ପଦ୍ମଶ୍ରୀ’କୁ ଗୀତାଙ୍କ ପ୍ରତ୍ୟାଖ୍ୟାନ
ଭୁବନେଶ୍ଵର, (ଓଟି): ପ୍ରବାସୀ ଭାରତୀୟ ଲେଖକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟା ତାଙ୍କ ଉଦ୍ଦେଶ୍ୟରେ ସଦ୍ୟ ଘୋଷିତ ପଦ୍ମଶ୍ରୀ ଉପାଧିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେହେତୁ ସାଧାରଣ ନିର୍ବାଚନ ନିକଟତର ହେଉଛି, ସେ ଏହି ପୁରସ୍କାରକୁ ଭିତ୍ତିକରି ଆଗକୁ ରାଜନୀତିକ ସମାଲୋଚନା ହେବା ଆଶଙ୍କା କରିଛନ୍ତି। ‘ଉଭୟ ସରକାର ଓ ମୋ ପାଇଁ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ’ ବୋଲି କହି ସେ ଏହି ପୁରସ୍କାରକୁ ମନା କରିଛନ୍ତି।
ନ୍ୟୁୟର୍କରେ ରହୁଥିବା ଲେଖକ ଗୀତା ମେହେଟ୍ଟା cଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ। ଏଟର୍ନାଲ୍ ଗଣେଶା, କର୍ମା କୋଲା, ଏ ରିଭର ସୁତ୍ର, ସ୍ନେକ୍ସ ଆଣ୍ଡ ଲ୍ୟାଡର, ରାଜ୍ ଭଳି ପୁସ୍ତକ ରଚନା କରିଛନ୍ତି। ଇଂରାଜୀ ଭାଷାର ଏହି ଲେଖକଙ୍କ କୃତୀ ଦେଶ ବିଦେଶର ୨୧ଟି ଭାଷାରେ ଅନୁବାଦିତ ହୁଏ।
ପ୍ରଥା ଅନୁସାରେ ଭାରତ ସରକାର ଜାନୁୟାରୀ ୨୫ ତାରିଖ ଦିନ ଦେଶର ଉଚ୍ଚକୋଟୀର ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା, ସେମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବା ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ୧୧୨ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ଚୟନ କରାଯାଇଥିବା ରାଷ୍ଟ୍ରପତିଙ୍କ ଦପ୍ତରରୁ ପ୍ରକାଶ। ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ୪ଜଣଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ପାଇଁ ଭାରତ ସରକାର ସ୍ଥିର କରିଛନ୍ତି।
ଯେହେତୁ ଗୀତା ଏକ ରାଜନୀତିକ ପରିବାରରୁ ଆସିଛନ୍ତି ଏବଂ ତାଙ୍କ ଭାଇ ନବୀନ ପଟ୍ଟନାୟକ ଓଡ଼ିଶାରେ ଅଣ ବିଜେପି ଓ ଅଣ କଂଗ୍ରେସ ସରକାର ଦୀର୍ଘ ବର୍ଷ ହେଲା ଚଳାଇଛନ୍ତି, ତାଙ୍କର ପୁରସ୍କାର ଗ୍ରହଣ ଦ୍ଵାରା ରାଜନୀତିକ ସମୀକରଣ ଆଶଙ୍କା କରାଯାଇପାରେ। ଏଣୁ ସବୁ ଆଶଙ୍କା ଓ କଳ୍ପନାକୁ ଦୂରେଇବାକୁ ଯାଇ ଗୀତା ଏଭଳି ଏକ ସମୟକୁ ପ୍ରକୃଷ୍ଟ ବୋଲି ବିଚାର କରି ନାହାନ୍ତି।
ସେ କହିଛନ୍ତି ‘ ଭାରତ ସରକାର ମୋତେ ପଦ୍ମଶ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ। କିନ୍ତୁ ଯେହେତୁ ନିର୍ବାଚନ ପାଖେଇ ଆସୁଛି ଏହି ପୁରସ୍କାରକୁ ଅନ୍ୟ ଅର୍ଥରେ ଗ୍ରହଣ କରାଯିବା ଆଶଙ୍କା ରହିଛି। ସେଥିପାଇଁ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ଏଥିପାଇଁ ମୁଁ ଦୁଃଖିତ।
ନ୍ୟୁୟର୍କରୁ ଏକ ଚିଠି ଯୋଗେ ଗୀତା ଏହି ବାର୍ତା ପଠାଇଛନ୍ତି।