ଟା, ସମସ୍ତଙ୍କ ବାସସ୍ଥାନ, ଶରଣ ନେବାର ଯୋଗ୍ୟ, ପ୍ରତିଉପକାର ନ ଚାହିଁ ସମସ୍ତଙ୍କ ହିତକାରୀ, ସମସ୍ତଙ୍କ ଉତ୍ପତ୍ତି ଓ ପ୍ରଳୟର କାରଣ, ସ୍ଥିତିର ଆଧାର, ନିଧନ(ପ୍ରଳୟକାଳରେ ଯେଉଁଥିରେ ସମସ୍ତଭୂତ ସୂକ୍ଷ୍ମରୂପରେ ଲୟ ହୋଇଯାନ୍ତି) ଓ ଅବିନାଶୀ ହୋଇଥିବା ବେଳେ ସୂର୍ଯ୍ୟରୂପରେ ଉତାପ ପ୍ରଦାନକାରୀ, ବର୍ଷାକୁ ଆକର୍ଷଣକରି ବର୍ଷା କରାଏ ଏବଂ ମୁଁ ଅମୃତ ଓ ମୃତ୍ୟୁ; ମୁଁ ମଧ୍ୟ ସତ୍-ଅସତ୍ ଅଟେ ।”

ତିନି ବେଦର ବିଧାନ ଅନୁସାରେ ସକାମ କର୍ମ କରୁଥିବା, ଯଜ୍ଞର ପୂଣ୍ୟଫଳ ଲାଭ କରୁଥିବା ନିଷ୍ପାପ ପୁରୁଷମାନେ ମୋତେ ସ୍ୱର୍ଗ ପ୍ରାପ୍ତିର ପ୍ରତିବନ୍ଧକ ରୂପକ ଦେବଋଣ ପାପରୁ ମୁକ୍ତ ହେବା ନିମନ୍ତେ ଯଜ୍ଞ ଦ୍ୱାରା ପୂଜା କରି ସ୍ୱର୍ଗର କାମନା କରନ୍ତି । ଏମାନେ ନିଜ ପୂଣ୍ୟର ଫଳ ସ୍ୱରୂପ ସ୍ୱର୍ଗଲୋକକୁ ଯାଇ ଦେବଭୋଗ କରିବା ପରେ ସ୍ୱର୍ଗଲୋକ ଭୋଗ କରନ୍ତି ଏବଂ ତାଙ୍କ ପୂଣ୍ୟ କ୍ଷୀଣ ହୋଇଯିବା ପରେ ମୃତ୍ୟୁ ଲୋକକୁ ପୁନର୍ବାର ଫେରିଆସନ୍ତି ।

ଗୀତା ମାହାତ୍ମ୍ୟ- ୨୩: ମୋଠୁ ଆରମ୍ଭ, ମୋ ପାଖରେ ଶେଷ

Leave a Reply

Your email address will not be published.